ସମ୍ପାଦକୀୟ

Editorial: ମାଗଣାର ସ୍ବରୂପ

କହିବା ଅନାବଶ୍ୟକ ଯେ ସମସ୍ତ ଜନମଙ୍ଗଳକାରୀ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କ ସକାଶେ କିଛି ନା କିଛି ରିହାତି ଓ ମାଗଣା ବ୍ୟବସ୍ଥା କରିଥାଆନ୍ତି। ସ୍ବିଡେନ ବା ଫିନଲାଣ୍ଡ ଭଳି ଅତି ସ୍ବଚ୍ଛଳ ସ୍କାଣ୍ଡିନେଭୀୟ ଦେଶଗୁଡ଼ିକରେ ମଧ୍ୟ ଏହି ବ୍ୟବସ୍ଥା ଅଛି...

କହିବା ଅନାବଶ୍ୟକ ଯେ ସମସ୍ତ ଜନମଙ୍ଗଳକାରୀ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କ ସକାଶେ କିଛି ନା କିଛି ରିହାତି ଓ ମାଗଣା ବ୍ୟବସ୍ଥା କରିଥାଆନ୍ତି। ସ୍ବିଡେନ ବା ଫିନଲାଣ୍ଡ ଭଳି ଅତି ସ୍ବଚ୍ଛଳ ସ୍କାଣ୍ଡିନେଭୀୟ ଦେଶଗୁଡ଼ିକରେ ମଧ୍ୟ ଏହି ବ୍ୟବସ୍ଥା ଅଛି; ଯେମିତିକି ସେଠାରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି କ୍ଷେତ୍ର ସବୁ ନାଗରିକଙ୍କ ସକାଶେ ସଂପୂର୍ଣ୍ଣ ମାଗଣା। ଅର୍ଥନୀତିଜ୍ଞମାନେ କହିଥାଆନ୍ତି ଯେ ଦେଶଗୁଡ଼ିକ, ପ୍ରାୟତଃ, କିଛି ପରିମାଣରେ ପ୍ରଗତି ହାସଲ କଲା ପରେ ଯାଇ ଜନହିତକାରୀ ଯୋଜନା ଆଦି ସଂପର୍କରେ ଚିନ୍ତା କରନ୍ତି। କିନ୍ତୁ, ଭାରତରେ, ଷଷ୍ଠ ଦଶକରୁ, ‘ସର୍ବନିମ୍ନ ମଜୁରି’ ହାର ଧାର୍ଯ୍ୟ କରାଯାଇଥିଲା।

ଗଲା ଅକ୍‌ଟୋବର ମାସରେ ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ‘ପଭର୍ଟି ଏଣ୍ଡ ଇକ୍ବିଟି ବ୍ରିଫ ଫର ଇଣ୍ଡିଆ’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଚରମ ଦାରିଦ୍ର୍ୟ ୨୦୧୧ ମସିହାର ୨୭.୬%ରୁ ହ୍ରାସ ପାଇ ଅତ୍ୟନ୍ତ ନଗଣ୍ୟ ୨.୬%ରେ ପହଞ୍ଚିଛି; ଯେଉଁ ଦାବିକୁ ଆମ ଦେଶରେ ଅନେକତ୍ର ବିଶ୍ବାସପୂର୍ଣ୍ଣ ଦୃଷ୍ଟିରେ ଦେଖାଯାଇପାରୁନାହିଁ। ଏହି ସଂଦର୍ଭରେ କୁହାଯାଉଛି ଯେ ଯଦି ଏହା ସତ, ତେବେ ଭାରତୀୟ ଜନସଂଖ୍ୟାର ୫୭% ଅର୍ଥାତ୍‌ ପ୍ରାୟ ୮୦ କୋଟି ଲୋକଙ୍କୁ ସରକାର ମାଗଣାରେ ଚାଉଳ ବଣ୍ଟନ କରୁଛନ୍ତି କାହିଁକି? ବା ଓଡ଼ିଶା ଭଳି