Minor Girl Missing Case: ମୋବାଇଲ ହଜିଯିବା ପରେ ହଜିଗଲେ ନାବାଳିକା; ଇନଷ୍ଟାଗ୍ରାମରୁ ଠାବ କଲା ପୁଲିସ, ଖୁସିରେ ଆତ୍ମହରା ପରିବାର

ରା.ଉଦୟଗିରି/ମୋହନା,୨୪/୧୧: କେଶମନିଙ୍କୁ ୧୬ ବର୍ଷ ହୋଇଥିଲା । ସାଙ୍ଗଙ୍କ କଥାରେ ପଡ଼ି ଦାଦନ ଖଟିବାକୁ ଘରୁ ବାହାରି ଯାଇଥିଲେ । କିଛିଦିନ ପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରିଲା ନାହିଁ । ପରିବାର ପକ୍ଷରୁ ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ଏତଲା ଦିଆଗଲା । ପୁଲିସ ତାମିଲନାଡ଼ୁ, ହାଇଦ୍ରାବାଦ ଆଦି ଅନେକ ରାଜ୍ୟରେ ଖୋଜିଖୋଜି ନୟାନ୍ତ ହୋଇଗଲା । ଝିଅକୁ ଝୁରିଝୁରି ଭାଙ୍ଗିପଡ଼ିଲେ ପରିବାର । ହେଲେ ୧୦ ବର୍ଷ ପରେ ଇନ୍ଷ୍ଟାଗ୍ରାମ୍ରେ ପୁଲିସ କେଶମନିଙ୍କ ଫଟୋ ଦେଖି ତାଙ୍କୁ ଠାବ କରିଛି । ସୋମବାର ବାଲେଶ୍ୱରରୁ ଉଦ୍ଧାର କରିବା ପରେ ପରିବାର ଲୋକ ଭାବବିହ୍ୱଳ ହୋଇପଡ଼ିଛନ୍ତି । ତେବେ ନାବାଳିକା ଏବେ ବିବାହିତା ମହିଳା ବୋଲି କହିଛନ୍ତି ରା.ଉଦୟଗିରି ଥାନା ଅଧିକାରୀ କଳ୍ପଲତା ପ୍ରଧାନ ।
ପୁଲିସ ସୂଚନା ଅନୁସାରେ, ରା.ଉଦୟଗିରି ଥାନା ଅଧୀନ ପରିମଳ ନୂଆସାହି ଗାଁର କାଞ୍ଜି ଗମାଙ୍ଗଙ୍କ ୧୬ ବର୍ଷୀୟା ଝିଅ କେଶମନି ଦାଦନ ଖଟିବାକୁ ଯାଇଥିଲେ । ସେ କିଛି ଝିଅଙ୍କ ସହ ପ୍ରଥମେ ତାମିଲନାଡ଼ୁର କନ୍ୟାକୁମାରୀ ଯାଇଥିଲେ । ଏହାପରେ ସେଠାରୁ ହାଇଦ୍ରାବାଦ ଆସି ଏକ କମ୍ପାନୀରେ କାମ କରୁଥିଲେ । ତେବେ ୨୦୧୬ ଅକ୍ଟୋବରରୁ ଝିଅ ସହ ପରିବାରର ଯୋଗାଯୋଗ ହୋଇପାରିନ ଥିଲା । କିଛିଦିନ ପରେ ଅନ୍ୟ ଝିଅମାନେ ଫେରିଥିଲେ । କିନ୍ତୁ କେଶମନି ଫେରି ନ ଥିଲା । ୨୦୧୬ ଅକ୍ଟୋବର ୩ରେ ରା.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା । ପୁଲିସ କନ୍ୟାକୁମାରୀ, ହାଇଦ୍ରାବାଦର ବିଭିନ୍ନ କମ୍ପାନୀରେ ଖୋଜି ବିଫଳ ହୋଇଥିଲା । ଇତିମଧ୍ୟରେ ୧୦ ବର୍ଷ ବିତିଯାଇଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଅଧିକାରୀ ରା.