Odisha Transport Department: ପରିବହନ ମନ୍ତ୍ରାଳୟର ଜରିମାନା ଭେଳିକି; ଅନ୍ୟ ରାଜ୍ୟରେ ବିନା ଝିଞ୍ଜଟ୍ରେ DL ଠାରୁ PUCC ସବୁ ସମ୍ଭବ

କଟକ,୨୪/୧୧ (ଜଗନ୍ନାଥ ରାଉତ): ପୂର୍ବରୁ ଯଦି ଚାଲାଣ ଅର୍ଥ ପଇଠ ନ ହୋଇଛି ତେବେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ମିଳିପାରିବ ନାହିଁ । ଗାଡ଼ିର ଫିଟ୍ନେସ୍ ହେବ ଅଟୋମେଟେଡ୍ ଟେଷ୍ଟିଂ ସେଣ୍ଟର (ଏଟିଏସ୍)ରେ । ଡ୍ରାଇଭିଂ ଲାଇସେନ୍ସ ମିଳିବ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରରେ । ହେଭି ଲାଇସେନ୍ସ ଗୋଟେ ମାସ ଟ୍ରେନିଂ ପରେ ଦିଆଯିବ । ହେଭିଂ ଲାଇସେନ୍ସର ନବୀକରଣ ପାଇଁ ବି ୩ ଦିନର ଟ୍ରେନିଂ ନେବାକୁ ପଡ଼ିବ । ବସ୍ର ଚେଚିସ୍ ଯଦି ଠିକ୍ ନାହିଁ ତାହେଲେ ଗାଡ଼ି ପଞ୍ଜୀକରଣ ହୋଇପାରିବ ନାହିଁ । ପରିବହନ ସଂପର୍କିତ ଏହି ସବୁ କଟକଣା କେବଳ ଓଡ଼ିଶାରେ ଲାଗୁ । ଓଡ଼ିଶାର ଜନସାଧାରଣ ପରିବହନ ବିଭାଗର ଏହି କଟକଣାରେ ଛନ୍ଦି ହୋଇ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଗଣୁଛନ୍ତି । କେନ୍ଦ୍ର ସରକାରଙ୍କ ସବୁ କଟକଣା ଓଡ଼ିଶାରେ ହିଁ ଲାଗୁ କରାଯାଉଛି । କିନ୍ତୁ ବାହାର ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅଧିକାଂଶ କଟକଣା ଲାଗୁ କରାଯାଇନାହିଁ । ଯେଉଁ କାମ ପାଇଁ ଓଡ଼ିଶାରେ ଗାଡ଼ି ମାଲିକ ନୟାନ୍ତ ହେଉଛନ୍ତି ସେହି କାମ ବାହାର ରାଜ୍ୟରେ ବିନା କୌଣସି ସମସ୍ୟାରେ ହୋଇପାରୁଛି ।
କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏଭଳି କଟକଣା, ନିୟମ କ’ଣ ଓଡ଼ିଶା ଲୋକଙ୍କ ପାଇଁ ବୋଲି ପ୍ରଶ୍ନ ଉଠୁଛି । କିନ୍ତୁ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲଙ୍ଗାନା ଆଦି ବାହାର ରାଜ୍ୟରେ ବିନା କଟକଣାରେ ଲାଇସେନ୍ସଠାରୁ ଆରମ୍ଭ କରି ଗାଡ଼ିର ଫିଟ୍ନେସ୍ ଏବଂ ନୂତନ ଗାଡ଼ିର ପଞ୍ଜୀକରଣ ସବୁ ହୋଇପାରୁଛି । ଯଦି ବାହାର ରାଜ୍ୟରେ ସବୁ ସମ୍ଭବ ହୋଇପାରୁଛି ତାହେଲେ ଓଡ଼ିଶା ତଥା ଓଡ଼ିଶା ଲୋକଙ୍କ ପାଇଁ କ’ଣ ଲାଗି ଏତେ କଟକଣା? କେନ୍ଦ୍ର ସରକାରଙ୍କ ନିୟମ କାହିଁକି ଦୁଇ ପ୍ରକାର କାର୍ଯ୍ୟକାରୀ ହେଉଛି ବୋଲି ପ୍ରଶ୍ନ ଉଠୁଛି । ରାଜ୍ୟ ପରିବହନ ବିଭାଗର କିଛି ଅଧିକାରୀଙ୍କ ମନମାନି ତଥା ଏହିଭଳି କଟକଣା ଲାଗୁ ପାଇଁ ରାଜ୍ୟବାସୀ ଶୋଷଣରେ ଶିକାର ହେବା ସହ ଅଯଥାରେ ହନ୍ତସନ୍ତ ହେଉଛନ୍ତି ।
