ରାଜ୍ୟ

Tiger Terror: ମହାବଳ ବାଘକୁ ନେଇ ଆତଙ୍କ, ଚାନ୍ଦଲି ଡୁଙ୍ଗୁରିରେ ବନ ବିଭାଗର ପାଟ୍ରୋଲିଂ

ବୁର୍ଲା, ୨୬/୧୧: ବୁର୍ଲା ସହର ନିକଟ ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଚାନ୍ଦଲି ଡୁଙ୍ଗୁରିରେ ବାଘ ଆତଙ୍କ । ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ସଂଲଗ୍ନ ଏହି ପାହାଡ଼ିଆ ଅଞ୍ଚଳରେ ବାଘ ବୁଲୁଥିବା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଭାଗୀୟ କର୍ମଚାରୀ ପାଟ୍ରୋଲିଂ ଆରମ୍ଭ କରିଛନ୍ତି । ବାଘଟି ମହାବଳ ନା କଲରାପତରିଆ ତାହା ଅସ୍ପଷ୍ଟ ରହିଛି । ସଂଗୃହୀତ ପାଦଚିହ୍ନ ପରୀକ୍ଷଣ ପାଇଁ ପଠାଯାଇଛି ।

କିଛିଦିନ ପୂର୍ବରୁ ଡେବ୍ରିଗଡ଼ ଅଭୟାରଣ୍ୟକୁ ଚାଲିଆସିଥିବା ଏକ ମହାବଳ ବାଘ ନେଚର କ୍ୟାମ୍ପ ଅଞ୍ଚଳରେ ବୁଲୁଥିବା ଜଣାପଡ଼ିଥିଲା । ଉକ୍ତ ବାଘ ଚାନ୍ଦଲି ଡୁଙ୍ଗୁରି ଅଞ୍ଚଳକୁ ଆସିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ବାଘର ସୁରକ୍ଷା, ଜନବସତିକୁ ପ୍ରବେଶ ରୋକିବା ବନ ବିଭାଗ ପାଇଁ ଚାଲେଞ୍ଜ ହୋଇଛି । ଏସିଏଫ୍ ରାଜଶ୍ରୀ ତିର୍କୀଙ୍କ ନେତୃତ୍ୱରେ ରେଞ୍ଜର ଅମିତ୍ କୁମାର ସାହୁ, ଫରେଷ୍ଟର ରୋଶନୀ ନାୟକଙ୍କ ସମେତ ବନ କର୍ମଚାରୀ ଆ. କଟାପାଲିରୁ ଜିରୋ ପଏଣ୍ଟକୁ ସଂଯୋଗ କରୁଥିବା ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦିନତମାମ ସର୍ଚ୍ଚ ଅପରେସନ କରିଛନ୍ତି । ଠାବ ହୋଇଥିବା ପାଦଚିହ୍ନର ଫଟୋ ଡିଏଫ୍ଓଙ୍କ ନିକଟକୁ ପଠାଯାଇଛି ।

ଅପରପକ୍ଷେ ଜିରୋ ପଏଣ୍ଟ, ଓରାମପଡ଼ା, ଡୁଢ଼ିଆପଡ଼ା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପଛପାଶ୍ୱର୍ ଅଞ୍ଚଳ ସମେତ ଆ. କଟାପାଲି ପର୍ଯ୍ୟନ୍ତ ବିଭିନ୍ନ ବସ୍ତିରେ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କରାଯାଇଛି । ସନ୍ଧ୍ୟା ପରେ ଘରୁ ନ ବାହାରିବା, ଗୃହପାଳିତ ପ୍ରାଣୀଙ୍କୁ ସୁରକ୍ଷିତ ରଖିବା ଓ ଜଙ୍ଗଲ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅଘଟଣ ଆଶଙ୍କାରେ ହୀରାକୁଦ ଜଳଭଣ୍ଡାର ଜିରୋ ପଏଣ୍ଟ ଅଞ୍ଚଳରୁ ପର୍ଯ୍ୟଟକଙ୍କୁ ହଟାଇ ଦିଆଯାଇଛି । ବଣଭୋଜି ପାଇଁ ଆସିଥିବା ଶତାଧିକ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ପୂର୍ବରୁ ଫେରାଇ ଦିଆଯାଇଛି । ସନ୍ଧ୍ୟା ପରେ ସ୍ଥାନୀୟ ପୁଲିସ୍ ସହାୟତାରେ ଝାଙ୍କରାଣୀରୁ ଜିରୋ ପଏଣ୍ଟ ରାସ୍ତାରେ ଯାତାୟାତ କରୁଥିବା ବାଇକ୍ ଚାଳକଙ୍କୁ ସତର୍କ କରାଯିବା ସହ ଜରୁରି କାମ ନ ଥିଲେ ଏହି ରାସ୍ତାରେ ଯିବାକୁ ବାରଣ କରାଯାଇଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button