Asian Games Gold Medallist ହକି ତାରକାଙ୍କୁ ସ୍ବାଗତ: ଦଳଗତ ପ୍ରଦର୍ଶନ ବେଶ୍ ଚମତ୍କାର ଥିଲା: ଶୀଳାନନ୍ଦ
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ତାରକା ଶୀଳାନନ୍ଦ ଲାକ୍ରା ରାଉରକେଲା ଫେରିଛନ୍ତି। ଭବ୍ୟ ସ୍ୱାଗତ ସହ ପ୍ରଶାସନର ଅନୁପସ୍ଥିତିକୁ ନେଇ ଅସନ୍ତୋଷ ଦେଖାଦେଇଛି।

ରାଉରକେଲା: ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ଶୀଳାନନ୍ଦ ଲାକ୍ରାଙ୍କ ଆଜି ଘରବାହାଡ଼ୁ ହୋଇଛି। ଆଜି ପୂର୍ବାହ୍ନରେ ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଗୌରବମୟ ସଫଳତା ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରୋଟୋକଲ ଓ କ୍ରୀଡ଼ା ବିଭାଗର ମହାପ୍ରବନ୍ଧକ ଜେ.ପି. ମିଶ୍ର, ଇଣ୍ଟରସିଟି ଗୋଲ୍ଡ କପ୍ ହକି ଆସୋସିଏସନ୍ର ଉପସଭାପତି ବାର୍ଥାଲୋମୀ କେର୍କେଟା, ସାଂଗଠନିକ ସମ୍ପାଦକ ଷ୍ଟାନ୍ଲି ଭିକ୍ଟର ମିଞ୍ଜ, ସମ୍ପାଦକ ରଜତ କୁମାର ମିଞ୍ଜ, ଯୁଗ୍ମ ସମ୍ପାଦକ ଜେମ୍ସ କୁଜୁର, ରାଜେନ ଏକ୍କା, ଆଶିଷ କେର୍କେଟା ପ୍ରମୁଖ ଶୀଳାନନ୍ଦଙ୍କୁ ସ୍ବାଗତ କରିଥିଲେ। ଦଳର ସ୍ବର୍ଣ୍ଣ ପଦକପରେ ବେଶ୍ ଖୁସିଥିବା କହିଛନ୍ତି ସେଲ୍ ହକିଏକାଡେମୀର ଏହି ପୂର୍ବତନ ଖେଳାଳି।
ପ୍ରତିକ୍ରିୟାରେ ଶୀଳାନନ୍ଦ କହିଲେ, ଆମ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ବେଶ୍ ସନ୍ତୁଳିତ ଥିଲା। ଏସୀୟ କ୍ରୀଡ଼ାରେ ଦଳଗତ ପ୍ରଦର୍ଶନ ବେଶ୍ ଚମତ୍କାର ରହିଥିଲା। କ୍ରୀଡ଼ାରେ ଆଶା ଓ ନିରାଶା ଲାଗିରହିଥାଏ। ପୂର୍ବ ତ୍ରୁଟିକୁ ସୁଧାରି ନିଷ୍ଠାପର ଅଭ୍ୟାସରେ ଧ୍ୟାନ ଦେଇଥିଲୁ, ଯାହାର ସୁଫଳ ପାଇଲୁ। ଭବିଷ୍ୟତରେ ସମାନ ଚିନ୍ତାଧାର ଓ ଲକ୍ଷ୍ୟ ନେଇ ଉନ୍ନତମାନର ପ୍ରଦର୍ଶନ ଜାରି ରଖିବୁ। ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଢେର୍ ଅଧିକ।
ସୌଜନ୍ୟ ସମ୍ବାଦ




