ଓଡିଶା

ପ୍ରତ୍ୟେକ ଶିଶୁ ପାଇଁ ଗୁଣାତ୍ମକ ଶିକ୍ଷା ଜରୁରୀ, ସମଗ୍ର ଶିକ୍ଷାର ନୂତନ ରୂପରେଖ ପରାମର୍ଶ ବୈଠକରେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର ୧୦।୦୧ : ଦେଶର ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବା ଜରୁରି । ଏଥିପାଇଁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷାରେ ଶତ ପ୍ରତିଶତ ନାମଲେଖା ହାସଲ କରିବାକୁ ହେବ । ପାଠପଢ଼ାରେ ରହୁଥିବା ବ୍ୟବଧାନକୁ କମାଇବାକୁ ପଡ଼ିବ । ଡ୍ରପ୍ଆଉଟ୍ ହାର ହ୍ରାସ ହେବା ଉଚିତ୍। ଗୁଣାତ୍ମକ ଶିକ୍ଷାଦାନ ସହ ଅପପୃଷ୍ଟି ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ମିଳିତ ଦାୟିତ୍ୱ ରହିବା ଆବଶ୍ୟକ। ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରିବା, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଡିଜାଇନ ଥିଙ୍କିଙ୍ଗ୍, କ୍ରିଟିକାଲ ଥିଙ୍କିଙ୍ଗ୍ ବିକଶିତ କରିବାକୁ ହେବ । ତେବେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ପରିକଳ୍ପନା ବାସ୍ତବରେ ରୂପାନ୍ତରିତ ହେବ । ଆଜି ନୂଆଦିଲ୍ଲୀରେ ସମଗ୍ର ଶିକ୍ଷା ୩.୦ ଉପରେ ସମଗ୍ର ଶିକ୍ଷାର ନୂତନ ରୂପରେଖ ପାଇଁ ଏକ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହା କହିଛନ୍ତି । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ମିଳିତ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀ, ଶିକ୍ଷାବିତ୍ ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧି ସ୍କୁଲ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ଲାଗି ସରକାର ବ୍ୟବସ୍ଥା କରିବେ । ସ୍କୁଲ ପରିଚାଳନା ଦାୟିତ୍ୱରେ ସମାଜର ସକ୍ରିୟ ଅଂଶଗ୍ରହଣ ରହିବ । ଏଥିସହ ବୈଷୟିକ ଶିକ୍ଷା, ଡିଜିଟାଇଜେସନ୍ର ବ୍ୟବହାର କରି ପରୀକ୍ଷା ବୋଝ କମାଇବାକୁ ହେବ । ଆମ ‘ଅମୃତ ପିଢ଼ି’କୁ ମାକାଉଲେ ମାନସିକତାରୁ ବାହାର କରି ଆଣିବା ଓ ବିକଶିତ ଭାରତ ପାଇଁ ଏକ ମାନବ ସମ୍ବଳ ଗଠନ ପାଇଁ ସମସ୍ତେ ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ସମସ୍ତେ ସମଗ୍ର ଶିକ୍ଷା ଯୋଜନାକୁ ‘ଫଳାଫଳ ଭିତ୍ତିକ’ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ ପରିଣତ କରନ୍ତୁ । ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି ‘ବିକଶିତ ଭାରତ’ର ଲକ୍ଷ୍ୟ ସହ ସମାନ କରିବା ଓ ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବା ଯାହା ଫଳାଫଳ ଭିତ୍ତିକ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ଭାରତୀୟତା ସହ ଜଡ଼ିତ । ଏହା ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ଶ୍ରୀ ପ୍ରଧାନ, ସମସ୍ତ ଏକାଡେମିକ ବିଶେଷଜ୍ଞ, ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଓ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏକ ସାମଗ୍ରିକ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button