କେନ୍ଦ୍ର ପରିବହନ ମନ୍ତ୍ରାଳୟ ହେଉ ଅବା ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ଆଳ ଦେଖାଇ ଓଡ଼ିଶାରେ ଗାଡ଼ି ପଞ୍ଜୀକରଣ ଠାରୁ ଆରମ୍ଭ କରି ଲାଇସେନ୍ସ ପ୍ରଦାନ ସବୁକ୍ଷେତ୍ରରେ କଟକଣା ତଥା ନିୟମକୁ ଜୋର୍ଦାର୍ ଲାଗୁ କରାଯାଇଛି । ଲାଇସେନ୍ସ ପ୍ରଦାନ ଲାଗି ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଆରଟିଓରେ ‘ଏଡିଟିଏସ୍’ ଖୋଲାଯାଇଛି । ଅର୍ଥାତ ସମ୍ପୂର୍ଣ୍ଣ ଭାବେ ଅଟୋମେଟେଡ୍ କ୍ୟାମେରା ସଂଯୁକ୍ତ କେନ୍ଦ୍ର । ଓଡ଼ିଶା ପରିବହନ ବିଭାଗ ଅଧିକାରୀଙ୍କ ଯୁକ୍ତି ହେଉଛି ଏଭଳି କେନ୍ଦ୍ର କୁଆଡ଼େ ଆମେରିକା, ଲଣ୍ଡନ ଭଳି ଦେଶରେ ରହିଛି । ସେହି ବ୍ୟବସ୍ଥା ଆମର ଏଠି ଲାଗୁ କରାଯାଇଛି । ଓଡ଼ିଶାକୁ ଆମେରିକା, ଲଣ୍ଡନ ସହିତ ତୁଳନା କରିବା କେତେଦୂର ଗ୍ରହଣୀୟ ତାହା ବିଚାର୍ଯ୍ୟ । ସେହିପରି ଏଠାରେ ଯଦି କେହି ପରୀକ୍ଷାମୂଳକ ଭାବେ ଗାଡ଼ି ଚଳାଇବା ପାଇଁ ଚାହିଁବେ ତାହେଲେ ଅର୍ଥ ଜମା କରିବାକୁ ପଡ଼ିବ । ଯେତେଥର ଗାଡ଼ି ଚଳାଇବେ ସେତେଥର ଟଙ୍କା ଜମା କରିବାକୁ ପଡ଼ିବ । କିନ୍ତୁ ଆମ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏଭଳି ବ୍ୟବସ୍ଥା ନାହିଁ । ବିନା ଝିନ୍ଝଟ୍ରେ ଲୋକଙ୍କୁ ଡିଏଲ୍ ମିଳୁଛି । ହେଭି ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଓଡ଼ିଶାରେ ନାହିଁ ନଥିବା ନିୟମ । ଯଦି କେହି ହେଭି ଲାଇସେନ୍ସ ପାଇଁ ଆବେଦନ କରିବେ ତାଙ୍କୁ ଚଣ୍ଡିଖୋଲରେ ଥିବା ଏକ ଟ୍ରେନିଂ ସେଣ୍ଟରରେ ଗୋଟେ ମାସ ଟ୍ରେନିଂ ନେବାକୁ ପଡ଼ିବ । ପରେ ପରୀକ୍ଷା ଦେବେ । ଯଦି କୃତକାର୍ଯ୍ୟ ହେବେ ତାହେଲେ ଲାଇସେନ୍ସ ପାଇବେ । ଯଦି କେହି ହେଭି ଲାଇସେନ୍ସ ଧାରୀ ତାଙ୍କ ଲାଇସେନ୍ସର ନବୀକରଣ କରିବାକୁ ଚାହୁଁଥିବେ ତାଙ୍କୁ ପୁଣି ଥରେ ତିନିଦିନ ସେହି କେନ୍ଦ୍ରରେ ରହି ତାଲିମ୍ ନେବାକୁ ପଡ଼ିବ । ତାପରେ ଯାଇ ଲାଇସେନ୍ସ ଦିଆଯିବ । କିନ୍ତୁ ପଡ଼ୋଶୀ ରାଜ୍ୟରେ ହେଭି ଲାଇସେନ୍ସ ସହଜରେ ମିଳିଯାଉଛି ।