ରାଜ୍ୟରୁ ଦାଦନ ସମସ୍ୟା ଦୂର ହେଉନାହିଁ କାହିଁକି? ଅଥବା ଜୀବିକା ସକାଶେ ଏକ ବିଶାଳ ସଂଖ୍ୟକ କର୍ମକ୍ଷମ ମାନବ ସମ୍ବଳର ସ୍ଥାନାନ୍ତର ଘଟୁଛି କାହିଁକି? କେବଳ ସେତିକି ନୁହେଁ, ଅନେକ ସମୟରେ ପରିସଂଖ୍ୟାନମାନ ଏଭଳି ପ୍ରହେଳିକା ସୃଷ୍ଟି କରିଥାଆନ୍ତି ଯେ ତହିଁରୁ ଦିଶୁଥିବା ଚିତ୍ରଟି ବାସ୍ତବତା ଠାରୁ ଅଲଗା ମଧ୍ୟ ଦିଶିଥାଏ; ଏପରିକି ତହିଁରୁ ସୃଷ୍ଟ ଅନେକ ବଦ୍ଧମୂଳ ଧାରଣା ଅନେକ ସମୟରେ ଭୁଲ୍‌ ବୋଲି ପ୍ରମାଣିତ ମଧ୍ୟ ହୋଇପାରେ। ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ସ୍ମରଣଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବା ‘ପି.ଡି.ଏସ.’ ମାଧ୍ୟମରେ ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାର ପ୍ରାରମ୍ଭ କରାଯାଇଥିଲା; ପୂର୍ବରୁ ଯାହା କିଲୋ ପ୍ରତି ଟଙ୍କେ ବା ଦୁଇ ଟଙ୍କା ଦରରେ ରାସନ କାର୍ଡଧାରୀମାନଙ୍କୁ ମିଳୁଥିଲା। ତେଣୁ, ପ୍ରଶ୍ନ ଉଠିଥାଏ ଯେ ପାଣ୍ଡେମିକର ଅନ୍ତ ଘଟିସାରିବା ପରେ ସୁଦ୍ଧା ସେହି ବ୍ୟବସ୍ଥା ଅବ୍ୟାହତ ରହିଛି କାହିଁକି? ଏହାର ଉତ୍ତର ହେଲା, ଏହା ବ୍ୟତୀତ କୌଣସି ଗତ୍ୟନ୍ତର ମଧ୍ୟ ନାହିଁ! କାରଣ, ଆମ ଦେଶରେ, ସଂପ୍ରତି, ଉତ୍ପାଦିତ ହେଉଥିବା ଚାଉଳ ଓ ଗହମର ପରିମାଣ ଏତେ ଅଧିକ ଯେ ଏଫ.ସି.ଆଇ. ଗୋଦାମଗୁଡ଼ିକ ଉଛୁଳି ପଡ଼ିଲାଣି। ବିଶେଷଜ୍ଞମାନଙ୍କ ମତରେ ଏଭଳି ସ୍ଥିତିରେ ଗୋଦାମରେ ଚାଉଳକୁ ସଂରକ୍ଷଣ କରି ରଖିବାଠାରୁ ତାକୁ ସୁବ୍ୟବସ୍ଥିତ ପି.ଡି.ଏସ. ଚ୍ୟାନେଲରେ ବଣ୍ଟନ କରିଦେବା କମ୍‌ ବ୍ୟୟସାପେକ୍ଷ ଓ ଅପେକ୍ଷାକୃତ ସହଜ। ସେମାନେ ପ୍ରଶ୍ନ କରନ୍ତି ଯେ ଗୋଦାମଗୁଡ଼ିକ ଭରପୂର ହୋଇ ଉଠିଥିବା ହେତୁ ଅଗତ୍ୟା ବାହାରେ ପଡ଼ି ରହି ବିପୁଳ ପରିମାଣର ଖାଦ୍ୟ ଶସ୍ୟ ଅଯତ୍ନ, ଝଡ଼ିବର୍ଷା, ମୂଷା ଓ ପକ୍ଷୀ ଆଦିଙ୍କ ଦ୍ବାରା ନଷ୍ଟ ହେବା ଅଧିକ ବିବାଦ ଓ ବିବେକ ଦଂଶନ ସୃଷ୍ଟି କରନ୍ତା ନାହିଁ କି? ସାଂପ୍ରତିକ ‘ହାଉସହୋଲ୍‌ଡ କଂଜମ୍ପସନ ଏକ୍‌ସପେଣ୍ଡିଚର ସର୍ଭେ’ରୁ ପ୍ରାପ୍ତ ତଥ୍ୟ ଆଧାରରେ ଜଣାପଡ଼ିଥାଏ ଯେ ଦରିଦ୍ର ପରିବାରଗୁଡ଼ିକ ପୂର୍ବାପେକ୍ଷା ଅଧିକ ପନିପରିବା, ଫଳ ଏବଂ ଦୁଗ୍‌ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ ଓ ମାଂସ ଭଳି ପ୍ରାଣୀଜ ପୁଷ୍ଟିସାରଜାତୀୟ ଖାଦ୍ୟ କ୍ରୟ କରୁଛନ୍ତି, ଯହିଁରେ ଦୈନିକ ଆହାରରେ ବିବିଧତା ଓ ଅଧିକ ଖାଦ୍ୟସାର ଦେଖିବାକୁ ମିଳୁଛି। ବିଶେଷଜ୍ଞମାନଙ୍କ ମତରେ ମାଗଣା ଚାଉଳ ଦ୍ବାରା ପରିବାରର ଆୟରୁ ବଞ୍ଚି ଯାଉଥିବା ଅର୍ଥ ଏଥିରେ ସହାୟକ ହେଉଥିବା ଖୁବ୍‌ ସମ୍ଭବ, ଯେଉଁ କାରଣରୁ ମାଗଣା ଚାଉଳ ବଣ୍ଟନ ବ୍ୟବସ୍ଥା କୁପୋଷଣ ଦୂର କରିବାରେ ମଧ୍ୟ ଆଂଶିକ ଭୂମିକା ନିର୍ବାହ କରୁଛି ବୋଲି କୁହାଯାଇପାରେ!
ଆମ ରାଜ୍ୟରେ, ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନଙ୍କୁ ଉତ୍କଟ ଦାରିଦ୍ର୍ୟ, ବୁଭୁକ୍ଷା ଓ ଅସହାୟତାର ପ୍ରତୀକ ରୂପେ ଦେଖାଯାଇଥାଏ; କିନ୍ତୁ, ଜୀବିକା ଅନ୍ବେଷଣରେ ବାହାର ରାଜ୍ୟ ଗମନ କରୁଥିବା ସମସ୍ତ ଶ୍ରମିକ ଏହି ବର୍ଗଭୁକ୍ତ ହୋଇ ନ ପାରନ୍ତି। ସଂପ୍ରତି ଅଧିକାଂଶ ଶ୍ରମିକଙ୍କ ବହିର୍ଗମନରେ ନିହିତ ଥାଏ ଅଧିକ ଅର୍ଥ ଉପାର୍ଜନ କରିବାର ଅଭିଳାଷ, ଯଦ୍ଦ୍ବାରା ପାରିବାରିକ ସ୍ଥିତିକୁ ଉନ୍ନତ କରାଯାଇପାରିବ, ତେଣିକି ଗନ୍ତବ୍ୟ ସ୍ଥାନ ଆନ୍ଧ୍ରପ୍ରଦେଶ ହେଉ ବା ଗୁଜରାଟ ବା କାଶ୍ମୀର ବା ମଧ୍ୟ-ପ୍ରାଚ୍ୟର କୌଣସି ମୁଲକ! ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା କିଭଳି ବିଶାଳ; ତା’ର ଏକ ଧାରଣା ମିଳିଥିଲା କୋଭିଡକାଳୀନ ଲକଡାଉନ ସମୟରେ, ଯହିଁରେ ସରକାରଙ୍କ ସମେତ ସମସ୍ତ ଭାରତୀୟ ତଟସ୍ଥ ହୋଇ ଯାଇଥିଲେ। ଏଥିରେ ସନ୍ଦେହ ନାହିଁ ଯେ ବଞ୍ଚିବା ଲାଗି ସର୍ବନିମ୍ନ ସାଧନ ପ୍ରାପ୍ତ ହୋଇଗଲା ପରେ ଯାଇ ଦରିଦ୍ରମାନେ ଏଭଳି ଅଭିଳାଷ ପୋଷଣ କରିପାରନ୍ତି, ଯାହା ସମ୍ଭବ ହୋଇଛି ସରକାରଙ୍କ ଦ୍ବାରା ପ୍ରଦତ୍ତ ମାଗଣା