ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରି ଆମ୍ ଆଦମୀ ପାର୍ଟି (ଆପ୍)ର ୭ ଜଣ ରାଜ୍ୟସଭା ସାଂସଦ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଦଳର ଉପନେତା ପଦରୁ ହଟାଯିବା ପରେ ରାଘବ ଚଢ଼ାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ବିଦ୍ରୋହ କେଜ୍ରିୱାଲଙ୍କ ଦଳ ପାଇଁ ମାରାତ୍ମକ ପ୍ରହାର ସାବ୍ୟସ୍ତ ହୋଇଛି। ଆଜି ସକାଳେ ଚଢ଼ାଙ୍କ ନେତୃତ୍ବରେ ଏହି ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ସ୍ୱାକ୍ଷରିତ ଚିଠି ଓ ଅତ୍ୟାବଶ୍ୟକ ଦସ୍ତାବିଜ ପ୍ରଦାନ କରିଛନ୍ତି। ଏହି ଦଳବଦଳରେ ରାଘବ ଚଢ଼ା, ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମଜିତ ସିଂହ ସାହନି ଏବଂ ସ୍ୱାତୀ ମାଲିୱାଲ ସାମିଲ ଅଛନ୍ତି।
୨ ତୃତୀୟାଂଶ ସାଂସଦ ଦଳ ଛାଡ଼ିଲେ
ଦଳବଦଳ ନିରୋଧ ଆଇନ ଲାଗୁହେବନି
ଗଣମାଧ୍ୟମକୁ ଚଢ଼ା କହିଛନ୍ତି, ରାଜ୍ୟସଭାରେ ଆପ୍ର ଦୁଇ-ତୃତୀୟାଂଶ ସଦସ୍ୟ ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ବିଜେପି ସହ ମିଶ୍ରଣ କରିଛନ୍ତି। ସେ ନିଜକୁ ଭୁଲ୍ ଦଳରେ ଥିବା ଜଣେ ଠିକ୍ ବ୍ୟକ୍ତି ଭାବେ ବର୍ଣ୍ଣନା କରିବା ସହ ଅଭିଯୋଗ କରିଛନ୍ତି ଯେ ଆପ୍ ନିଜର ମୂଳ ନୀତି ଓ ଆଦର୍ଶରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇଛି। ଆପ୍ ଏବେ ଦେଶହିତ ଅପେକ୍ଷା ବ୍ୟକ୍ତିଗତ ଫାଇଦା ପାଇଁ କାର୍ଯ୍ୟ କରୁଛି ଏବଂ ସେ ଏହି ଅପରାଧର ଅଂଶୀଦାର ହେବା ଅପେକ୍ଷା ସକାରାତ୍ମକ ରାଜନୀତିକୁ ବାଛିଛନ୍ତି। ସାମ୍ବିଧାନିକ ଦୃଷ୍ଟିକୋଣରୁ ଏହି ମିଶ୍ରଣ ସମ୍ପୂର୍ଣ୍ଣ ବୈଧ ଥିବାରୁ ଆପ୍ ପାଇଁ ଏହା ପ୍ରଚଣ୍ଡ ଝଟ୍କା ସାବ୍ୟସ୍ତ ହୋଇଛି।
ସମ୍ବିଧାନ ଅନୁଯାୟୀ, ଯଦି କୌଣସି ଦଳର ଦୁଇ ତୃତୀୟାଂଶ ବିଧାୟକ କିମ୍ବା ସାଂସଦ ଅନ୍ୟ ଏକ ଦଳ ସହ ମିଶ୍ରଣ କରନ୍ତି, ତେବେ ସେମାନଙ୍କ ସଦସ୍ୟତା ରଦ୍ଦ ହେବନାହିଁ। ଏହି ବ୍ୟବସ୍ଥା ବଳରେ ୭ ଜଣ ସାଂସଦ ନିଜର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟତା ବଜାୟ ରଖିବେ। ଆପ୍ର ୧୦ ଜଣ ସାଂସଦଙ୍କ ମଧ୍ୟରୁ ୭ ଜଣ ବିଦ୍ରୋହ କରିବା ଫଳରେ ରାଜ୍ୟସଭାରେ ଆପ୍ର ସଂଖ୍ୟା ମାତ୍ର ୩କୁ ଖସି ଆସିଛି।
୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଏହା ଏକ ଶକ୍ତ ଧକ୍କା ହୋଇଛି। ଆଜି ୩ ଜଣ ସାଂସଦ ରାଘବ ଚଢ଼ା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ବିଜେପି ମୁଖ୍ୟ ନିତିନ ନବୀନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଅନ୍ୟ ୪ ସାଂସଦ ପରେ ବିଜେପିରେ ଯୋଗ ଦେବେ। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିଜେପି ପୁଣିଥରେ ପଞ୍ଜାବୀଙ୍କ ସହ ବିଶ୍ବାସଘାତ କରିଛି। ଆପ୍ ନେତା ସଂଜୟ ସିଂହ ଚଢ଼ା ଓ ଅନ୍ୟମାନଙ୍କୁ କଡ଼ା ସମାଲୋଚନା କରିବା ସହ ଏହି ଦଳ ବଦଳ ପଛରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷଡ୍ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ

