BIMSTEC Athletics: ବିମ୍ଷ୍ଟେକ୍ ଆଥଲେଟିକ୍ସର ଦ୍ବିତୀୟ ଦିନ: ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ସବିତା
କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଓଡ଼ିଆ ଆଥଲେଟ୍ ସବିତା ଟପ୍ପୋଙ୍କ ସ୍ୱର୍ଣ୍ଣିମ ସଫଳତା ସ୍ଥାନୀୟ ଦର୍ଶକଙ୍କୁ ଉତ୍ସାହିତ କରିଛି।

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଓଡ଼ିଆ ଆଥଲେଟ୍ ସବିତା ଟପ୍ପୋଙ୍କ ସ୍ୱର୍ଣ୍ଣିମ ସଫଳତା ସ୍ଥାନୀୟ ଦର୍ଶକଙ୍କୁ ଉତ୍ସାହିତ କରିଛି। ମହିଳା ୧୦୦ ମିଟର ହର୍ଡଲ୍ସରେ ସବିତା ୧୩.୮୬ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଭାରତର ସାଇନି ଗ୍ଲାଡ୍ସିଆ (୧୪.୦୩ ସେକେଣ୍ଡ) ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରୀଲଙ୍କାର ପିଜିଏମ୍ଏସ୍ ଗୁଣତିଳକ (୧୪.୩୪ ସେକେଣ୍ଡ) କାଂସ୍ୟ ଜିତିଛନ୍ତି। ଏହି ଇଭେଣ୍ଟରେ ଦୁଇଥର ଫଲ୍ସ ଷ୍ଟାର୍ଟ ପରେ ବାଂଲାଦେଶର ସୁମାୟା ଜମାନ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ। ଏହାପରେ ପାଞ୍ଚ ଜଣ ଆଥଲେଟ୍ଙ୍କୁ ନେଇ ଦୌଡ଼ ହୋଇଥିଲା। ସବିତା ଆରମ୍ଭରୁ ଆଗୁଆ ରହି ସହଜରେ ସ୍ୱର୍ଣ୍ଣ ଜିତିଥିଲେ। ଏହି ସ୍ୱର୍ଣ୍ଣ ପଦକ ତାଙ୍କୁ ଆଗାମୀ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଭଲ କରିବା ଲାଗି ପ୍ରେରଣା ଦେବ ବୋଲି ସବିତା କହିଛନ୍ତି। ମହିଳା ଟ୍ରିପଲ ଜମ୍ପରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଅନ୍ୟତମ ଓଡ଼ିଆ ଝିଅ ମେରିମୁକ୍ତା ସୋରେଙ୍ଗ (୧୨.୩୯ ମିଟର) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। ଏହି ଇଭେଣ୍ଟରେ ଭାରତର ସାଧନା ରବି ୧୩.୨୪ ମିଟର ଡେଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ବାଂଲାଦେଶର ସ୍ୱପ୍ନା ଖାତୁନ୍ ୧୩.୨୨ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି। ଶ୍ରୀଲଙ୍କାର ଏଲ୍ଏସ୍ଡବ୍ଲ୍ୟୁ ଆରାଚ୍ଚି (୧୨.୯୬ ମିଟର) କାଂସ୍ୟ ପାଇଥିଲେ।