ଯୋଜନାମାନ ହେତୁ! ତେବେ, ଏହା ମଧ୍ୟ ସତ ଦାଦନ ପ୍ରଥାରେ ଏକ ବିକୃତି ନିହିତ ଅଛି, ଯାହା ରହିଛି ସେହି ବ୍ୟବସ୍ଥା ଭିତରେ! ଦେଖାଯାଇଥାଏ ଯେ ଦରିଦ୍ର ପରିବାରଗୁଡ଼ିକ ଜରୁରୀ ପରିସ୍ଥିତିରେ ଦାଦନ ସର୍ଦ୍ଦାର ବା ଦଲାଲମାନଙ୍କ ଠାରୁ ସହଜରେ ଅଗ୍ରୀମ ଅର୍ଥ (ଦାଦନ) ଋଣ ଆକାରରେ ପାଇଯାଆନ୍ତି, ଯାହା ପରିଶୋଧ କରିବା ସକାଶେ ଅନେକ ସମୟରେ ସେମାନଙ୍କୁ ଦାସତ୍ବ ବରଣ କରିବାକୁ ହୋଇଥାଏ! ଏହାର ସମାଧାନର ସୂତ୍ର ରହିଛି ଦଲାଲମାନଙ୍କ ପ୍ରଭାବ ଚୂର୍ଣ୍ଣ କରିବାରେ ଏବଂ ଆବଶ୍ୟକତା ବେଳେ ସହଜରେ ସରକାରୀ ବା ସମବାୟ ଋଣ ପାଇବାର ବ୍ୟବସ୍ଥା କରିବାରେ! ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ସରକାରଙ୍କ ବିଭିନ୍ନ ମାଗଣା ଯୋଜନା ହେତୁ, ଉତ୍କଟ ବୁଭୁକ୍ଷା କାରଣରୁ ପ୍ରାୟ କେହି ‘ଦାଦନ’ ଖଟିବାକୁ ଯାଉନାହାନ୍ତି! କହିବାର ତାତ୍ପର୍ଯ୍ୟ ହେଲା ଜୀବିକା ଅନ୍ବେଷଣ ସକାଶେ ସ୍ଥାନାନ୍ତର ହେବା ପଛ‌ରେ ଉତ୍କଟ ଦାରିଦ୍ର୍ୟ ବଦଳରେ ଆଉ ଯାହା ଦିଶିଥାଏ, ତାହା ହେଲା ସୁଯୋଗହୀନତା!
କହିବା ଅନାବଶ୍ୟକ ଯେ ସମସ୍ତ ଜନମଙ୍ଗଳକାରୀ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କ ସକାଶେ କିଛି ନା କିଛି ରିହାତି ଓ ମାଗଣା ବ୍ୟବସ୍ଥା କରିଥାଆନ୍ତି। ସ୍ବିଡେନ ବା ଫିନଲାଣ୍ଡ ଭଳି ଅତି ସ୍ବଚ୍ଛଳ ସ୍କାଣ୍ଡିନେଭୀୟ ଦେଶଗୁଡ଼ିକରେ ମଧ୍ୟ ଏହି ବ୍ୟବସ୍ଥା ଅଛି; ଯେମିତିକି ସେଠାରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି କ୍ଷେତ୍ର ସବୁ ନାଗରିକଙ୍କ ସକାଶେ ସଂପୂର୍ଣ୍ଣ ମାଗଣା। ଅର୍ଥନୀତିଜ୍ଞମାନେ କହିଥାଆନ୍ତି ଯେ ଦେଶଗୁଡ଼ିକ, ପ୍ରାୟତଃ, କିଛି ପରିମାଣରେ ପ୍ରଗତି ହାସଲ କଲା ପରେ ଯାଇ ଜନହିତକାରୀ ଯୋଜନା ଆଦି ସଂପର୍କରେ ଚିନ୍ତା କରନ୍ତି। କିନ୍ତୁ, ଭାରତରେ, ଷଷ୍ଠ ଦଶକରୁ, ‘ସର୍ବନିମ୍ନ ମଜୁରି’ ହାର ଧାର୍ଯ୍ୟ କରାଯାଇଥିଲା। ଏହା ଏକ ଦରିଦ୍ର ଅନୁକୂଳ ପଦକ୍ଷେପ ହୋଇଥିଲେ ହେଁ ତତ୍କାଳୀନ ଭାରତ ଭଳି ଏକ ନିତାନ୍ତ ଗରିବ ରାଷ୍ଟ୍ର ସକାଶେ ଏହା ସ୍ପୃହଣୀୟ ନୁହେଁ ବୋଲି ପ୍ରଶାନ୍ତ ମହାନଲୋବିସଙ୍କ ଭଳି ଯୋଜନାକାର ଏହାକୁ ପସନ୍ଦ କରି ନ ଥିଲେ। ତେବେ, କଥା ହେଲା, ସେହି ରାଜନୈତିକ ଦୃଷ୍ଟିଭଙ୍ଗୀ ଏ ଯାବତ୍‌ ଅକ୍ଷୁଣ୍ଣ ରହି ଆଜିର ବିଶାଳ ମାଗଣା ବ୍ୟବସ୍ଥାର ସ୍ଥାପତ୍ୟକୁ ଜନ୍ମ ଦେଇଛି, ଯାହା ରାଜକୋଷ ଉପରେ ଏକ ବିଶାଳ ବୋଝ ରୂପେ ଉଦ୍‌ବେଗର କାରଣ ହେଲାଣି। ଏହି ଦୃଷ୍ଟିରୁ ମାଗଣା ଯୋଜନାଗୁଡ଼ିକୁ ବନ୍ଦ କରିବା ଲାଗି ବା ତହିଁରେ ସଂକୋଚନ ଘଟାଇବା ଲାଗି ତୀବ୍ର ଦାବି ଉଠୁଥିଲେ ହେଁ ଏହା ଭୋଟ ହାତେଇବାର ଏକ ଅସ୍ତ୍ରରେ ପରିଣତ ହୋଇଥିବାରୁ ସେଭଳି ଘଟିବାର ସମ୍ଭାବନା ଅତି କ୍ଷୀଣ। ଏହି ପରିପ୍ରେକ୍ଷୀରେ ଏକ ମତ ପ୍ରକାଶ ପାଇଥାଏ ଯେ ମାଗଣା ବା ରିହାତି ବ୍ୟବସ୍ଥା ଜାରି ରହିଲେ ମଧ୍ୟ ତାହାର ସ୍ବରୂପରେ ଏଭଳି ପରିବର୍ତ୍ତନ ଅଣାଯିବା ଦରକାର, ଯହିଁରେ ଦେଶ ଅନ୍ତତଃ ବୁଭୁକ୍ଷୁ ଭଳି ପ୍ରତୀତ ହେବ ନାହିଁ!
ଆମ ‌େଦଶରେ ରାଜ୍ୟ ଓ ଜାତୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ୫୦% ରାସନ କାର୍ଡଧାରୀ ମାଗଣାରେ ଉନ୍ନତ ଚିକିତ୍ସା ସୁବିଧା ଲାଭ କରିଥାନ୍ତି। ସତୁରି ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଏହ‌ା ସାର୍ବଜନୀନ, ଯହିଁରେ କୌଣସି ଆୟଗତ ସୀମା ନାହିଁ। ସଂପ୍ରତି ଅତ୍ୟନ୍ତ ବ୍ୟୟବହୁଳ ଅଭିଜାତ ଘରୋଇ ହାସପାତାଲରେ ସାଧାରଣ ନିମ୍ନବିତ୍ତ ଭାରତୀୟମାନେ ସ୍ବଚ୍ଛନ୍ଦରେ ବିଚରଣ କରୁଛନ୍ତି ଓ ଚିକିତ୍ସିତ ହେଉଛନ୍ତି! ପ୍ରାୟ ୭୦ କୋଟି ଲୋକଙ୍କ ସକାଶେ ସ୍ବାସ୍ଥ୍ୟ ବୀମା ଉପଲବ୍‌ଧ କରାଇବା ମଧ୍ୟ ଆମ ଦେଶର ଏକ ବିରଳ ଉପଲବ୍‌ଧି। ଏହାର ଅର୍ଥ ମାଗଣାରେ ଚାଉଳ ଦେଇ ଦେଶ କେବଳ ଦରିଦ୍ରଙ୍କ ପେଟ ପୂରାଇ ଚାଲିଛି ବୋଲି ଧାରଣା ଦୁର୍ବଳ ହେବା ଦରକାର।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button