Human Interest story : ଶେଷଯାତ୍ରାର ସାଥୀ ଗଦାଧର, ୧୦ ବର୍ଷ ଧରି ମୃତକଙ୍କ ଘରକୁ ବୋହୁଛନ୍ତି ଶବ

ଗୁଣପୁର, ୨୩/୧୧ (ଜନାର୍ଦ୍ଦନ ମହାପାତ୍ର) : ରାସ୍ତାରେ ଦୁର୍ଘଟଣା ଘଟୁଛି । ଜୀବନ ଚାଲିଯାଉଛି । ଅଜଣା ଲୋକଙ୍କ ମୃତଦେହ ଅଲୋଡ଼ା ହୋଇ ପଡ଼ୁଛି । ଦୁର୍ଘଟଣାରେ ଗୁରୁତର ହୋଇ ଆସୁଥିବା ଅନେକ ମଧ୍ୟ ମେଡିକାଲରେ ଆଖି ବୁଜି ଦେଉଛନ୍ତି । ଏହି ଅଜଣା ମୃତଦେହ ହେଉ କି ମେଡିକାଲରେ କାହାରି କୌଣସି କାରଣରୁ ମୃତ୍ୟୁ ହେଲେ ଖୋଜା ପଡ଼ନ୍ତି ପଦ୍ମପୁର ସଦର ମହକୁମାର ସ୍ୱେଚ୍ଛାସେବୀ ତଥା ଗୃହରକ୍ଷୀ ଗଦାଧର ସାହୁ (୫୫ ବର୍ଷ) । ମୃତଦେହ ମେଡିକାଲ ନେବା ହେଉ କି ମେଡିକାଲରୁ ଶବ ଶ୍ମଶାନ ଅବା ମୃତକଙ୍କ ଘରକୁ ନେଇଯାଆନ୍ତି ଗଦାଧର । ତାହା ପୁଣି ମାଗଣାରେ । ଟଙ୍କାଟିଏ କାହାଠାରୁ ଆଜି ଯାଏ ନେଇନାହାନ୍ତି । ୧୦ ବର୍ଷ ଧରି ସେ ଏଭଳି ଏକ ମହତ କାମ ଜାରି ରଖିଛନ୍ତି । ତାଙ୍କର ଏଭଳି ସ୍ୱେଚ୍ଛାକୃତ ସେବା ମନୋବୃତ୍ତି ପାଇଁ ଶବ ଶେଷଯାତ୍ରାର ସେ ଚିରସାଥୀ ଭାବେ ପରିଚିତ ।
ମୃତ୍ୟୁ ପରେ ଅନେକ ଗରିବ ପରିବାର ପାଇଁ ପ୍ରିୟଜନଙ୍କ ଶବ ଘରକୁ ନେବା ସମସ୍ୟା ପାଲଟିଥାଏ । ଏଭଳି ମୁହୂର୍ତ୍ତରେ ଦେବଦୂତ ସାଜି ପହଞ୍ଚୁଛନ୍ତି ଗଦାଧର । ନା ଟଙ୍କାର ଲୋଭ, ନା ପୁରସ୍କାରର ଆଶା । କେବଳ ମାନବିକତାକୁ ପାଥେୟ କରି ଏଭଳି ନିଃସ୍ୱାର୍ଥପର ସେବା ଜାରି ରଖିଛନ୍ତି । କେବେକେବେ ଦିନକୁ ୨/୩ଟି ଶବ ବୋହୁଥିବାବେଳେ ପ୍ରତିମାସରେ ୧୦/୧୨ଟି ଶବ ବୋହୁଛନ୍ତି । ୧୦ ବର୍ଷ ଭିତରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୁଣପୁର ଉପଖଣ୍ଡସ୍ତରୀୟ ମେଡିକାଲ ଏବଂ ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ମୃତ୍ୟୁ ପରେ ପ୍ରାୟ ୧୨୦୦ରୁ ଅଧିକ ଶବ ମାଗଣାରେ ମୃତକଙ୍କ ଘରେ ପହଞ୍ଚାଇଛନ୍ତି ବୋଲି ଗଦାଧର କହିଛନ୍ତି ।
ଗଦାଧରଙ୍କ ଘର ରାୟଗଡ଼ା ଜିଲ୍ଲା ପଦ୍ମପୁର ସଦର ମହକୁମାରେ । ପେସାରେ ସେ ଗୃହରକ୍ଷୀ । ନିଶା କିନ୍ତୁ ମାନବସେବା । ପୁଲିସ୍ ବିଭାଗରେ ଦୀର୍ଘ ୨୫ ବର୍ଷ ହେଲା ସେ ଡ୍ରାଇଭର ଭାବେ କାର୍ଯ୍ୟରତ । ସେ କହିଛନ୍ତି, ପୁଲିସ୍ ବିଭାଗରେ ଥିବାରୁ ଅନେକ ଦୁର୍ଘଟଣା, ଆତ୍ମହତ୍ୟା ଓ ଅସ୍ୱାଭାବିକ ମୃତ୍ୟୁ ଦେଖିଛନ୍ତି । ପ୍ରାୟ ୧୦ ବର୍ଷ ତଳର ଏକ ଘଟଣା ତାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା । ଦିନେ ଡାକ୍ତରଖାନା ବାହାରେ ଜଣେ ବ୍ୟକ୍ତି ଠିଆ ହୋଇଥିଲେ । ନିଜ ସମ୍ପର୍କୀୟଙ୍କ ମୃତଦେହକୁ ଗାଁକୁ ନେବାକୁ ଗାଡ଼ି ଖୋଜୁଥିଲେ । ଭଡ଼ା ଦେବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଲୁହ ଓ ଅସହାୟତା ତାଙ୍କୁ ଗଭୀର ଭାବେ ଛୁଇଁଥିଲା । ସେଦିନ ନିଷ୍ପତ୍ତି ନେଇଥିଲେ, ଅସହାୟ ପରିବାରକୁ ସହଯୋଗ କରିବେ । ମୃତକଙ୍କ ଶେଷଯାତ୍ରାର ସାଥୀ ହେବେ । ମାଗଣାରେ ସେବା ଯୋଗାଇବାକୁ ପଣ କରିଥିଲେ । ଏଥିରେ ସହଯୋଗ କରିଥିଲେ ସମାଜସେବୀ ସଞ୍ଜୟ ସାହୁ । ଏକ ହର୍ସଭ୍ୟାନ୍ କିଣି ପରିଚାଳନା ଦାୟିତ୍ୱ ଗଦାଧରଙ୍କୁ ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅଭିଯାନ ।
ସୌଜନ୍ୟ ପ୍ରମେୟ




