ରାଜ୍ୟ

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରି ଖାଇଲା, ଜଗିଛି ବନ ବିଭାଗ

ନୂଆପଡ଼ା, ୨୬/୧୧:ନୂଆପଡ଼ାରେ ପୁଣି ବାଘ ଆତଙ୍କ । ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରି ଖାଇଲା କଲରାପତରିଆ ବାଘ । ଏଭଳି ଘଟଣା ନୂଆପଡ଼ା ରେଞ୍ଜ ଆମାନାରା ସେକ୍ସନ ଅନ୍ତର୍ଗତ ପାୱାରତୋଳା ଗାଁରେ ଘଟିଛି । ଏହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁଯାୟୀ, ପାୱାରତୋଳା ଗାଁର ସଫୁର ସିଂ ସତନାମୀଙ୍କ ଗୁହାଳରେ ଥିବା ଏକ ବାଛୁରୀକୁ ବିଳମ୍ବିତ ରାତିରେ ଆକ୍ରମଣ କରିଥିଲା କଲରାପତରିଆ ବାଘ । ଗୁହାଳରୁ ବାଛୁରୀକୁ ଟାଣି ନେଇ ଶିକାର କରିବା ପରେ ଖାଇ ଦେଇଥିଲା । ସ୍ଥାନୀୟ ଟିକଲୋହି ଜଙ୍ଗଲରୁ ବାଘଟି ଗାଁକୁ ଆସିଥିବା କୁହାଯାଉଛି । ତେବେ ରାତିର ଏହି ଘଟଣା ସକାଳୁ ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚିଛି । ବାଛୁରୀର ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରେ ଯାଞ୍ଚ କରୁଛି। ବାଘର ଗତିବିଧି ଓ ଆକ୍ରମଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ବନ ବିଭାଗ । ଗାଁ ନିକଟରେ ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କ ଗତିବିଧିକୁ ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି । ବିଶେଷକରି ରାତି ସମୟରେ ଗୃହପାଳିତ ପଶୁଙ୍କ ସୁରକ୍ଷା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି । ବାଘର ଗତିବିଧି ଉପରେ ନଜର ରଖିବା ସହ ଗାଁରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button