Jajpur ZP CDO vs MP supporters ଯାଜପୁର ଜିଲ୍ଲା ପରିଷଦ ସିଡିଓଙ୍କୁ ସାଂସଦଙ୍କ ସମର୍ଥକଙ୍କ ଆକ୍ରମଣ, ଥାନାରେ ଏତଲା
ଯାଜପୁର ଜିଲ୍ଲା ପରିଷଦ ସିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଉଭୟ ପକ୍ଷର ଅଭିଯୋଗ ଆଧାରରେ ୩ଟି ମାମଲା ରୁଜୁ ହୋଇଛି।

ଯାଜପୁର (ମନୋଜ କୁମାର ରାଉଳ): ଜିଲ୍ଲା ପ୍ରଶାସନର ଏକ ସମୀକ୍ଷା ବୈଠକର ଅବ୍ୟବହିତ ପୂର୍ବରୁ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ (ସିଡିଓ) ଦେବୀ ପ୍ରସାଦ ମହାନ୍ତିଙ୍କୁ ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସିଡିଓ ମହାନ୍ତି ଥାନାରେ ଏତଲା ଦେଇଥିବା ବେଳେ ସିଡିଓଙ୍କ ବିରୋଧରେ ମଧ୍ୟ ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ଧଳ ଓ ଦୁଃଖିଶ୍ୟାମ ପାଣି ପାଲଟା ଅଭିଯୋଗ ଥାନାରେ ଦାଏର କରିଛନ୍ତି। ସେମାନଙ୍କୁ ସିଡିଓ ଜାତିଆଣ ସୂଚକ ମନ୍ତବ୍ୟ ଦେବା ଓ ଗାଳିଗୁଲଜ କରିଥିବା ଦର୍ଶାଇଛନ୍ତି। ଏହି ଘଟଣାକୁ ନେଇ ଯାଜପୁରରେ ରାଜନୀତି ସରଗରମ ହୋଇଛି।
ଅକ୍ଟୋବର ୫ ତାରିଖ ରାତି ପ୍ରାୟ ୮ଟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ସହ ବିଧାୟକ ଓ ସାଂସଦଙ୍କର ଏକ ବୈଠକ ଆୟୋଜନ କରାଯାଇଥିଲା। ଏହା ପୂର୍ବରୁ ଜିଲ୍ଲା ପରିଷଦ ପିଡି ଶ୍ରୀ ମହାନ୍ତି ସର୍କିଟ୍ ହାଉସରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ନିକଟରେ ଉପସ୍ଥିତ ଥିଲେ। ସେଠାରେ ସାଂସଦ ସରକାରୀ ପ୍ରକଳ୍ପଗୁଡ଼ିକ ଅନୁମୋଦନରେ ବହୁ ପାତରଅନ୍ତର କରାଯାଉଥିବା ନେଇ ସିଡିଓଙ୍କୁ ତାଗିଦ କରିଥିଲେ। ଏହାକୁ ଶ୍ରୀ ମହାନ୍ତି ଖଣ୍ଡନ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ସେଠାରେ ଉପସ୍ଥିତି ସାଂସଦଙ୍କ ସହଯୋଗୀ ତଥା ଯାଜପୁର ବିଜେପିର ଦୁଇ ବରିଷ୍ଠକର୍ମୀ ଯାଜପୁର ଟାଉନର କଳିଙ୍ଗ କେଶରୀ ମହାନ୍ତି ଓ ସୁଜନପୁରର ପ୍ରତାପ ମହାନ୍ତି ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଅଭିଯୋଗରେ ସିଡିଓ ଦର୍ଶାଇଛନ୍ତି ଯେ ଆକ୍ରମଣ ଘଟଣା ପରେ ସେ ଭୟଭୀତ ଅଛନ୍ତି। ଏଣୁ ତାଙ୍କୁ ସୁରକ୍ଷା ଯୋଗାଇବାକୁ ନିବେଦନ କରିଛନ୍ତି।
ସୌଜନ୍ୟ ସମ୍ବାଦ




