Editorial: ଲୁହାପଥର ପରିବହନର ନୂଆ ଉପାୟ
ଓଡ଼ିଶାର ଖଣିଜ ସମୃଦ୍ଧ କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଟ୍ରକ ଲୁହାପଥର ପରିବହନ ହେଉଛି। ଭାରତର ସର୍ବାଧିକ ଲୁହାପଥର ଉତ୍ପାଦନକାରୀ ରାଜ୍ୟ ଭାବରେ ଓଡ଼ିଶା ଦେଶର ଇସ୍ପାତ ଶିଳ୍ପର ମେରୁଦଣ୍ଡ ପାଲଟିଛି।

କାରକ ମହାନ୍ତି
ଓଡ଼ିଶାର ଖଣିଜ ସମୃଦ୍ଧ କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଟ୍ରକ ଲୁହାପଥର ପରିବହନ ହେଉଛି। ଭାରତର ସର୍ବାଧିକ ଲୁହାପଥର ଉତ୍ପାଦନକାରୀ ରାଜ୍ୟ ଭାବରେ ଓଡ଼ିଶା ଦେଶର ଇସ୍ପାତ ଶିଳ୍ପର ମେରୁଦଣ୍ଡ ପାଲଟିଛି। କିନ୍ତୁ ସଡ଼କ ପଥରେ ବିପୁଳ ମାତ୍ରାରେ ପରିବହନ ଯୋଗୁଁ ଯୋଡ଼ା-ବଡ଼ବିଲ ଓ କୋଇଡ଼ା ଭଳି ଖଣିଜ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ରାସ୍ତାଘାଟ ଶୀଘ୍ର ନଷ୍ଟ ହେଉଛି। ଟ୍ରକରୁ ବାହାରୁଥିବା ଧୂଳି ଓ ଧୂଆଁ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ, ବଢୁଥିବା ସଡ଼କ ଦୁର୍ଘଟଣା ଓ ଲଜିଷ୍ଟିକ ଖର୍ଚ୍ଚ ଏକ ସ୍ଥାୟୀ ସମାଧାନ ଦାବି କରୁଛି। ଏହି ସମସ୍ୟାର ବିକଳ୍ପ ଓ ସ୍ଥାୟୀ ସମାଧାନ ଭାବରେ ‘ସ୍ଲରି ପାଇପଲାଇନ’ ଜ୍ଞାନକୌଶଳ ଉଭା ହୋଇଛି।
ସ୍ଲରି ପାଇପଲାଇନ ବ୍ୟବସ୍ଥାରେ ଶୁଖିଲା ଲୁହାପଥରକୁ ଟ୍ରକରେ ବୋହିବା ପରିବର୍ତ୍ତେ ଏକ ସମ୍ପୂର୍ଣ୍ଣ ଭିନ୍ନ ଉପାୟ ଅବଲମ୍ବନ କରାଯାଏ। ପ୍ରଥମେ ଖଣି ନିକଟରେ ବେନିଫିସିଏସନ୍ ପ୍ଲାଣ୍ଟ ଜରିଆରେ ଲୁହାପଥରରୁ ଅଦରକାରୀ ମାଟି ଅଲଗା କରି ତାକୁ ଗୁଣ୍ଡ କରାଯାଏ ଏବଂ ପାଣି ସହ ମିଶାଯାଏ। ଏହି ତରଳ କାଦୁଅ ଭଳି ମିଶ୍ରଣକୁ ‘ସ୍ଲରି’ କୁହାଯାଏ। ଏହାପରେ ଶକ୍ତିଶାଳୀ ହାଇ-ପ୍ରେସର ପମ୍ପ ସାହାଯ୍ୟରେ ମୋଟା ଷ୍ଟିଲ୍ ପାଇପଲାଇନ ଦେଇ ଏହାକୁ ଶହ ଶହ କିଲୋମିଟର ଦୂରରେ ଥିବା ପେଲେଟ୍ ପ୍ଲାଣ୍ଟ, କାରଖାନା କିମ୍ବା ଉପକୂଳବର୍ତ୍ତୀ ବନ୍ଦରକୁ ପଠାଯାଏ। ଗନ୍ତବ୍ୟ ସ୍ଥଳରେ ଆଧୁନିକ ଫିଲଟର ସାହାଯ୍ୟରେ ଏଥିରୁ ପାଣିକୁ ଛାଣି ଅଲଗା କରାଯାଏ ଏବଂ ମୂଲ୍ୟବାନ ଲୁହାପଥରକୁ ଇସ୍ପାତ ତିଆରିରେ ବ୍ୟବହାର କରାଯାଏ। ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମ/ଏନଏସ) କମ୍ପାନି ଡାବୁନାରୁ ପାରାଦୀପ (୨୫୩ କିଲୋମିଟର) ଏବଂ ‘ବିଆରପିଏଲ’ କମ୍ପାନି ବଡ଼ବିଲରୁ କଳିଙ୍ଗନଗର (୨୧୨ କିଲୋମିଟର) ପୂର୍ବରୁ ଏହାର ସଫଳ ବ୍ୟବହାର କରୁଥିବାବେଳେ ଏବେ ଜେଏସଡବ୍ଲ୍ୟୁ ଏବଂ ଟାଟା ଷ୍ଟିଲ୍ ଭଳି କମ୍ପାନି ନୂତନ ବିଶାଳ ପାଇପଲାଇନ ପ୍ରକଳ୍ପ ନିର୍ମାଣ ଦିଗରେ ଅଗ୍ରସର ହେଉଛନ୍ତି।
ଏହି ଜ୍ଞାନକୌଶଳର ଅନେକ ଦୃଷ୍ଟାନ୍ତମୂଳକ ଲାଭ ରହିଛି। ପ୍ରଥମତଃ, ଏହା ସଡ଼କ ପଥରୁ ହଜାର ହଜାର ଟ୍ରକ୍ ଚଳାଚଳକୁ ଏକାଥରକେ ହ୍ରାସ କରିଥାଏ। ଏକ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଟ ପାଇପଲାଇନ ବର୍ଷକୁ ଲକ୍ଷ ଲକ୍ଷ ଟ୍ରକ୍ ଟ୍ରିପ୍ ହ୍ରାସ କରିପାରେ, ଫଳରେ କାର୍ବନ ନିର୍ଗମନ ଆଶ୍ଚର୍ଯ୍ୟଜନକ ଭାବେ କମିଯାଏ। ଦ୍ୱିତୀୟତଃ, ପାଇପଲାଇନ ମାଧ୍ୟମରେ ପରିବହନ ଏକ ନିରନ୍ତର ପ୍ରକ୍ରିୟା, ଯାହା ଖରା, ବର୍ଷା, ଟ୍ରାଫିକ ଜାମ ବା ଟ୍ରକ ଧର୍ମଘଟ ଦ୍ବାରା ପ୍ରଭାବିତ ହୁଏ ନାହିଁ। କାରଖାନାଗୁଡ଼ିକୁ ସୁରୁଖୁରୁରେ କଞ୍ଚାମାଲ ମିଳିପାରେ। ଯଦିଓ ଏହି ପ୍ରକଳ୍ପ ନିର୍ମାଣ ଓ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ବିପୁଳ ହୋଇଥାଏ, କିନ୍ତୁ ଦୀର୍ଘମିଆଦି ଭିତ୍ତିରେ ଏହାର ପରିଚାଳନା ଖର୍ଚ୍ଚ ଟ୍ରକ କିମ୍ବା ରେଳ ତୁଳନାରେ ଢେର୍ କମ୍ ହୋଇଥାଏ। ଖଣିଜ ଅଞ୍ଚଳରେ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବାରେ ମଧ୍ୟ ଏହା ସହାୟକ ହେବ।
ତେବେ ଏତେ ସବୁ ଲାଭ ସତ୍ତ୍ୱେ ଏହା କ’ଣ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ? ଏହାର ଉତ୍ତର ସେତେ ସରଳ ନୁହେଁ। ବାୟୁ ପ୍ରଦୂଷଣ କମିଲେ ମଧ୍ୟ ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ବିପୁଳ ଜଳର ଆବଶ୍ୟକତା। ଏକ ଟନ୍ ଲୁହାପଥର ପରିବହନ ପାଇଁ ପାଇପଲାଇନରେ ପ୍ରାୟ ୫୦୦ରୁ ୭୦୦ ଲିଟର ପାଣି ଆବଶ୍ୟକ ହୁଏ। ଯେତେବେଳେ ବାର୍ଷିକ କୋଟି କୋଟି ଟନ୍ ପଥର ଯିବ, ସେତେବେଳେ ପ୍ରଚୁର ଜଳ ନଦୀ ବା ଭୂତଳ ଉତ୍ସରୁ ନେବାକୁ ପଡ଼ିବ। ଯଦି ଏହାର ଉପଯୁକ୍ତ ପରିଚାଳନା କରାଯିବ ନାହିଁ, ତେବେ ଖରାଦିନେ ଉତ୍ତର ଓ ଉପକୂଳ ଓଡ଼ିଶାରେ କୃଷି ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇପାରେ। ସ୍ଥାନୀୟ କୃଷକ ଓ ଶିଳ୍ପ ସଂସ୍ଥା ମଧ୍ୟରେ ଏହା ବିବାଦର କାରଣ ମଧ୍ୟ ପାଲଟିପାରେ।