ଉଦୟଗିରି ଥାନା ଏସ୍ଆଇ ଲକ୍ଷ୍ମଣ ବେସ୍ରା ପୁଣି ତଦନ୍ତ ଆରମ୍ଭ କରିଥିଲେ । ନିଖୋଜ ନାବାଳିକାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । କେଶମନିଙ୍କ ଭଉଣୀର ଇନ୍ଷ୍ଟଗ୍ରାମ ଯାଞ୍ଚ୍ କରିଥିଲେ । ଫ୍ରେଣ୍ଡ୍ ଲିଷ୍ଟ୍ ଯାଞ୍ଚ୍ କରି କେଶମନିଙ୍କ ଫଟୋକୁ ଚିହ୍ନଟ କରିଥିଲେ ପରିବାର । ଏହାପରେ ଇନ୍ଷ୍ଟାଗ୍ରାମ୍ର ମୋବାଇଲ୍ ନମ୍ବର ଯାଞ୍ଚ୍ ପରେ ବାଲେଶ୍ୱରର ବଳଙ୍ଗା ଗାଁରେ ଥିବା ଜାଣିବାକୁ ପାଇଥିଲେ । ସୋମବାର ଏସ୍ଆଇ ଲକ୍ଷ୍ମଣ ବେସ୍ରାଙ୍କ ନେତୃତ୍ୱରେ ପୁଲିସ ଟିମ୍ ବଳଙ୍ଗା ଗାଁରେ ପହଞ୍ଚିଥିଲା । ସେଠାରେ କେଶମନିଙ୍କୁ ଜଣେ ବ୍ୟକ୍ତିଙ୍କ ଘରେ ଠାବ କରିଥିଲେ ।
କେଶମନିଙ୍କ କହିବା ଅନୁଯାୟୀ, ହାଇଦ୍ରାବାଦରେ କାମ କରୁଥିବା ବେଳେ ତାଙ୍କ ମୋବାଇଲ ହଜି ଯାଇଥିଲା । ପରିବାର ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା । ବାଧ୍ୟ ହୋଇ ସେହି କମ୍ପାନୀରେ କାମ କରୁଥିଲେ । ଦେଢ଼ ବର୍ଷ ତଳେ ବାଲେଶ୍ୱର ବଳଙ୍ଗାର ଜଣେ ପୁଅ ମଧ୍ୟ ସେହି କମ୍ପାନୀରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ହେବା ପରେ ବିବାହ କରିଛନ୍ତି । ବର୍ତ୍ତମାନ ଦମ୍ପତିଙ୍କ ଦେଢ଼ ମାସର ପୁଅଟିଏ ଅଛି । କେଶମନି ବର୍ତ୍ତମାନ ସ୍ୱାମୀ ଓ ତାଙ୍କ ପରିବାର ସହ ବାଲେଶ୍ୱର ବଳଙ୍ଗାରେ ଖୁସିରେ ରହୁଥିବା କହିଛନ୍ତି । ପୁଲିସ ତାଙ୍କୁ ଉଦ୍ଧାର କରି ସୋମବାର ରା.ଉଦୟଗିରି ଥାନାକୁ ଆଣିଥିଲେ । କୋର୍ଟ ଚାଲାଣ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ଦୀର୍ଘ ୧୦ ବର୍ଷ ପରେ ନିଖୋଜ ଝିଅକୁ ପାଇ ଖୁସିରେ ଆତ୍ମହରା ହୋଇଯାଇଛନ୍ତି ପରିବାର ଲୋକ । କେଶମନି ସ୍ୱାମୀଙ୍କ ସହ ପୁଣି ବାଲେଶ୍ୱର ଚାଲିଯାଇଥିବା ଜଣାପଡ଼ିଛି ।
ସୌଜନ୍ୟ ସମ୍ବାଦ




