Number Plate; ଫାଇନ୍ ଆଦାୟରେ ସଫଳ, ଗାଡ଼ି ଚୋରି ରୋକିବାରେ ବିଫଳ ଏଚ୍ଏସ୍ଆରପି, ଅପରାଧୀଙ୍କ ଉପରେ ଲଗାମ ନାହିଁ…

ଭୁବନେଶ୍ୱର,୨୩/୧୧ (ଦିଲ୍ଲୀପ କୁମାର ରାଉତ): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ବ୍ୟବସ୍ଥାକୁ ୭ ବର୍ଷ ବିତି ଗଲାଣି । ହେଲେ ଯେଉଁଥି ପାଇଁ ଏହା ଲାଗୁ ହୋଇଥିଲା ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ । ନମ୍ବର ଲଗାଇବା ପାଇଁ ଲୋକମାନେ ନାକେଦମ ହେଲେ । ଲଗାଇବା ବିଳମ୍ବ ହେବାରୁ ଫାଇନ୍ ବି ଗଣିଲେ । ହେଲେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପରେ ଅପରାଧ କମିବା ବଦଳରେ ବଢ଼ିଛି ବୋଲି ପୁଲିସ୍ ରିପୋର୍ଟ କହୁଛି ।
ଏହି ସ୍ୱତନ୍ତ୍ର ନମ୍ୱର ପ୍ଲେଟ୍, ଗାଡ଼ିର ସୁରକ୍ଷା ଓ ଚୋରି ରୋକିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଦ୍ୱାରା ବାଧ୍ୟତାମୂଳକ କରାଯାଇଥିଲା । ୧ ଏପ୍ରିଲ ୨୦୧୯ ପୂର୍ବରୁ କିଣାଯାଇଥିବା ସମସ୍ତ ପୁରୁଣା ଗାଡ଼ି (କାର୍, ବାଇକ୍, ଟ୍ରକ୍ ଇତ୍ୟାଦି) ପାଇଁ ଏହା ଲଗାଇବା ଆଇନଗତ ଭାବେ ନିଶ୍ଚିତ କରାଯାଇଥିଲା । ସାଧାରଣ ନମ୍ୱର ପ୍ଲେଟ୍ ସହଜରେ ବଦଳାଇ ବେଆଇନ କାମ କିମ୍ୱା ଚୋରି ଗାଡ଼ି ବିକ୍ରି କରାଯାଉଥିଲା । ଅନେକ ସମୟରେ ଅପରାଧୀମାନେ ନକଲି ନମ୍ୱର ପ୍ଲେଟ୍ ଲଗାଇ ଅପରାଧ ମଧ୍ୟ କରୁଥିଲେ । ଯାହାକୁ ଧରିବା ପୁଲିସ୍ ପାଇଁ କଷ୍ଟକର ହେଉଥିଲା । ସାରା ଦେଶର ସମସ୍ତ ଗାଡ଼ିର ତଥ୍ୟ ‘ବାହାନ’ପୋର୍ଟାଲ୍ ସହ ଯୋଡ଼ିବା ପାଇଁ ମଧ୍ୟ ଏହାର ଲକ୍ଷ୍ୟ ଥିଲା । ଅପରାଧ ରୋକି ହେବ ବୋଲି କୁହାଯାଉଥିଲା । ହେଲେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିବା ପରେ ବାଇକ୍ ଚୋରି ରାଜ୍ୟରେ ବଢ଼ିଥିବା ପୁଲିସ୍ ରିପୋର୍ଟ କହୁଛି ।
୨୦୧୮-୧୯ରେ ରାଜ୍ୟରୁ ୬ ହଜାର ୭୮୦ଟି ଗାଡ଼ି ଚୋରି ହୋଇଥିବା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିବା ପରେ ଅର୍ଥାତ ୨୦୧୯ ଏପ୍ରିଲ୍ ୧ରୁ ୨୦୨୦ ମାର୍ଚ୍ଚ ୩୦ ମଧ୍ୟରେ ବାଇକ୍ ଗାଡ଼ି ଚୋରି ସଂଖ୍ୟା ୮ ହଜାର ୨୩୧ରେ ପହଞ୍ଚିଥିଲା । ସର୍ବାଧିକ ଚୋରି ବାଇକ୍ର ହୋଇଥିଲା । କରୋନା ସମୟରେ ୩୧% ବାଇକ୍ ଚୋରି କମିଥିଲା । ହେଲେ ୨୦୨୩ ମସିହାରୁ ଠାରୁ ଗାଡ଼ି ଚୋରି ୧୦ରୁ ୧୫ % ବଢ଼ିଛି ।
ନମ୍ୱର ପ୍ଲେଟ୍ରେ ଏକ ନୀଳ ରଙ୍ଗର ‘ଆଇଏନ୍ଡି’ କ୍ରୋମିୟମ୍ ହୋଲୋଗ୍ରାମ୍ ଥାଏ, ଯାହା ନକଲ କରିବା ଅସମ୍ଭବ । ଲେଜର କୋଡ୍ (ପିଏନ୍ଆଇ) ପ୍ରତ୍ୟେକ ଏଚ୍ଆରପିସିରେ ୧୦-ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ଲେଜର ସିରିଏଲ୍ ନମ୍ୱର ଥାଏ । ଏହା ଗାଡ଼ିର ଇଞ୍ଜିନ୍ ଓ ଚେସିସ୍ ନମ୍ୱର ସହ ସଂଯୁକ୍ତ । ଏହି ପ୍ଲେଟ୍ ସ୍ୱତନ୍ତ୍ର, ପୁନଃ-ବ୍ୟବହାରଯାଗ୍ୟ ନୁହେଁ । ଏହାକୁ ସ୍ନାପ୍ ଲକ୍ ମାଧ୍ୟମରେ ଲଗାଯାଏ । ଥରେ ଭାଙ୍ଗିଲେ କିମ୍ୱା ଖୋଲିଲେ ଏହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ ନାହିଁ । ଏଥିରେ ଥିବା ରେଫ୍ଲେକ୍ଟିଭ୍ ସିଟ୍ ଯୋଗୁଁ ରାସ୍ତାରେ ଥିବା ସିସିଟିଭି ଓ ସ୍ୱୟଂଚାଳିତ ନମ୍ୱର ପ୍ଲେଟ୍ ଚିହ୍ନଟକରଣ (ଏଏନ୍ପିଆର) କ୍ୟାମେରା ରାତିରେ ମଧ୍ୟ ନମ୍ୱର ସହଜରେ ପଢ଼ିପାରେ ।
ସୌଜନ୍ୟ ପ୍ରମେୟ