ସେହିପରି ଜରିମାନା ବାକି ଥିଲେ ଓଡ଼ିଶାରେ ପିୟୁସିସି ହୋଇପାରିବ ନାହିଁ । କିନ୍ତୁ ଜରିମାନା ଥିବା ଓଡ଼ିଶାର ଗାଡ଼ି ପାଇଁ ବାହାର ରାଜ୍ୟରୁ ବିନା କୌଣସି ଯାଞ୍ଚ୍ରେ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ୍ ପାଇପାରୁଛନ୍ତି । କୌଣସି ନୂଆ ଗାଡ଼ି ବିଶେଷକରି ବସ୍ଗୁଡ଼ିକର ଚେଚିସ୍ ପାଇଁ ମଧ୍ୟ ନିୟମକୁ ଜୋର୍ଦାର୍ ଧରି ରଖାଯାଇଛି । ଯଦି ନିୟମ ଭିତରେ ଚେଚିସ୍ ନିର୍ମାଣ ହୋଇନଥିବ ତାହେଲେ ଉକ୍ତ ବସ୍ର ପଞ୍ଜୀକରଣ କରାଯାଉ ନାହିଁ । ଫଳରେ ଅନେକ ବସ୍ ବାହାର ରାଜ୍ୟରେ ପଞ୍ଜୀକରଣ କରି ଅଣାଯାଉଛି । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏତେ କଟକଣା ଲାଗୁ କରାଯାଇଥିବା ନେଇ ରାଜ୍ୟ ପରିବହନ ବିଭାଗ ଦାବି କରୁଛି । କିନ୍ତୁ ବାସ୍ତବ ତଥ୍ୟ ହେଉଛି ରାଜ୍ୟରେ ଦୁର୍ଘଟଣାରେ ପ୍ରତିବର୍ଷ ବଢ଼ିବାରେ ଲାଗିଛି । ତେଣୁ ଓଡ଼ିଶାର ଏଭଳି ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ଅପରପକ୍ଷରେ କେଇ ବର୍ଷ ତଳେ ରାଜ୍ୟରେ ଆରମ୍ଭ ହୋଇଥିଲା ଏସଆରଏସପି(ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ ପ୍ଲେଟ୍) ଭେଳିକି । ଆରଟିଓ ଓ ସୋ-ରୁମ ସାମନାରେ ଲାଗିଲା ହଜାର ହଜାର ଲୋକଙ୍କ ଗହଳି । ଲୋକେ ହେଲେ ନାକେଦମ୍ । କିନ୍ତୁ ବାସ୍ତବରେ ସେ ସମୟରେ କୌଣସି ରାଜ୍ୟରେ ଏ ନିୟମ ଲାଗୁ ହୋଇ ନଥିଲା । ଓଡ଼ିଶାର ଲୋକମାନେ ଯେପରି ଏକ ପରୀକ୍ଷାଗାର, ସେହିଭଳି ଏହାକୁ ଲାଗୁ କରାଯାଇଥିଲା । ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଯୁକ୍ତି ହେଉଛି, କେନ୍ଦ୍ର ପରିବହନ ମନ୍ତ୍ରାଳୟ ଏବଂ ସୁପ୍ରିମ୍କୋର୍ଟଙ୍କ ଆଦେଶକୁ ସେମାନେ କେବଳ କାର୍ଯ୍ୟ କରୁଛନ୍ତି । କିନ୍ତୁ ଅନ୍ୟ ରାଜ୍ୟ କ୍ଷେତ୍ରରେ ଏହା କିଭଳି ଅଲଗା ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ବାସ୍ତବ କଥା ହେଉଛି କିଛି ଅଧିକାରୀ କେନ୍ଦ୍ର ସରକାରଙ୍କ ନିୟମ କାର୍ଯ୍ୟକାରୀ କରିବା ଆଳରେ ବିଭିନ୍ନ ଘରୋଇ ସଂସ୍ଥାକୁ ନିୟୋଜିତ କରି ନିଜ ହାତ ଚିକ୍କଣ କରୁଛନ୍ତି ବୋଲି ଅଭିଯୋଗ ଉଠୁଛି । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ଅତିରିକ୍ତ କମିସନର ସମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, ନିୟମ ମାନିବା କେବଳ ସରକାରଙ୍କ କାର୍ଯ୍ୟ ନୁହେଁ । ସାଧାରଣ ଲୋକେ ମଧ୍ୟ ଏହି ନିୟମ ଭିତରେ ରହିଲେ ଦୁର୍ଘଟଣାରେ ହ୍ରାସ ଘଟିବ । ତେଣୁ ସମସ୍ତେ ସରକାରଙ୍କ ନିୟମକୁ ମାନି ଚଳିବା ଉଚିତ୍ ବୋଲି ସେ କହିଛନ୍ତି ।
ସୌଜନ୍ୟ ସମ୍ବାଦ




