ରାଜ୍ୟ

Doctor Shortage: ଓଡ଼ିଶାରେ ଡାକ୍ତରଙ୍କ ମରୁଡ଼ି; ମେଡିକାଲ କଲେଜ ବଢ଼ିଲା, ତଥାପି ଅଭାବ କମିଲାନି, ୬୦% ପଦବି ଖାଲି

ଭୁବନେଶ୍ୱର ୨୩/୧୧ (ଅମନ ଆୟୁଷ୍ମାନ ଦାସ): ଯାଜପୁର ଜିଲ୍ଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୨୯ଟି ପଞ୍ଚାୟତର ଲୋକ ନିର୍ଭରଶୀଳ । ମାତ୍ର ଏଠାରେ ୧୫ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୩ ଜଣ । ୮ଟି ବିଶେଷଜ୍ଞ ପଦବି ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ତେଣୁ ସାଧାରଣ ରୋଗ ପାଇଁ ମଧ୍ୟ ରୋଗୀଙ୍କୁ ୩୦-୪୦ କିିମି ଦୂର ଯାଜପୁର ସଦର ମହକୁମା କିମ୍ବା କଟକ ଯିବାକୁ ପଡ଼ୁଛି ।

ଉପାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତିଙ୍କ ପାଇଁ ବିଶେଷଜ୍ଞ ଡାକ୍ତର ନାହାନ୍ତି । ପ୍ରସୂତି ମହିଳାଙ୍କୁ ୮୦ କିମି ଦୂର ଉମରକୋଟ ହସ୍ପିଟାଲ ଆସିବାକୁ ପଡ଼ୁଛି । କେବଳ ଗ୍ରାମାଞ୍ଚଳ ନୁହେଁ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ରାଉରକେଲା ସରକାରୀ ଡାକ୍ତରଖାନାରେ ବହୁ ସଂଖ୍ୟକ ଡାକ୍ତର ପଦ ଖାଲିପଡ଼ିିଛି । ଭୁବନେଶ୍ୱରର ବିଏମ୍‌ସି ହସ୍ପିଟାଲରେ ଡାକ୍ତରଙ୍କ ସଂଖ୍ୟା ନଗଣ୍ୟ । ଏଠାରେ ୪୧ଟି ଅନୁମୋଦିତ ଡାକ୍ତର ପଦବିରୁ ମାତ୍ର ୯ଜଣ କାର୍ଯ୍ୟ କରୁଛନ୍ତି ।

ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ କହୁଛି, ରାଜ୍ୟରେ ୬୦ ପ୍ରତିଶତ ଡାକ୍ତର ପଦବି ଖାଲି ପଡିଛି । ବର୍ତ୍ତମାନ ମଞ୍ଜୁରୀପ୍ରାପ୍ତ ୧୫ ହଜାର ୭୭୪ ଡାକ୍ତର ପଦବି ମଧ୍ୟରୁ ୯୫୦୩ ଖାଲିପଡ଼ିଛି । ମାତ୍ର ୬୨୭୧ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ଭିତରୁ ୧୧୩୫ ଠିକା ଓ ୫୦୦୩ ଜଣ ହେଲେ ସ୍ଥାୟୀ ଡାକ୍ତର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନଦଣ୍ଡ ଅନୁଯାୟୀ ପ୍ରତି ହଜାରେ ଲୋକଙ୍କୁ ଜଣେ ଡାକ୍ତର ରହିବା କଥା । ଏବେ ଆମ ରାଜ୍ୟରେ ୧୭୬୫ ଜଣଙ୍କୁ ଜଣେ ଡାକ୍ତର କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ନୂଆ ନୁହେଁ । ୨୦୧୬ ମସିହାରେ ରାଜ୍ୟରେ ୪ଟି ସରକାରୀ ଓ ୪ଟି ବେସରକାରୀ ମେଡିକାଲ କଲେଜ ଥିଲା । ପ୍ରତି ବର୍ଷ ଏଠାରୁ ପ୍ରାୟ ହଜାରେ ଏମବିବିଏସ୍ ଡାକ୍ତର ପାଠ ପଢ଼ା ଶେଷ କରି ବାହାରୁଥିଲେ । ଯାହା କି ରାଜ୍ୟର ଆବଶ୍ୟକତାରୁ ଢେର କମ୍ ଥିଲା ।

