ରାଜ୍ୟ

Odisha-50 in Berhampur: ବ୍ରହ୍ମପୁରରେ ଓଡ଼ିଶା-୫୦: ‘ମହିଳା ସ୍ବାବଲମ୍ବୀ ହେଲେ ଦେଶ ଓ ରାଜ୍ୟ ସମୃଦ୍ଧ ହେବ’

‘ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ନାରୀ। ନାରୀମାନଙ୍କ ପ୍ରଗତି ବିନା ଦେଶ ସମୃଦ୍ଧ ହୋଇପାରିବ ନାହିଁ। ପୁରୁଷଙ୍କ ସହ ତାଳ ଦେଇ ଚାଲିବା ସହିତ ଅର୍ଥନୈତିକ ସ୍ବାବଲମ୍ବୀ ହେବାକୁ ପଡ଼ିବ।

ବ୍ରହ୍ମପୁର: ‘ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ନାରୀ। ନାରୀମାନଙ୍କ ପ୍ରଗତି ବିନା ଦେଶ ସମୃଦ୍ଧ ହୋଇପାରିବ ନାହିଁ। ପୁରୁଷଙ୍କ ସହ ତାଳ ଦେଇ ଚାଲିବା ସହିତ ଅର୍ଥନୈତିକ ସ୍ବାବଲମ୍ବୀ ହେବାକୁ ପଡ଼ିବ। ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ନିଜ ନିଷ୍ପତ୍ତି ନିଜେ ନେବାର ସ୍ବାଧୀନତା ରହିବା ଦରକାର। ଏଥିପାଇଁ ନାରୀ ନିଜ ଆକାଂକ୍ଷାକୁ ବଳି ନଦେଇ ଓ ସୀମିତ ନରଖି ପରିବ୍ୟାପ୍ତ କରିବାକୁ ପଡ଼ିବ। ତା’ହେଲେ ମହିଳା ସଶକ୍ତୀକରଣର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ।’ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ପକ୍ଷରୁ ଆୟୋଜିତ ‘ଓଡ଼ିଶା ୫୦’ର ସପ୍ତମ ସଂସ୍କରଣ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଏହା କହିଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀକକ୍ଷରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ.ମୋନିକା ନୈୟର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗଞ୍ଜାମ ଜିଲ୍ଲାର ମହିଳାମାନେ ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ନିଜକୁ ସମର୍ଥ ଓ ସଶକ୍ତ କରି ଅନ୍ୟମାନଙ୍କ ସକାଶେ ପ୍ରେରଣାର ପ୍ରତୀକ ସାଜିଛନ୍ତି। ଆଗାମୀ ବର୍ଷ ସୁଦ୍ଧା ୩ ଲକ୍ଷରୁ ଊର୍ଦ୍ଧ୍ବ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ସହ ବିଭିନ୍ନ କ୍ଷେତ୍ରରେ ରୋଜଗାର ପନ୍ଥା ଆପଣାଇଥିବା ମହିଳାଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧାସୁଯୋଗ ଯୋଗାଇବାକୁ ସଙ୍କଳ୍ପବଦ୍ଧ ‌ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବାତ୍ୟା ଓ ବନ୍ୟା ସମୟରେ ଏସ୍‌ଏଚ୍‌ଜି ମହିଳାଙ୍କ ସମୟୋଚିତ ସହଯୋଗକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ଗଞ୍ଜାମର ଅର୍ଥନୀତିକୁ ଆଗକୁ ନେବା ଦିଗରେ ମହିଳାଙ୍କ ଭାଗୀଦାର ଓ ସୃଜନଶୀଳତାକୁ ବଢ଼ାଇବା ସକାଶେ ମିଳିମିଶି ପ୍ରୟାସ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

ସମ୍ମାନିତ ଅତିଥି ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ ନାରୀକୁ ଦୁର୍ଗା, ସରସ୍ବତୀ ଓ ଲକ୍ଷ୍ମୀଙ୍କ ସ୍ବରୂପ ଭାବେ ବର୍ଣ୍ଣନା କରି ମହିଳାଙ୍କ ସ୍ଥାନ ସମାଜରେ ଅନନ୍ୟ ବୋଲି କହିଥିଲେ। ଶିକ୍ଷା ଓ ସ୍ବାବଲମ୍ବନର ଗୁରୁତ୍ବକୁ ଉପଲବ୍ଧି କରିବା ସହ ପ୍ରତିଟି ନାରୀ ହାତ ପତେଇବା ଅପେକ୍ଷା ଘର ଓ ବାହାରେ ପୁରୁଷର ଜଣେ ସହଯୋଗୀ ଭାବେ ଆଗେଇ ଆସିବାକୁ ପଡ଼ିବ। ମହିଳା ସ୍ବାବଲମ୍ବୀ ହେବା ଦ୍ବାରା ନିଜ ସମ୍ମାନ ବଜାୟ ରଖିପାରିବା ସହ ପରୋକ୍ଷରେ ରାଜ୍ୟ ଓ ଦେଶକୁ ମଧ୍ୟ ସମୃଦ୍ଧ କରିପାରିବେ। ଏଣୁ କନ୍ୟାସନ୍ତାନକୁ ହୃଦୟର ସହିତ ଗ୍ରହଣ କରିବା ଏବଂ ନାରୀକୁ ଯଥୋଚିତ ସମ୍ମାନ ଦେଇପାରିଲେ ହିଁ ସେମାନଙ୍କ ପ୍ରଗତି ସମ୍ଭବ ବୋଲି ଶ୍ରୀମତୀ ଦଳେଇ କହିଥିଲେ।

ବିଶିଷ୍ଟ ଅତିଥି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା କହିଛନ୍ତି, ବର୍ତ୍ତମାନ ଚାରି ଲକ୍ଷ ମହିଳା ଏସ୍‌ଏଚ୍‌ଜି ସହ ଜଡ଼ିତ ରହି ଗଞ୍ଜାମ ଜିଲ୍ଲାର ଅର୍ଥନୀତିକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ବ୍ରହ୍ମପୁର ପାଟ ହେଉ କି ବେଲଗୁଣ୍ଠାର ପିତ୍ତଳ ମାଛ, କାଜୁ ପ୍ରୋସେସିଂ ୟୁନିଟ୍, କିଆଫୁଲ, ଲେମନ ଗ୍ରାସ ଚାଷ ଓ ଶୁଖୁଆ ଉତ୍ପାଦନ ସବୁ କ୍ଷେତ୍ରରେ ଜିଲ୍ଲାର ମହିଳାମାନେ ନିଜ ଦକ୍ଷତାକୁ ପ୍ରତିପାଦିତ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି। କେବଳ ଉତ୍ତମ ବ୍ରାଣ୍ଡିଂ, ଉନ୍ନତମାନର ପ୍ୟାକେଜିଂ ଓ ମାର୍କେଟିଂ ଆଦି ବ୍ୟବସ୍ଥା ଦ୍ବାରା ସେମାନଙ୍କ ଜୀବନକୁ ଆହୁରି ସମୃଦ୍ଧ କରାଯାଇପାରିବ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button