Cyclone: ୧୯୭୧ ସୁନାମିରେ ହୋଇଥିଲେ ବାସହରା: ଠିକଣା ଖୋଜୁଛନ୍ତି ସାତଭାୟାର ୨୭୨ ପରିବାର, ୫୫ ବର୍ଷ ପରେ ବି ଜମିପଟ୍ଟାରୁ ବଞ୍ଚିତ ୪୦%
ବଙ୍ଗୋପସାଗର ଆଁରୁ ଆସି ଓକିଲପାଳରେ ୫୫ ବର୍ଷ ହେଲା ପଡ଼ିରହିଛନ୍ତି। ସାତଭାୟାର ଗୋବିନ୍ଦପୁର ଓ ମୋହନପୁର ଗାଁର ୨୭୨ ପରିବାର ଓକିଲପାଳରେ ବସବାସ କରୁଛନ୍ତି। ସେମାନେ ୫୫ ବର୍ଷ ଧରି ଗୋଟିଏ ସ୍ଥାନରେ ରହୁଥିବା...

ରାଜନଗର (ସୂର୍ଯ୍ୟ ନାରାୟଣ ଲେଙ୍କା): ବଙ୍ଗୋପସାଗର ଆଁରୁ ଆସି ଓକିଲପାଳରେ ୫୫ ବର୍ଷ ହେଲା ପଡ଼ିରହିଛନ୍ତି। ସାତଭାୟାର ଗୋବିନ୍ଦପୁର ଓ ମୋହନପୁର ଗାଁର ୨୭୨ ପରିବାର ଓକିଲପାଳରେ ବସବାସ କରୁଛନ୍ତି। ସେମାନେ ୫୫ ବର୍ଷ ଧରି ଗୋଟିଏ ସ୍ଥାନରେ ରହୁଥିବା ବେଳେ ୧୯୭୮ ମସିହାରୁ ଭୂଦାନ ପକ୍ଷରୁ ସେମାନଙ୍କୁ ପଟ୍ଟା ଦିଆଯାଇ ଥଇଥାନ କରାଯାଇଛି। ଏହା ସତ୍ତ୍ବେ ଆଜି ବି ୨୭୨ ପରିବାର ସେମାନଙ୍କ ଠିକଣା ଖୋଜୁଛନ୍ତି। ଓକିଲପାଳକୁ ଆଜି ଯାଏଁ ରାଜସ୍ୱ ଗାଁର ମାନ୍ୟତା ମିଳିନି। ଗାଁର ୪୦ ପ୍ରତିଶତ ପରିବାର ପଟ୍ଟା ପାଇ ପାରିନାହାନ୍ତି। ସେମାନେ ୫୫ ବର୍ଷ ହେଲା ଚାଷ କରି ଆସୁଥିବା ମଗରକନ୍ଦା ଓ ଦାନ୍ତିଆପଦାକୁ ବନ ବିଭାଗ ଛାଡୁନି ବୋଲି ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।
ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଓକିଲପାଳରେ ବସବାସ କରୁଛନ୍ତି ୨୭୨ ପରିବାର। ୧୯୭୧ ପ୍ରଳୟଙ୍କରୀ ମହାବାତ୍ୟା ଓ ସୁନାମୀରେ ବଙ୍ଗୋପସାଗର କୂଳରେ ଥିବା ସାତଭାୟାର ଗୋବିନ୍ଦପୁର ଓ ମୋହନପୁର ଗାଁ ସମ୍ପୂର୍ଣ୍ଣ ରୂପେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏହି ଦୁଇଟି ଗାଁର ୭୫୨ ଲୋକ ପ୍ରାଣ ହରାଇଥିଲେ। ବଞ୍ଚି ଯାଇଥିବା ଲୋକ ଭାସି ଭାସି ଆସି ଓକିଲପାଳରେ ପହଞ୍ଚିଥିଲେ। ବାତ୍ୟା ଛାଡ଼ିବା ପରେ ଗାଁ, ଘରଦ୍ୱାର, ଜମିବାଡ଼ି ସମୁଦ୍ର ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହୋଇଯାଇଥିବାରୁ ଦୁଇଟି ଗାଁର ଲୋକେ ଓକିଲପାଳରେ ଝୁମ୍ପୁଡ଼ି କରି ବସବାସ କରିଥିଲେ। ୧୯୭୮ ମସିହାରେ ରମାଦେବୀ ଓ ରାଧାନାଥ ରଥ ପହଞ୍ଚି ଭୂଦାନ ପକ୍ଷରୁ ଘରବାରି ପଟ୍ଟା ପ୍ରଦାନ କରିଥିଲେ।
ଗାଁର ୬୦ ପ୍ରତିଶତ ପରିବାର ପଟ୍ଟା ପାଇଥିବା ବେଳେ ୪୦ ପ୍ରତିଶତ ପରିବାର ପଟ୍ଟା ପାଇପାରିନାହାନ୍ତି। ସମୁଦ୍ର ସର୍ବସ୍ୱ ଛଡ଼ାଇନେବା ପରେ ସେତେବେଳର ପ୍ରଶାସନ ଦୁଇଟି ଗାଁର ଲୋକଙ୍କୁ ବାଉଁଶଗଡ଼ ନଦୀ ସେପଟେ ମଗରକନ୍ଦା ଓ ଦାନ୍ତିଆପଦା ମୌଜାରେ ଥିବା ସରକାରୀ ଜମିରେ ଚାଷ କରିବାକୁ ଅନୁମତି ଦେଇଥିଲା। ପ୍ରତି ପରିବାର ଏକ/ଦୁଇ ଏକର ଜମିରେ ୫୦ ବର୍ଷରୁ ଅଧିକ ହେଲା ଚାଷ କରି ଆସୁଛନ୍ତି। ମାତ୍ର ବନବିଭାଗ ସେମାନଙ୍କୁ ଚାଷ ଜମି ନିକଟକୁ ଛାଡୁନଥିବା ଏବଂ ଅଧିକାଂଶ ସମୟରେ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ୨୭୨ ପରିବାର ରହୁଥିବା ଓକିଲପାଳକୁ ଆଜିଯାଏଁ ରାଜସ୍ୱ ଗାଁର ମାନ୍ୟତା ମିଳିପାରିନି। ରାଜସ୍ୱ ଗ୍ରାମ ମାନ୍ୟତା ନେଇ ସବୁବେଳେ ତାଲିକାରେ ଓକିଲପାଳ ଏକ ନମ୍ବରରେ ରହୁଛି ଅଥଚ ଘୋଷଣା ବେଳେ ବାଦ ପଡୁଛି। ଆଉ କେତେଦିନ ବିନା ଠିକଣାରେ ବଞ୍ଚିବୁ ବୋଲି ଗାଁର ବିଚିତ୍ର କୁମାର ଦାସ, ସନ୍ତୋଷ କୁମାର ମଣ୍ଡଳ, ସଂକର୍ଷଣ ଲେଙ୍କା, ଅମର ସାମଲ, ବ୍ରଜବନ୍ଧୁ ଦାସ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




