ରାଜ୍ୟ

ବିଧାନସଭା ଶୀତ ଅଧିବେଶନ: ଆଜି ଗୃହ କାର୍ଯ୍ୟରେ ଭାଗ ନେବାକୁ ବିଜେଡି ରାଜି, ସକାଳେ ରଣନୀତି ଚୂଡ଼ାନ୍ତ କରିବ କଂଗ୍ରେସ

ଭୁବନେଶ୍ୱର,୨୩/୧୧: ଆଜି ବିଧାନସଭା ଶୀତ ଅଧିବେଶନରେ  ଉଠିଥିବା ଝଡ଼ ଥମିପାରେ । ବିରୋଧୀ ଦଳ ଗୃହ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।  ବିଜେଡି ଏ ନେଇ ସହମତ ହୋଇଥିବାବେଳେ କଂଗ୍ରେସର  ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି । ଦଳ ସୋମବାର ସକାଳେ ଏ ନେଇ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।

୧୮ ତାରିଖରୁ ବିଧାନସଭା  ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ହିଁ ବିରୋଧୀ ଦଳ  ବନ୍ୟା ଓ କୋଟିଆ ପ୍ରସଙ୍ଗ ନେଇ  ହଙ୍ଗାମା ଆରମ୍ଭ କରିଥିଲେ ।  ବନ୍ୟା ମୁକାବିଲାରେ ସରକାରଙ୍କ  ବିଫଳତାକୁ ପ୍ରସଙ୍ଗ କରି ବିଜେଡି  ଲଗାତାର ନାରାବାଜି ଚଳାଇଥିଲା । ସେହିପରି କୋଟିଆ ପ୍ରସଙ୍ଗକୁ ନେଇ  କଂଗ୍ରେସ ପ୍ରତିଦିନ ହଟ୍ଟଗୋଳ ଜାରି  ରଖିଥିଲା । ତେଣୁ ୧୮ରୁ ୨୦ ତାରିଖ  ପର୍ଯ୍ୟନ୍ତ କୌଣସି ଦିନ ଗୃହ କାର୍ଯ୍ୟ  ସ୍ୱାଭାବିକ ହୋଇପାରିନଥିଲା । ୨୧  ଓ ୨୨ ତାରିଖ ଗୃହ କାର୍ଯ୍ୟ ବନ୍ଦ  ଥିବାବେଳେ ସୋମବାର ପୁଣି  ବିଧାନସଭା ଗୃହ କାର୍ଯ୍ୟ ଚାଲିବ ।  ସର୍ବଦଳୀୟ ବୈଠକର ଆଲୋଚନା  ଅନୁସାରେ ସୋମବାରଠାରୁ ଗୃହ  କାର୍ଯ୍ୟ ସ୍ୱାଭାବିକ ରହିବ ବୋଲି  ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ  ମହାଲିଙ୍ଗ ଗତକାଲି ଆଶା ବ୍ୟକ୍ତ  କରିଥିଲେ ।

ବିରୋଧୀ ଦଳ ଉପନେତା ପ୍ରସନ୍ନ  ଆଚାର୍ଯ୍ୟ କହିଛନ୍ତି, ସମସ୍ତେ ଚାହୁଁଛନ୍ତି  ଗୃହ କାର୍ଯ୍ୟ ସ୍ୱାଭାବିକ ହେଉ । ତେଣୁ  ବିଜେଡି ଗୃହ କାର୍ଯ୍ୟରେ ସହଯୋଗ  କରିବାକୁ ପ୍ରସ୍ତୁତ । ରାଜସ୍ୱ ବିଭାଗର  ଖର୍ଚ୍ଚ ଦାବି ଆଲୋଚନାବେଳେ  ନିଶ୍ଚିତ ଭାବେ ତେବେ ବନ୍ୟା  ପ୍ରସଙ୍ଗ ଆଲୋଚନା କରାଯିବ । ମାତ୍ର  କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଏ  ନେଇ କୌଣସି ନିଷ୍ପତ୍ତି ସାବର୍ଜନୀନ  କରାଯାଇନାହିଁ । କୋଟିଆ ପ୍ରସଙ୍ଗରେ  ଆଲୋଚନା ଦାବି ନେଇ କଂଗ୍ରେସ  ଅଟଳ ରହିଛି । ଏ ନେଇ କଂଗ୍ରେସ   ବିଧାୟକ ଦଳ ନେତା ରାମଚନ୍ଦ୍ର  କାଡାମ କହିଛନ୍ତି, ସୋମବାର ସକାଳ  ୯ଟା ୩୦ରେ କଂଗ୍ରେସ ବିଧାୟକ  ଦଳ ବୈଠକ ବସିବ । ଏଥିରେ  ଆଗାମୀ ରଣନୀତି ସ୍ଥିର କରାଯିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button