Weather Update: କୁହୁଡ଼ି ନେଇ ୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ, ଡିସେମ୍ବରରେ ଥଣ୍ଡା ବଢ଼ିବା ନେଇ ପୁର୍ବାନୁମାନ

ଭୁବନେଶ୍ବର,୨୪\୧୧: ରାଜ୍ୟରେ ଏବେ ଶୀତର ପ୍ରକୋପ ଅନୁଭୂତ ହେଉନାହିଁ। ହେଲେ ନଭେମ୍ବର ଶେଷ ସପ୍ତାହରୁ ପାଗରେ ଆସିବ ବଡ଼ ପରିବର୍ତ୍ତନ। ଫଳରେ ଥଣ୍ଡାର ପ୍ରକୋପ ବଢ଼ିବ। ଆସନ୍ତା ୪ ଦିନ ମଧ୍ୟରେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । କନ୍ଧମାଳ, ଫୁଲବାଣୀ, ଦାରିଙ୍ଗବାଡ଼ି, କୋରାପୁଟ, ସିମିଳିଗୁଡ଼ା ପରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିବା ନେଇ ପୁର୍ବାନୁମାନ କରାଯାଇଛି । ସେହିପରି ରାଉରକେଲା, ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା, କେନ୍ଦୁଝର ସହରରେ ପାରଦ ୧୧ ଡିଗ୍ରି ରହିପାରେ । ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରି ଉପରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ତାପମାତ୍ରା ୩ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହିତ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ମାଲକାନଗିର ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।
ସୌଜନ୍ୟ ସମ୍ବାଦ




