ବିଜୟଙ୍କ ମେଣ୍ଟ ସହଯୋଗୀ ଏଲ୍ଟିଟିଇ ମୁଖ୍ୟଙ୍କ ଘର ଥିବା ସ୍ଥାନକୁ ଯିବାରୁ ବିବାଦ; କଡ଼ା ସମାଲୋଚନା କଲା ବିଜେପି, କଂଗ୍ରେସ ନିରବ
୧୯୯୧ ମେ ୨୧ରେ ଏଲ୍ଟିଟିଇ ଦ୍ୱାରା ରାଜୀବ ଗାନ୍ଧୀଙ୍କ ହତ୍ୟା କରାଯାଇଥିଲା । ପ୍ରଭାକରନ୍ ଏଲ୍ଟିଟିଇର ମୁଖ୍ୟ ଥିବାରୁ ତାଙ୍କ ପୈତୃକ ଘର ଥିବା ସ୍ଥାନକୁ ଥିରୁମାଭାଲଭନଙ୍କ ଗସ୍ତକୁ ବିଜେପି ବିରୋଧ କରିଛି । ଏଥିସହ ଏହି ପ୍ରସଙ୍ଗରେ କଂଗ୍ରେସର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ।

ଚେନ୍ନାଇ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟଙ୍କ ମେଣ୍ଟ ସହଯୋଗୀ ଭିସିକେ (ବିଦୁଥଲାଇ ଚିରୁଥାଇଗଲ କାଚି) ମୁଖ୍ୟ ଥୋଲ୍ ଥିରୁମାଭାଲଭନ୍ ନିକଟରେ ଶ୍ରୀଲଙ୍କା ଗସ୍ତ ସମୟରେ ଏଲ୍ଟିଟିଇ (ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ) ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନଙ୍କ ପୈତୃକ ଘର ଥିବା ସ୍ଥାନକୁ ଯାଇଥିଲେ । ଏହାକୁ ନେଇ ତାମିଲନାଡ଼ୁରେ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ଭିସିକେ ମୁଖ୍ୟଙ୍କ ଏହି କାର୍ଯ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଅପମାନ ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପକ୍ଷରେ, ତାମିଲନାଡ଼ୁରେ ବିଜୟଙ୍କ ସରକାରର ଅଂଶୀଦାର କଂଗ୍ରେସ ଏଯାଏ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହିଁ ।
ଉଲ୍ଲେଖଯୋଗ୍ୟ, ୧୯୯୧ ମେ ୨୧ରେ ଏଲ୍ଟିଟିଇ ଦ୍ୱାରା ରାଜୀବ ଗାନ୍ଧୀଙ୍କ ହତ୍ୟା କରାଯାଇଥିଲା । ପ୍ରଭାକରନ୍ ଏଲ୍ଟିଟିଇର ମୁଖ୍ୟ ଥିବାରୁ ତାଙ୍କ ପୈତୃକ ଘର ଥିବା ସ୍ଥାନକୁ ଥିରୁମାଭାଲଭନଙ୍କ ଗସ୍ତକୁ ବିଜେପି ବିରୋଧ କରିଛି । ଏଥିସହ ଏହି ପ୍ରସଙ୍ଗରେ କଂଗ୍ରେସର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ନଭେମ୍ବର ୧୭ରେ ଭିସିକେ ମୁଖ୍ୟ ଶ୍ରୀଲଙ୍କାର ଜାଫ୍ନା ଜିଲ୍ଲା ଅନ୍ତର୍ଗତ ଭାଲ୍ଭେଟ୍ଟିଥୁରାଇଠାରେ ଥିବା ପ୍ରଭାକରନଙ୍କ ପୈତୃକ ବାସଭବନ ଥିବା ସ୍ଥାନକୁ ଯାଇଥିଲେ ।
ସେଠାରେ ସେ କିଛି ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ପ୍ରଭାକରନଙ୍କ ପୁରୁଣା ଘର ଆଉ ନାହିଁ । ଶ୍ରୀଲଙ୍କା ଗୃହଯୁଦ୍ଧ ଶେଷ ହେବାର ବର୍ଷକ ପରେ, ୨୦୧୦ରେ ଶ୍ରୀଲଙ୍କା ସେନା ତାଙ୍କ ପୈତୃକ ଘରକୁ ଭାଙ୍ଗି ଦେଇଥିଲା । ବର୍ତ୍ତମାନ ସେଠାରେ ଏକ ଖାଲି ଜମି ରହିଛି । ଏହା ପ୍ରଭାକରନଙ୍କ ଘର ଥିବା ସ୍ଥାନ ବୋଲି ଦର୍ଶାଇବା ପାଇଁ ସେଠାରେ ଏକ ବୋର୍ଡ ଲଗାଯାଇଛି ।
ସୌଜନ୍ୟ ସମ୍ବାଦ




