ରାଜ୍ୟ

Odisha Transport Department: ପରିବହନ ମନ୍ତ୍ରାଳୟର ଜରିମାନା ଭେଳିକି; ଅନ୍ୟ ରାଜ୍ୟରେ ବିନା ଝିଞ୍ଜଟ୍‌ରେ DL ଠାରୁ PUCC ସବୁ ସମ୍ଭବ

କଟକ,୨୪/୧୧ (ଜଗନ୍ନାଥ ରାଉତ): ପୂର୍ବରୁ ଯଦି ଚାଲାଣ ଅର୍ଥ ପଇଠ ନ ହୋଇଛି ତେବେ ପ୍ରଦୂଷଣ ନିୟନ୍ତ୍ରଣ  ସାର୍ଟିଫିକେଟ୍‌ (ପିୟୁସିସି) ମିଳିପାରିବ ନାହିଁ । ଗାଡ଼ିର ଫିଟ୍‌ନେସ୍‌ ହେବ ଅଟୋମେଟେଡ୍‌ ଟେଷ୍ଟିଂ ସେଣ୍ଟର  (ଏଟିଏସ୍‌)ରେ । ଡ୍ରାଇଭିଂ ଲାଇସେନ୍ସ  ମିଳିବ ଅଟୋମେଟେଡ୍‌ ଡ୍ରାଇଭିଂ ଟେଷ୍ଟିଂ  ସେଣ୍ଟରରେ । ହେଭି ଲାଇସେନ୍ସ ଗୋଟେ  ମାସ ଟ୍ରେନିଂ ପରେ ଦିଆଯିବ । ହେଭିଂ  ଲାଇସେନ୍ସର ନବୀକରଣ ପାଇଁ ବି  ୩ ଦିନର ଟ୍ରେନିଂ ନେବାକୁ ପଡ଼ିବ । ବସ୍‌ର  ଚେଚିସ୍‌ ଯଦି ଠିକ୍‌ ନାହିଁ ତାହେଲେ ଗାଡ଼ି ପଞ୍ଜୀକରଣ ହୋଇପାରିବ ନାହିଁ ।  ପରିବହନ ସଂପର୍କିତ ଏହି ସବୁ କଟକଣା କେବଳ ଓଡ଼ିଶାରେ ଲାଗୁ । ଓଡ଼ିଶାର ଜନସାଧାରଣ ପରିବହନ  ବିଭାଗର ଏହି କଟକଣାରେ ଛନ୍ଦି ହୋଇ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଗଣୁଛନ୍ତି ।  କେନ୍ଦ୍ର ସରକାରଙ୍କ ସବୁ କଟକଣା  ଓଡ଼ିଶାରେ ହିଁ ଲାଗୁ କରାଯାଉଛି ।  କିନ୍ତୁ ବାହାର ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅଧିକାଂଶ କଟକଣା ଲାଗୁ କରାଯାଇନାହିଁ । ଯେଉଁ କାମ ପାଇଁ  ଓଡ଼ିଶାରେ ଗାଡ଼ି ମାଲିକ ନୟାନ୍ତ ହେଉଛନ୍ତି ସେହି କାମ ବାହାର  ରାଜ୍ୟରେ ବିନା କୌଣସି ସମସ୍ୟାରେ ହୋଇପାରୁଛି ।

କେନ୍ଦ୍ର ପରିବହନ  ମନ୍ତ୍ରଣାଳୟ ଏଭଳି କଟକଣା, ନିୟମ କ’ଣ  ଓଡ଼ିଶା ଲୋକଙ୍କ ପାଇଁ ବୋଲି ପ୍ରଶ୍ନ ଉଠୁଛି । କିନ୍ତୁ ପଡ଼ୋଶୀ ପଶ୍ଚିମବଙ୍ଗ,  ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ,  ତେଲଙ୍ଗାନା ଆଦି ବାହାର ରାଜ୍ୟରେ  ବିନା କଟକଣାରେ ଲାଇସେନ୍ସଠାରୁ  ଆରମ୍ଭ କରି ଗାଡ଼ିର ଫିଟ୍‌ନେସ୍‌ ଏବଂ  ନୂତନ ଗାଡ଼ିର ପଞ୍ଜୀକରଣ ସବୁ  ହୋଇପାରୁଛି । ଯଦି ବାହାର ରାଜ୍ୟରେ ସବୁ ସମ୍ଭବ ହୋଇପାରୁଛି ତାହେଲେ ଓଡ଼ିଶା ତଥା ଓଡ଼ିଶା ଲୋକଙ୍କ ପାଇଁ  କ’ଣ ଲାଗି ଏତେ କଟକଣା? କେନ୍ଦ୍ର  ସରକାରଙ୍କ ନିୟମ କାହିଁକି ଦୁଇ  ପ୍ରକାର କାର୍ଯ୍ୟକାରୀ ହେଉଛି ବୋଲି ପ୍ରଶ୍ନ ଉଠୁଛି । ରାଜ୍ୟ ପରିବହନ  ବିଭାଗର କିଛି ଅଧିକାରୀଙ୍କ ମନମାନି  ତଥା ଏହିଭଳି କଟକଣା ଲାଗୁ ପାଇଁ  ରାଜ୍ୟବାସୀ ଶୋଷଣରେ ଶିକାର ହେବା ସହ ଅଯଥାରେ ହନ୍ତସନ୍ତ ହେଉଛନ୍ତି ।

