ରାଜ୍ୟ

MCL: ଏମସିଏଲ ପକ୍ଷରୁ ନୂଆ ପୋର୍ଟାଲ ବ୍ୟବସ୍ଥା ଲାଗୁକୁ ବିରୋଧ, ଆବେଦନ ଖାରଜ କଲେ ହାଇକୋର୍ଟ

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ପରିଚାଳନା ପକ୍ଷରୁ ଠିକା ଶ୍ରମିକ ଓ ଠିକାଦାରଙ୍କ ପାଇଁ ''କଣ୍ଟ୍ରାକ୍ଟ ଲେବର ଇନଫରମେସନ ପୋର୍ଟାଲ'' (ସିଏଲଆଇପି) ବ୍ୟବସ୍ଥା ନଭେମ୍ବର ୧ରୁ ଲାଗୁ ସଂପର୍କିତ ନିଷ୍ପତ୍ତିକୁ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

କଟକ: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ପରିଚାଳନା ପକ୍ଷରୁ ଠିକା ଶ୍ରମିକ ଓ ଠିକାଦାରଙ୍କ ପାଇଁ ”କଣ୍ଟ୍ରାକ୍ଟ ଲେବର ଇନଫରମେସନ ପୋର୍ଟାଲ” (ସିଏଲଆଇପି) ବ୍ୟବସ୍ଥା ନଭେମ୍ବର ୧ରୁ ଲାଗୁ ସଂପର୍କିତ ନିଷ୍ପତ୍ତିକୁ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଳଚେରର ଆଇବି ଫିଲ୍ଡ ସପ୍ପ୍ଲାୟର୍ସ ଆଣ୍ଡ କଣ୍ଟ୍ରାକ୍ଟର ଆସୋସିଏସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ୨୦୨୬, ନଭେମ୍ବର ୧ ପୂର୍ବରୁ ଥିବା ବର୍ତ୍ତମାନର କଂଟ୍ରାକ୍ଟରଙ୍କ କ୍ଷେତ୍ରରେ ସିଏଲଆଇପି ପୋର୍ଟାଲରେ ତଥ୍ୟ ଅପଲୋଡ୍‌ ନିୟମ ଲାଗୁ ନ କରାଯିବା ଉଚିତ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିବା ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଗରିବ ଶ୍ରମିକମାନଙ୍କ ସୁବିଧା ଓ ସ୍ୱାର୍ଥ ପାଇଁ ଏହା ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ। ଠିକାଦାର ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଥିବା ଚୁକ୍ତି ଉପରେ ନିର୍ଭର କରି ନିଜ ପ୍ରାପ୍ୟ ପାଇବା ପାଇଁ ଦୈନିକ ଭିତ୍ତିରେ ମଜୁରି ପାଉଥିବା ଶ୍ରମିକ ଅପେକ୍ଷା କରିବା ଉଚିତ ନୁହେଁ। ଏହି ବିଷୟରେ ଆଇନଗତ ବ୍ୟବସ୍ଥା ଅତ୍ୟନ୍ତ ସ୍ପଷ୍ଟ ଯେ, ଠିକାଦାର ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ବିବାଦ ପାଇଁ ଗରିବ ଶ୍ରମିକ ବିଶେଷକରି ଦୈନିକ ମଜୁରିଆଙ୍କ ମଜୁରିରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ସିଏଲଆଇପି ଲାଗୁ ସଂପର୍କିତ ସେପ୍ଟେମ୍ବର ୩ର ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏମ୍‌ସିଏଲ୍ ପରିଚାଳନା କର୍ତ୍ତୃପକ୍ଷ ସେପ୍ଟେମ୍ବର ୩ରେ ଏକ ବିଜ୍ଞପ୍ତି ଜାରି କରି ନଭେମ୍ବର ୧ରୁ ଠିକାଦାର ଓ ଶ୍ରମିକଙ୍କ ସମ୍ପର୍କିତ ନୂଆ ପୋର୍ଟାଲ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଥିଲେ। ପୋର୍ଟାଲରେ ଶ୍ରମିକଙ୍କ ମଜୁରି ସମ୍ପର୍କିତ ତଥ୍ୟ ଉଲ୍ଲେଖ କରିବାକୁ କୁହାଯାଇଥିଲା। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ୨୦୨୬, ନଭେମ୍ବର ୧ ପୂର୍ବରୁ ହୋଇଥିବା ପୁରୁଣା ଚୁକ୍ତିନାମା ଗୁଡ଼ିକ କ୍ଷେତ୍ରରେ ଏହି ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବା ନିୟମ ଲାଗୁ ନ ହୋଇ, କେବଳ ପରବର୍ତ୍ତୀ ଚୁକ୍ତିନାମା କ୍ଷେତ୍ରରେ ଏହା ଲାଗୁ ହେବା ଉଚିତ। ଏଥିସହ ଏମ୍‌ସିଏଲ୍ ପ୍ରତ୍ୟେକ ଚୁକ୍ତି ପାଇଁ ରନିଂ ବିଲ୍ ପ୍ରଦାନ କରୁନଥିବାରୁ ଶ୍ରମିକଙ୍କୁ ମଜୁରି ଦେବାରେ ଠିକାଦାରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦର୍ଶାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button