ରାଜ୍ୟ

Panchayat elections: ପଞ୍ଚାୟତ ନିର୍ବାଚନରେ ନେତାଙ୍କୁ ଗାଁ ମନା: ବିକାଶ ନ କଲେ ଭୋଟବର୍ଜନ ଚେତାବନୀ

ମୌଳିକ ସୁବିଧାରୁ ବଞ୍ଚିତ ମାଲକାନଗିରି ବ୍ଲକ୍‌ ତଣ୍ଡକି ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ପାହାଡ଼ ଉପରେ ଓ ଜଙ୍ଗଲ ମଧ୍ୟରେ ଥିବା ଲକ୍ଷ୍ମଣପୁର, ସୁଲିପାଣି, ଜାମଗୁଡ଼ା ଓ ସିନ୍ଧିଭାଟା ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଦେଖିନାହାନ୍ତି।

ମାଲକାନଗିରି: ମୌଳିକ ସୁବିଧାରୁ ବଞ୍ଚିତ ମାଲକାନଗିରି ବ୍ଲକ୍‌ ତଣ୍ଡକି ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ପାହାଡ଼ ଉପରେ ଓ ଜଙ୍ଗଲ ମଧ୍ୟରେ ଥିବା ଲକ୍ଷ୍ମଣପୁର, ସୁଲିପାଣି, ଜାମଗୁଡ଼ା ଓ ସିନ୍ଧିଭାଟା ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଦେଖିନାହାନ୍ତି। ଗାଁରେ ପିଇବା ପାଣି, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବାର କୌଣସି ସୁବିଧା ନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନକଲେ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ପାଣି ପାଇଁ ମହିଳା ମାଇଲ ମାଇଲ ଦୂର ଚାଲି ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ସେହି ପାଣିକୁ ରୋଷେଇ ଓ ପିଇବା ସହ ଗୃହପାଳିତ ପ୍ରାଣୀଙ୍କ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ଗ୍ରାମବାସୀ ବିଭିନ୍ନ ରୋଗରେ ପଡୁଛନ୍ତି। ରାସ୍ତା ନଥିବାରୁ ରୋଗୀ କିମ୍ବା ଗର୍ଭବତୀଙ୍କୁ ମେଡିକାଲ ନେବା ଲାଗି ଆମ୍ବୁଲାନ୍ସ ସୁବିଧା ମିଳୁନି। ଗାଁରୁ ୩ କିମି ଭାରରେ ବୋହି ନେବାକୁ ପଡ଼ୁଛି। ଏହି ଦୁର୍ଦ୍ଦଶା ଗ୍ରାମବାସୀଙ୍କ ପାଇଁ ଦୈନନ୍ଦିନ ସଂଘର୍ଷରେ ପରିଣତ ହୋଇଯାଇଛି। ଯାତାୟାତ ସୁବିଧା ନଥିବାରୁ ଗାଁକୁ ସରକାରୀ ଅଧିକାରୀଙ୍କ ପାଦ ପଡ଼େନାହିଁ। ଯେଉଁଥି ପାଇଁ ବିକାଶ ପାହାଡ଼ ଚଢ଼ି ଗାଁରେ ପହଞ୍ଚିପାରୁନି। ଶିକ୍ଷାକ୍ଷେତ୍ରରେ ମଧ୍ୟ ଏ ସବୁ ଗାଁ ପଛରେ। ବିଦ୍ୟାଳୟ ନଥିବାରୁ ଅନେକ ଶିଶୁ ସ୍କୁଲ ମାଟି ମାଡ଼ିନାହାନ୍ତି।

ବିକାଶ ନ କଲେ ଭୋଟବର୍ଜନ ଚେତାବନୀ 
ପାହାଡ଼ ଉପରେ ଜୀବନ ପାଇଁ ସଂଘର୍ଷ, ମୌଳିକ ସୁବିଧାରୁ ବଞ୍ଚିତ
ପ୍ରଶାସନକୁ ଗୁହାରି କରି ଥକିଲେଣି ୪ ଗ୍ରାମବାସୀ

ଜନ୍ମ ପ୍ରମାଣପତ୍ର ଓ ଆଧାରକାର୍ଡ ଭଳି ଆବଶ୍ୟକ ଦଲିଲ ନଥିବାରୁ ପିଲାଙ୍କୁ ଅନ୍ୟ ଗାଁର ବିଦ୍ୟାଳୟରେ ନାମ ଲେଖାଇବାରେ ସମସ୍ୟା ହେଉଛି। ସରକାରୀ ଯୋଜନାରୁ ମଧ୍ୟ ଏମାନେ ବଞ୍ଚିତ। ବିଦ୍ୟୁତ୍ ସଂଯୋଗ ନଥିବାରୁ ରାତିରେ ଗାଁ ଅନ୍ଧାର ରହୁଛି। ବାଘ ଓ ବନ୍ୟଜନ୍ତୁଙ୍କ ଭୟ ମଧ୍ୟରେ ଗ୍ରାମବାସୀ ରାତିରେ ଘରୁ ବାହାରିବାକୁ ସାହସ କରିପାରୁନାହାନ୍ତି। ଆବଶ୍ୟକ ସମୟରେ ଅନ୍ଧାର ଦୂର କରିବା ପାଇଁ ରାତିରେ କାଠ ଜାଳି ଆଲୋକର ବ୍ୟବସ୍ଥା କରୁଛନ୍ତି। ଏହା ସହ ଆବାସ, ରୋଜଗାର ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ମଧ୍ୟ ଗ୍ରାମବାସୀ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ନେତାଙ୍କୁ ଗାଁରେ ପୂରାଇ ଦେବୁନି ଏବଂ ଭୋଟବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ କହିଛନ୍ତି, ଗାଁକୁ ରାସ୍ତା ନିର୍ମାଣ ସହ ଅନ୍ୟାନ୍ୟ ମୌଳିକ ସୁବିଧା କିପରି ପହଞ୍ଚିବ, ସେନେଇ ବ୍ଲକ୍‌ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button