କେନ୍ଦ୍ର ପରିବହନ ମନ୍ତ୍ରାଳୟ ହେଉ ଅବା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ଆଳ  ଦେଖାଇ ଓଡ଼ିଶାରେ ଗାଡ଼ି ପଞ୍ଜୀକରଣ  ଠାରୁ ଆରମ୍ଭ କରି ଲାଇସେନ୍ସ ପ୍ରଦାନ  ସବୁକ୍ଷେତ୍ରରେ କଟକଣା ତଥା ନିୟମକୁ  ଜୋର୍‌ଦାର୍‌ ଲାଗୁ କରାଯାଇଛି । ଲାଇସେନ୍ସ ପ୍ରଦାନ ଲାଗି ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଆରଟିଓରେ  ‘ଏଡିଟିଏସ୍‌’ ଖୋଲାଯାଇଛି । ଅର୍ଥାତ ସମ୍ପୂର୍ଣ୍ଣ ଭାବେ ଅଟୋମେଟେଡ୍‌  କ୍ୟାମେରା ସଂଯୁକ୍ତ କେନ୍ଦ୍ର । ଓଡ଼ିଶା ପରିବହନ ବିଭାଗ ଅଧିକାରୀଙ୍କ  ଯୁକ୍ତି ହେଉଛି ଏଭଳି କେନ୍ଦ୍ର କୁଆଡ଼େ ଆମେରିକା, ଲଣ୍ଡନ ଭଳି  ଦେଶରେ ରହିଛି । ସେହି ବ୍ୟବସ୍ଥା ଆମର ଏଠି ଲାଗୁ କରାଯାଇଛି ।  ଓଡ଼ିଶାକୁ ଆମେରିକା, ଲଣ୍ଡନ ସହିତ ତୁଳନା କରିବା କେତେଦୂର  ଗ୍ରହଣୀୟ ତାହା ବିଚାର୍ଯ୍ୟ । ସେହିପରି ଏଠାରେ ଯଦି କେହି  ପରୀକ୍ଷାମୂଳକ ଭାବେ ଗାଡ଼ି ଚଳାଇବା ପାଇଁ ଚାହିଁବେ ତାହେଲେ ଅର୍ଥ  ଜମା କରିବାକୁ ପଡ଼ିବ । ଯେତେଥର ଗାଡ଼ି ଚଳାଇବେ ସେତେଥର ଟଙ୍କା ଜମା କରିବାକୁ ପଡ଼ିବ । କିନ୍ତୁ ଆମ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏଭଳି ବ୍ୟବସ୍ଥା ନାହିଁ । ବିନା ଝିନ୍‌ଝଟ୍‌ରେ ଲୋକଙ୍କୁ ଡିଏଲ୍‌ ମିଳୁଛି ।  ହେଭି ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଓଡ଼ିଶାରେ ନାହିଁ ନଥିବା  ନିୟମ । ଯଦି କେହି ହେଭି ଲାଇସେନ୍ସ ପାଇଁ ଆବେଦନ କରିବେ ତାଙ୍କୁ ଚଣ୍ଡିଖୋଲରେ ଥିବା ଏକ ଟ୍ରେନିଂ ସେଣ୍ଟରରେ ଗୋଟେ ମାସ ଟ୍ରେନିଂ ନେବାକୁ ପଡ଼ିବ । ପରେ ପରୀକ୍ଷା ଦେବେ । ଯଦି  କୃତକାର୍ଯ୍ୟ ହେବେ ତାହେଲେ ଲାଇସେନ୍ସ ପାଇବେ । ଯଦି କେହି  ହେଭି ଲାଇସେନ୍ସ ଧାରୀ ତାଙ୍କ ଲାଇସେନ୍ସର ନବୀକରଣ କରିବାକୁ  ଚାହୁଁଥିବେ ତାଙ୍କୁ ପୁଣି ଥରେ ତିନିଦିନ ସେହି କେନ୍ଦ୍ରରେ ରହି  ତାଲିମ୍‌ ନେବାକୁ ପଡ଼ିବ । ତାପରେ ଯାଇ ଲାଇସେନ୍ସ ଦିଆଯିବ ।  କିନ୍ତୁ ପଡ଼ୋଶୀ ରାଜ୍ୟରେ ହେଭି ଲାଇସେନ୍ସ ସହଜରେ ମିଳିଯାଉଛି ।