ଅନ୍ୟ ଏକ ବଡ଼ ଭୟ ହେଉଛି ଜଳ ପ୍ରଦୂଷଣ ଓ ପାଇପଲାଇନ ଲିକେଜ୍। ପାଇପ ଭିତରେ ସ୍ଲରିକୁ ସୁରକ୍ଷିତ ତଥା ତରଳ ରଖିବା ପାଇଁ ଏଥିରେ କିଛି ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯଦି କୌଣସି କାରଣରୁ ଏହି ଉଚ୍ଚ-ଚାପଯୁକ୍ତ ପାଇପ୍ ଫାଟିଯାଏ, ତେବେ ବିଷାକ୍ତ କାଦୁଅ ସ୍ଥାନୀୟ ଚାଷ ଜମି ଓ ଜଳାଶୟକୁ ନଷ୍ଟ କରିଦେବ। ତେଣୁ ଆଧୁନିକ ପ୍ରକଳ୍ପଗୁଡ଼ିକରେ ‘ସୁପରଭାଇଜୋରି କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ’ ଏବଂ ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସେନ୍ସର ବ୍ୟବହାର କରାଯାଉଛି, ଯାହା ଲିକେଜ ହେବା ମାତ୍ରେ ସ୍ୱୟଂଚାଳିତ ଭାବେ ପମ୍ପ ବନ୍ଦ କରିଦେବ। ସେହିପରି ଗନ୍ତବ୍ୟ ସ୍ଥଳରେ ଛଣାଯାଉଥିବା ପାଣିକୁ ବିନା ବିଶୋଧନରେ ନଦୀ କିମ୍ବା ସମୁଦ୍ରକୁ ଛାଡ଼ିବା ବେଆଇନ। ତେଣୁ ବିଶୋଧନାଗାର ତଥା ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) ସ୍ଥାପନ ନିହାତି ଜରୁରି।
ସଂକ୍ଷେପରେ କହିବାକୁ ଗଲେ, ସ୍ଲରି ପାଇପଲାଇନ ଓଡ଼ିଶାର ଖଣିଜ ତଥା ଲଜିଷ୍ଟିକ କ୍ଷେତ୍ର ପାଇଁ ଏକ ଯୁଗାନ୍ତକାରୀ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଆମ ରାସ୍ତାଘାଟକୁ ସୁରକ୍ଷିତ ରଖିବା ସହ ବାୟୁ ପ୍ରଦୂଷଣକୁ ଅନେକ ମାତ୍ରାରେ କମାଇପାରିବ। କିନ୍ତୁ ଏହା ସେତେବେଳେ ଯାଇ ସ୍ଥାୟୀ ବା ପରିବେଶ ଅନୁକୂଳ ବୋଲାଯିବ, ଯେତେବେଳେ ସରକାର ଓ ଶିଳ୍ପ ସଂସ୍ଥାଗୁଡ଼ିକ କଠୋର ଜଳ ପରିଚାଳନା ନୀତି ଆପଣାଇବେ। ବିକଶିତ ରାଷ୍ଟ୍ରମାନଙ୍କ ପରି ‘ରିଟର୍ଣ୍ଣ ୱାଟର ପାଇପଲାଇନ’ ନିର୍ମାଣ କରି ବ୍ୟବହୃତ ପାଣିର ୧୦୦% ପୁନର୍ବ୍ୟବହାର କରାଯିବା ଉଚିତ। ‘ଜିରୋ ଲିକ୍ୱିଡ ଡିସଚାର୍ଜ’ (ଜେଡ୍ଏଲଡି) ନିୟମକୁ କଡ଼ାକଡ଼ି ପାଳନ କରାଗଲେ ଏହି ପ୍ରକଳ୍ପ କେବଳ ଶିଳ୍ପ ନୁହେଁ, ଓଡ଼ିଶାର ସାମଗ୍ରିକ ବିକାଶ ଓ ପରିବେଶ ସୁରକ୍ଷା ପାଇଁ ଏକ ଆଶୀର୍ବାଦ ସାବ୍ୟସ୍ତ ହୋଇପାରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୪୧୪୧୨୧
ସୌଜନ୍ୟ ସମ୍ବାଦ