ଗୁରୁବାର ଦ୍ୱିତୀୟ ଦିବସରେ ମୋଟ ୧୦ଟି ଇଭେଣ୍ଟର ଫାଇନାଲ ହୋଇଥିବାବେଳେ ଭାରତ ୮ଟି ସ୍ୱର୍ଣ୍ଣ ସହ ମୋଟ ୨୪ଟି ପଦକ ଜିତିଛି। ପ୍ରଥମ ଦିନର ୬ଟି ସ୍ୱର୍ଣ୍ଣକୁ ମିଶାଇ ଭାରତର ପଦକ ସଂଖ୍ୟା ଏବେ ୩୦ରେ ପହଞ୍ଚିଛି। ଏଥିରେ ୧୪ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୪ କାଂସ୍ୟ ରହିଛି। ଶ୍ରୀଲଙ୍କା ୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୧୨ କାଂସ୍ୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ତୃତୀୟ ଏବଂ ନେପାଳ ଗୋଟିଏ ରୌପ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି। ଭୁଟାନ ଓ ମ୍ୟାମାର ଏପର୍ଯ୍ୟନ୍ତ ପଦକ ଖାତା ଖୋଲି ନାହାନ୍ତି।
ଅନ୍ୟ ଇଭେଣ୍ଟଗୁଡ଼ିକ ମଧ୍ୟରୁ ପୁରୁଷ ୧୧୦ ମିଟର ହର୍ଡଲ୍ସରେ ଭାରତର ଶାଇକ୍ ରୋଶନ ୧୪.୧୫ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ଜିତିଥିଲେ। ଶ୍ରୀଲଙ୍କାର ସାଣ୍ଡୁନ୍ କୋଶାଳା ବିଜୟଲତ (୧୪.୩୭) ରୌପ୍ୟ ଓ ଭାରତର ଋତିକ ରାହୁଲ (୧୪.୪୮) କାଂସ୍ୟ ପଦକ ପାଇଥିଲେ। ପୁରୁଷ ଡିସ୍କସ୍ ଥ୍ରୋରେ ଭାରତର ବୈଭବ ୫୧.୯୭ ମିଟର ଫିଙ୍ଗି ସ୍ୱର୍ଣ୍ଣ ଜିତିଥିବାବେଳେ ପ୍ରତିଯୋଗିତାର ଫେଭରିଟ୍ ଭାରତର ଭରତପ୍ରୀତ ସିଂହ ୪୯.୬୩ ମିଟର ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଶ୍ରୀଲଙ୍କାର ବୋଜିଥ ଗୁଣସେକରା ୪୪.୫୫ ମିଟର ସହ କାଂସ୍ୟ ଜିତିଥିଲେ। ମହିଳା ୪୦୦ ମିଟରରେ ଭାରତର ତନୁ ଚୌଧୁରୀ ୫୩.୮୭ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ। ଶ୍ରୀଲଙ୍କାର ଆରାଲିୟା ସତ୍ସର ଗିଗାନାଗେ (୫୪.୦୯) ରୌପ୍ୟ ଓ ଜିଥ୍ମା ୱିଜେଥୁଙ୍ଗା (୫୪.୯୯) କାଂସ୍ୟ ଜିତିଥିଲେ। ଅନ୍ୟ ଇଭେଣ୍ଟଗୁଡ଼ିକ ମଧ୍ୟରେ ପୁରୁଷ ୪୦୦ ମିଟରରେ ଶ୍ରୀଲଙ୍କାର ପ୍ରବୀଣ ସଲାମୁଥୁ (୪୬.୭୪) ସ୍ୱର୍ଣ୍ଣ ଜିତିଥିବାବେଳେ ଭାରତର ଅଙ୍କୁଲ (୪୭.୧୨) ରୌପ୍ୟ ପାଇଥିଲେ। ମହିଳା ୧୫୦୦ ମିଟରରେ ଭାରତର ପ୍ରାଚୀ ଦେବକର (୪:୩୧.୪୮) ସ୍ୱର୍ଣ୍ଣ ଓ ରାଶି (୪:୩୨.୧୫) ରୌପ୍ୟ ଜିତିଥିଲେ। ମହିଳା ଜାଭଲିନ୍ ଥ୍ରୋରେ ପୁନମ୍ ୫୩.୮୬ ମିଟର ସହ ସ୍ୱର୍ଣ୍ଣ ଏବଂ ଦୁର୍ବା ସେୱାଲେ ୪୬.୯୬ ମିଟର ସହ ରୌପ୍ୟ ପଦକ ହାସଲ କରିଥିଲେ। ପୁରୁଷ ୫୦୦୦ ମିଟରରେ ଭାରତର ଗୌରବ ଭାସ୍କର ଭୋସଲେ ୧୪:୪୨.୮୪ ସମୟ ସହ ସ୍ୱର୍ଣ୍ଣ ଜିତିଥିବାବେଳେ ନେପାଳର ମିଙ୍ଗମାର ସିଙ୍ଗି ତାମାଙ୍ଗ (୧୪:୫୨.୮୨) ରୌପ୍ୟ ଓ ଭାରତର ସତ୍ୟମ (୧୪:୫୯.୨୬) କାଂସ୍ୟ ଜିତିଥିଲେ। ଏହି ତିନିଦିନିଆ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହେବ।
ସୌଜନ୍ୟ ସମ୍ବାଦ




