El Ninoଏଲ୍ନିନୋ ପ୍ରଭାବରେ କାଲିଫର୍ଣ୍ଣିଆ ଉପକୂଳରେ ବିଶାଳ ସାମୁଦ୍ରିକ ଢେଉ, ବନ୍ୟା ଆଶଙ୍କା
ପ୍ରଶାନ୍ତ ମହାସାଗରରେ ଏଲ୍ନିନୋ ପ୍ରଭାବ ବୃଦ୍ଧି ପାଇବା ସହ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ବିଶାଳ ସାମୁଦ୍ରିକ ଢେଉ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ରାସ୍ତା, ଘର ଓ ବିଭିନ୍ନ ଭିତ୍ତିଭୂମି ଜଳମଗ୍ନ ହେବା ସହ ସମୁଦ୍ର କୂଳରେ...

ସାନ୍ଫ୍ରାନ୍ସିସ୍କୋ: ପ୍ରଶାନ୍ତ ମହାସାଗରରେ ଏଲ୍ନିନୋ ପ୍ରଭାବ ବୃଦ୍ଧି ପାଇବା ସହ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ବିଶାଳ ସାମୁଦ୍ରିକ ଢେଉ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ରାସ୍ତା, ଘର ଓ ବିଭିନ୍ନ ଭିତ୍ତିଭୂମି ଜଳମଗ୍ନ ହେବା ସହ ସମୁଦ୍ର କୂଳରେ ଭୂକ୍ଷୟ ଦେଖାଦେଇଛି। ଆଗାମୀ ନଭେମ୍ବର ୨୨ରୁ ୨୭ ତାରିଖ ମଧ୍ୟରେ ଅତ୍ୟଧିକ ଉଚ୍ଚ ଜୁଆର ଆସିବାର ପୂର୍ବାନୁମାନ ଥିବାରୁ ବନ୍ୟା ଆଶଙ୍କା ଆହୁରି ବଢ଼ିଯାଇଛି। ପ୍ରବଳ ବର୍ଷା, ଉଚ୍ଚ ଜୁଆର ଓ ବିଶାଳ ସାମୁଦ୍ରିକ ଢେଉ ଏକାଠି ହେଲେ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।
ବୁଧବାର ସାନ୍ଫ୍ରାନ୍ସିସ୍କୋ ଉପସାଗରୀୟ ଅଞ୍ଚଳରେ ଏକ ବାୟୁମଣ୍ଡଳୀୟ ଜଳବାଷ୍ପ ପ୍ରବାହ (ଆଟ୍ମସ୍ଫେରିକ୍ ରିଭର୍) ଯୋଗୁଁ ରେକର୍ଡ ପରିମାଣର ବର୍ଷା ହୋଇଥିଲା। ଅପରାହ୍ଣ ୩ଟା ସୁଦ୍ଧା ସାନ୍ଫ୍ରାନ୍ସିସ୍କୋ ସହରରେ ୫.୮ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିଲା। ଏହା ୧୯୧୮ ମସିହାରେ ନଭେମ୍ବର ୧୮ ତାରିଖରେ ହୋଇଥିବା ବର୍ଷାର ରେକର୍ଡ ଭାଙ୍ଗିଛି। ରାସ୍ତାଘାଟ ଜଳମଗ୍ନ ହେବା ସହ ଅନେକ ଗାଡ଼ି ପାଣିରେ ଫସି ରହିଥିଲା। ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।
ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍ଓଏଏ) ଅନୁଯାୟୀ, ଅକ୍ଟୋବର ୨୪ରୁ ୩୦ ମଧ୍ୟରେ ସାନ୍ଡିଏଗୋ, ଲା ଜୋଲା, ଲସ୍ ଏଞ୍ଜେଲସ୍ ଓ ସାଣ୍ଟା ବାର୍ବରାରେ ସମୁଦ୍ର ଜଳସ୍ତର ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା। ଏଲ୍ନିନୋ ଯୋଗୁଁ ପ୍ରଶାନ୍ତ ମହାସାଗରର ଜଳ ଉଷ୍ମ ହେବା ସହ ଏହାର ପ୍ରସାରଣ ଘଟୁଛି। ଏଥିସହ କେଲ୍ଭିନ୍ ତରଙ୍ଗ ଉଷ୍ମ ଜଳକୁ ପୂର୍ବ ଦିଗକୁ ଠେଲି ନେଉଥିବାରୁ ଆମେରିକାର ପଶ୍ଚିମ ଉପକୂଳରେ ସମୁଦ୍ର ଜଳସ୍ତର ପ୍ରାୟ ୧୫ରୁ ୩୦ ସେଣ୍ଟିମିଟର ବଢ଼ିପାରେ।
ସୌଜନ୍ୟ ସମ୍ବାଦ