ଏବେ ୨୦୨୬ ମସିହାରେ ରାଜ୍ୟରେ ୧୫ଟି ସରକାରୀ ମେଡିକାଲ କଲେଜ(ଏମ୍‌କୁ ମିଶାଇ) ରହିଛି । ସେହିପରି ୬ଟି ଘରୋଇ ମେଡିକାଲ କଲେଜ । ପ୍ରତି ବର୍ଷ ୩୦୨୫ ଜଣ ଛାତ୍ରଛାତ୍ରୀ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ସେଥି ମଧ୍ୟରୁ ନୂଆ ଖୋଲିଥିବା କେନ୍ଦୁଝର, ସୁନ୍ଦରଗଡ଼, ଭବାନୀପାଟଣା, ଯାଜପୁର, ଫୁଲବାଣୀ ଓ ତାଳଚେର ମେଡିକାଲ କଲେଜରୁ ପ୍ରଥମ ବ୍ୟାଚ୍ ଏମବିବିଏସ୍ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି । ଅବଶିଷ୍ଟ କଲେଜରୁ ଚଳିତ ୨୦୨୬ ମସିହାରେ ପ୍ରାୟ ଦୁଇ ହଜାର ଏମବିବିଏସ୍ ଡାକ୍ତର ପାଠ ଶେଷ କରିନ୍ତି ।

ଅର୍ଥାତ ୧୦ ବର୍ଷରେ ରାଜ୍ୟରେ ଦୁଇ ଗୁଣ ଅଧିକ ଡାକ୍ତର ବାହାରୁଛନ୍ତି । କିନ୍ତୁ ବିଭିନ୍ନ କାରଣରୁ ସମସ୍ତେ ସରକାରୀ ନିଯୁକ୍ତି ପ୍ରତି ଆଗଭର ହେଉନାହାନ୍ତି । କିଛି ଡାକ୍ତର ସ୍ନାତକୋତ୍ତର ଶିକ୍ଷା(ପିଜି) କରୁଥିବା ବେଳେ ଅନେକ ଘରୋଇ କ୍ଷେତ୍ରରେ ନିଯୁକ୍ତିକୁ ପସନ୍ଦ କରୁଛନ୍ତି । ଫଳରେ ସରକାରୀ ସ୍ତରରେ ସମସ୍ୟା ଯେଉଁଠି ଥିଲା ସେଇଠି ଅଟକି ଯାଇଛି ।

ଓପିଏସ୍‌ସି ପକ୍ଷରୁ ୨୦୨୫ ଜୁନ୍ ମାସରେ ୫୨୪୮ ଡାକ୍ତର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାରେ ୧୮୪୦ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ସାର୍ଟିଫିକେଟ୍ ଯାଞ୍ଚ ପରେ ୧୭ ଶହ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା କାଏମ ରହିଥିଲା । ମାତ୍ର ହାଇକୋର୍ଟରେ ମାମଲା ପରେ ନିଯୁକ୍ତି ପ୍ରକ୍ରିୟା ଅଟକିଥିଲା । କୋର୍ଟ ଦେଇଥିବା ରାୟରେ ୫୦% ପଦବି (ସାଧାରଣ ଓ ସଂରକ୍ଷିତ)ରେ ନିଯୁକ୍ତି ଦିଆଯିବ ଓ ପରବର୍ତ୍ତୀ ସମୟରେ ବଳକା ୫୦% ନିଯୁକ୍ତି ପାଇବେ ।

ଏହି ଭିତ୍ତିରେ ଓପିଏସ୍‌ସି ପକ୍ଷରୁ ୮୨୨ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା । ନିକଟରେ ସେହି ୮୨୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ହେଲେ ସେମାନଙ୍କ ମଧ୍ୟରୁ ୬୦୦ ଜଣ ସ୍ନାତକୋତ୍ତର (ପିଜି) ପାଠ ପଢ଼ୁଛନ୍ତି । ପ୍ରାୟ ୨୨୨ ଜଣ ଡାକ୍ତର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇ କାର୍ଯ୍ୟ କରୁଛନ୍ତି ।

ରାଜ୍ୟରେ ୫୨୪୮ ଡାକ୍ତର ପଦ ପୂରଣ ପାଇଁ ରାଜ୍ୟ ସରକାର ଗତବର୍ଷ ଓପିଏସସିକୁ ଚିଠି ଲେଖିଥିଲେ । ହେଲେ କୋର୍ଟରେ ଏବେ ମାମଲା ଗଡ଼ୁଥିବାରୁ ନିଯୁକ୍ତି ଆଗେଇ ପାରୁନଥିବା ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମ୍ସା) କହିଛି । ଓମ୍ସା ସଭାପତି ଡା. କିଶୋର ମିଶ୍ର କହିଛନ୍ତି, ରାଜ୍ୟରେ ଯେଭଳି ନୂଆ ମେଡିକାଲ କଲେଜ ଖୋଲୁଛି, ପ୍ରତିବର୍ଷ ଡାକ୍ତର ନିଯୁକ୍ତି ହେବା କଥା । ହେଲେ ପାଠ ପଢ଼ି ସାରିବା ପରେ ଏମବିବିଏସ୍ ଗ୍ରାଜୁଏଟମାନଙ୍କୁ ଉପେକ୍ଷା କରାଯାଉଛି । ସରକାର କେବଳ ୮୨୨ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି କହୁଛନ୍ତି । ବାକି ୧୦୧୮ ଜଣ ଡାକ୍ତର ଏବେ ମଧ୍ୟ ହାତ ବାନ୍ଧି ବସିଛନ୍ତି।

କେବଳ ସେତିକି ନୁହେଁ, ସରକାରୀ ନିଯୁକ୍ତି ମିଳିବା ପରେ ମଧ୍ୟ ବହୁ ସଂଖ୍ୟକ ଡାକ୍ତର କାର୍ଯ୍ୟରେ ଯୋଗ ଦେଉନାହାନ୍ତି କିମ୍ବା ଲମ୍ବା ଛୁଟିରେ ଯାଉଛନ୍ତି । ଉପାନ୍ତ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଅଭାବ ଏହାର ପ୍ରମୁଖ କାରଣ । ଘରୋଇ ଡାକ୍ତରଖାନାରେ ଯେଭଳି ଦରମା ଓ ସୁରକ୍ଷା ମିଳୁଛି ସରକାରୀ ନିଯୁକ୍ତିରେ ଏହାର ଅଧା ମଧ୍ୟ ମିଳୁନି । ତେଣୁ ରାଜ୍ୟରେ ନୂଆ ଏମବିବିଏସ୍ ଗ୍ରାଜୁଏଟମାନେ ରାଜ୍ୟ ଭିତରେ ଓ ବାହାରେ ଘରୋଇ ନିଯୁକ୍ତିକୁ ଅଧିକ ପସନ୍ଦ କରୁଛନ୍ତି । ଏ କ୍ଷେତ୍ରରେ ରାଜ୍ୟ ସରକାରୀ ଅଧିକ ଦରମା ଓ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନୀତି ପ୍ରଣୟନ ପାଇଁ ଆଗଭର ହେବା ଉଚିତ ବୋଲି ଓମ୍ସା ପକ୍ଷର ଦାବି କରାଯାଇଛି ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button