Vehicle Insurance: ଡିସେମ୍ବର ୧୫ରୁ ବୀମାରେ ୪ ବଡ଼ ପରିବର୍ତ୍ତନ; କାର୍ ଓ ବାଇକ୍ ଚଳାଇବା ପୂର୍ବରୁ ପଢ଼ି ନିଅନ୍ତୁ

ନୂଆଦିଲ୍ଲୀ,୨୪/୧୧: ଏବେ କାର୍ ଏବଂ ବାଇକ୍ ବୀମା କ୍ଷେତ୍ରରେ କେବଳ ଥାର୍ଡ ପାର୍ଟି ଏବଂ ଓନରଙ୍କ ଦୁର୍ଘଟଣା କଭର ନେବା ଅନିବାର୍ଯ୍ୟ । ବୀମା ନିୟାମକ ଆଇଆର୍ଡିଏଆଇ ମୋଟର ବୀମା ପଲିସିରେ ୪ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ନିୟମଗୁଡ଼ିକ ଡିସେମ୍ବର ୧୫ରୁ ଲାଗୁ ହେବ । ଏହା ଅଧିନରେ ଏବେ ଭିନ୍ନ ଭିନ୍ନ ପଲିସି ବଦଳରେ କେବଳ ଗୋଟିଏ ପଲିସି ନେବାକୁ ପଡ଼ିବ । ଯାହାକୁ ୪ଟି ଭାଗରେ ବଣ୍ଟାଯିବ । ଏଥିରେ ୨ ଅନିବାର୍ଯ୍ୟ କଭର ବ୍ୟତୀତ ୨ ବିକଳ୍ପ ଆବଶ୍ୟକତା ହିସାବରେ ଚୟନ କରିପାରିବେ ପଲିସିଧାରୀ । ଥାର୍ଡ ପାର୍ଟି କଭରରେ ବୀମା ନେଇଥିବା ବ୍ୟକ୍ତିଙ୍କଗାଡ଼ି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦୁର୍ଘଟଣା ଘଟାଇଲେ କ୍ଷୟକ୍ଷତି କ୍ଷେତ୍ରରେ ବୀମା ସୁରକ୍ଷା ମିଳିବ ।
ସେହିଭଳି ପାସେଞ୍ଜର ଲାଏବିଲିଟିରେ ଗାଡ଼ିରେ ବସିଥିବା ଯାତ୍ରୀ ଏବଂ ଯୋଗ୍ୟ ଲୋକଙ୍କ ଆଇନଗତ ଦାବିକୁ କଭର୍ କରିଥାଏ । ବ୍ୟକ୍ତିଗତ ଦୁର୍ଘଟଣା କଭରରେ ଗାଡ଼ି ଓନର ଏବଂ ବିକଳ୍ପ ଭାବେ ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷା ଦେଇଥାଏ । ସେହିଭଳି ଓନ୍ ଡ୍ୟାମେଜ କଭରରେ ଦୁର୍ଘଟଣା ଏବଂ ଅନ୍ୟ କାରଣ ଯୋଗୁ ନିଜ ଗାଡ଼ିର ହୋଇଥିବା କ୍ଷତିର ଭରଣା କରିଥାଏ । ନୂଆ ନିୟମ ଅଧିନରେ କେବଳ ତୃତୀୟ ପକ୍ଷ ବୀମା ଏବଂ ଓନରଙ୍କ ବ୍ୟକ୍ତିଗତ ଦୁର୍ଘଟଣା କଭର ନେବା ଅନିବାର୍ଯ୍ୟ । ଏହାବାଦ ଅନ୍ୟ ୩ ଅଂଶ ପାସେଞ୍ଜର ଲାଏବିଲିଟି କଭର, ଯାତ୍ରୀଙ୍କ ବ୍ୟକ୍ତିଗତ ଦୁର୍ଘଟଣା କଭର ଏବଂ ନିଜସ୍ୱ କ୍ଷତି କଭର ବିକଳ୍ପ ରହିବ ।
ବିଶେଷଜ୍ଞ କହିଛନ୍ତି ଯେ, ପ୍ରିମିୟମ ବଞ୍ଚାଇବା ଲାଗି ବିକଳ୍ପ କଭର ବାଦ ଦେଲେ ବଡ଼ ଆର୍ଥକ କ୍ଷତି ସାମ୍ନା କରିବାକୁ ପଡ଼ିବ । ସେହିଭଳି ପାସେଞ୍ଜର ଲାଏବିଲିଟି କଭରରେ ପରିବାର ଲୋକ ସାମିଲ ହୋଇ ପାରିବେନି । ଏଥିଲାଗି ଭିନ୍ନ ବ୍ୟକ୍ତିଗତ ଦୁର୍ଘଟଣା କଭର ନେବାକୁ ପଡ଼ିବ । ମାଲିକ ନିଜେ ଗାଡି ନ ଚଲାଉଥିଲେ ମଧ୍ୟ ତାଙ୍କୁ ଦୁର୍ଘଟଣା କଭର ମିଳିବ । ନିଜସ୍ୱ କ୍ଷତି କଭରକୁ ଛାଡିବା ମଧ୍ୟ ଗାଡି ମାଲିକଙ୍କ ଲାଗି ମହଙ୍ଗା ହେବ । ବୃହତ୍ତର କଭର ଲାଗି ଜିରୋ ଡେପ୍ରିସିଏସନ ଭଳି କଭର ନେବାକୁ ପଡ଼ିବ । ନୂଆ ନିୟମ ଲାଗୁ ହେବା ଦ୍ୱାରା ବୀମା ପ୍ରିମିୟମ କମ୍ ହେବା ଆଶା କ୍ଷୀଣ ରହିଛି ।
ସୌଜନ୍ୟ ସମ୍ବାଦ