ସେହିପରି ଜରିମାନା ବାକି ଥିଲେ ଓଡ଼ିଶାରେ ପିୟୁସିସି  ହୋଇପାରିବ ନାହିଁ । କିନ୍ତୁ ଜରିମାନା ଥିବା ଓଡ଼ିଶାର ଗାଡ଼ି  ପାଇଁ ବାହାର ରାଜ୍ୟରୁ ବିନା କୌଣସି ଯାଞ୍ଚ୍‌ରେ ମଧ୍ୟ ପ୍ରଦୂଷଣ  ସାର୍ଟିଫିକେଟ୍‌ ପାଇପାରୁଛନ୍ତି । କୌଣସି ନୂଆ ଗାଡ଼ି ବିଶେଷକରି  ବସ୍‌ଗୁଡ଼ିକର ଚେଚିସ୍‌ ପାଇଁ ମଧ୍ୟ ନିୟମକୁ ଜୋର୍‌ଦାର୍‌ ଧରି  ରଖାଯାଇଛି । ଯଦି ନିୟମ ଭିତରେ ଚେଚିସ୍‌ ନିର୍ମାଣ ହୋଇନଥିବ  ତାହେଲେ ଉକ୍ତ ବସ୍‌ର ପଞ୍ଜୀକରଣ କରାଯାଉ ନାହିଁ । ଫଳରେ  ଅନେକ ବସ୍‌ ବାହାର ରାଜ୍ୟରେ ପଞ୍ଜୀକରଣ କରି ଅଣାଯାଉଛି ।  ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏତେ କଟକଣା ଲାଗୁ କରାଯାଇଥିବା  ନେଇ ରାଜ୍ୟ ପରିବହନ ବିଭାଗ ଦାବି କରୁଛି । କିନ୍ତୁ ବାସ୍ତବ  ତଥ୍ୟ ହେଉଛି ରାଜ୍ୟରେ ଦୁର୍ଘଟଣାରେ ପ୍ରତିବର୍ଷ ବଢ଼ିବାରେ  ଲାଗିଛି । ତେଣୁ ଓଡ଼ିଶାର ଏଭଳି ବ୍ୟବସ୍ଥାକୁ ନେଇ ଅନେକ  ପ୍ରଶ୍ନ ଉଠୁଛି ।

ଅପରପକ୍ଷରେ କେଇ ବର୍ଷ ତଳେ ରାଜ୍ୟରେ  ଆରମ୍ଭ ହୋଇଥିଲା ଏସଆରଏସପି(ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ  ପ୍ଲେଟ୍‌) ଭେଳିକି । ଆରଟିଓ ଓ ସୋ-ରୁମ ସାମନାରେ ଲାଗିଲା  ହଜାର ହଜାର ଲୋକଙ୍କ ଗହଳି । ଲୋକେ ହେଲେ ନାକେଦମ୍‌ ।  କିନ୍ତୁ ବାସ୍ତବରେ ସେ ସମୟରେ କୌଣସି ରାଜ୍ୟରେ ଏ ନିୟମ  ଲାଗୁ ହୋଇ ନଥିଲା । ଓଡ଼ିଶାର ଲୋକମାନେ ଯେପରି ଏକ  ପରୀକ୍ଷାଗାର, ସେହିଭଳି ଏହାକୁ ଲାଗୁ କରାଯାଇଥିଲା । ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଯୁକ୍ତି ହେଉଛି,  କେନ୍ଦ୍ର ପରିବହନ ମନ୍ତ୍ରାଳୟ ଏବଂ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ  ସେମାନେ କେବଳ କାର୍ଯ୍ୟ କରୁଛନ୍ତି । କିନ୍ତୁ ଅନ୍ୟ ରାଜ୍ୟ  କ୍ଷେତ୍ରରେ ଏହା କିଭଳି ଅଲଗା ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।  ବାସ୍ତବ କଥା ହେଉଛି କିଛି ଅଧିକାରୀ କେନ୍ଦ୍ର ସରକାରଙ୍କ ନିୟମ  କାର୍ଯ୍ୟକାରୀ କରିବା ଆଳରେ ବିଭିନ୍ନ ଘରୋଇ ସଂସ୍ଥାକୁ ନିୟୋଜିତ  କରି ନିଜ ହାତ ଚିକ୍କଣ କରୁଛନ୍ତି ବୋଲି ଅଭିଯୋଗ ଉଠୁଛି ।  ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)  ଅତିରିକ୍ତ କମିସନର ସମରେନ୍ଦ୍ର ପଟ୍ଟନାୟକ କହିଛନ୍ତି  ଯେ, ନିୟମ ମାନିବା କେବଳ ସରକାରଙ୍କ କାର୍ଯ୍ୟ ନୁହେଁ ।  ସାଧାରଣ ଲୋକେ ମଧ୍ୟ ଏହି ନିୟମ ଭିତରେ ରହିଲେ  ଦୁର୍ଘଟଣାରେ ହ୍ରାସ ଘଟିବ । ତେଣୁ ସମସ୍ତେ ସରକାରଙ୍କ  ନିୟମକୁ ମାନି ଚଳିବା ଉଚିତ୍‌ ବୋଲି ସେ କହିଛନ୍ତି ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button