ରାଜ୍ୟ

Bus accident while overtaking: ଓଭରଟେକ୍‌ ବେଳେ ବସ୍‌ ଦୁର୍ଘଟଣା: ୨ ଅଧିକାରୀ ମୃତ, ୧୨ ଆହତ

ଓଭରଟେକ୍‌ କରିବାକୁ ଯାଇ ଘଟିଲା ଭୟଙ୍କର ଦୁର୍ଘଟଣା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର-ଗରଗଡ଼ବାହାଲ ମଝିରେ ରବିବାର ରାତି ପ୍ରାୟ ୩ଟା ୩୦ରେ ଓଏସ୍‌ଆର୍‌ଟିସିର ଭଲ୍‌ଭୋ ବସ୍‌ ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା...

ଯୁଯୁମୁରା: ଓଭରଟେକ୍‌ କରିବାକୁ ଯାଇ ଘଟିଲା ଭୟଙ୍କର ଦୁର୍ଘଟଣା। ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର-ଗରଗଡ଼ବାହାଲ ମଝିରେ ରବିବାର ରାତି ପ୍ରାୟ ୩ଟା ୩୦ରେ ଓଏସ୍‌ଆର୍‌ଟିସିର ଭଲ୍‌ଭୋ ବସ୍‌ ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଜଣେ ମହିଳା ଓଡ଼ିଶା ଟ୍ୟାକ୍ସସେସନ୍‌ ଆଣ୍ଡ ଆକାଉଣ୍ଟସ୍‌ ସର୍ଭିସ (ଓଟିଏଏସ୍‌) ଟ୍ରେନିଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ ଏସ୍‌ବିଆଇ ପଦ୍ମପୁର ଶାଖାର ସହକାରୀ ଶାଖା ପରିଚାଳକ ଦୀପକ ଦାସ (୪୨) ଏବଂ ଓଟିଏଏସ୍‌ ଟ୍ରେନି ବୁର୍ଲାର ପ୍ରୀତିସୁମନ ପ୍ରଧାନ (୨୭)। ମୃତ ଦୀପକ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ ଦର୍ଲିଗୁଡ଼ାର ମୂଳବାସିନ୍ଦା ଓ ସେ ପଦ୍ମପୁରରେ ପରିବାର ସହ ରହୁଥିଲେ। ସେହିପରି ମୃତ ପ୍ରୀତି କଟକ ସିଟି ଜିଏସ୍‌ଟି ବିଭାଗରେ ଟ୍ରେନି ଅଫିସର୍‌ ଥିଲେ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନା ମୁତାବକ ପୁରୀରୁ ଭୁବନେଶ୍ୱର, ସମ୍ବଲପୁର ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ଯାଉଥିବା ଓଏସ୍‌ଆର୍‌ଟିସିର ଭଲ୍‌ଭୋ ବସ୍‌ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌’ (ଓଡି୦୨ସି୧୫-୨୫୫୭) ଦ୍ରୁତଗତିରେ ଆସି ଏକ ଟ୍ରକ୍‌ (ଓଡି୨୧ୟୁ-୪୩୪୦)କୁ ଓଭରଟେକ୍‌ କରୁଥିଲା। ଏହି ସମୟରେ ଟ୍ରକ୍ ସହ ବସ୍‌ର ଜୋର୍‌ଦାର ଧକ୍କା ହୋଇଥିଲା। ଏଥିରେ ବସ୍‌ର ସାମନା ପଟ ଓ ବାମପାର୍ଶ୍ବ ସମ୍ପୂର୍ଣ୍ଣ ଚୂରମାର୍‌ ହୋଇଯାଇଥିଲା। ଖବର ପାଇ ଯୁଯୁମୁରା ଥାନା ପୁଲିସ ବସ୍‌ ଭିତରେ ଫସିରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଆହତ ୧୨ ଜଣଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଭିମସାରକୁ ପଠାଇଥିଲା। ଏଥିରୁ ୫ ଜଣ ନୟାଗଡ଼ ଜିଲ୍ଲାର ସନ୍ଧ୍ୟାରାଣୀ ଶତପଥୀ, ପୁଅ ଅମୃତୟ ଶତପଥୀ, ସମ୍ବଲପୁର ଅଇଁଠାପାଲିର ଶ୍ରୀୟାଶ୍ରୀ ରଥ, ଭୁବନେଶ୍ବରର ଲିପିକା ଦାଶ, ତାଙ୍କ ସ୍ବାମୀ ମହେଶ ପ୍ରସାଦ ଦାସ ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆହତଙ୍କ ମଧ୍ୟରୁ ୩ ମହିଳା ସନ୍ଧ୍ୟାରାଣୀ, ଶ୍ରୀୟାଶ୍ରୀ ଓ ଲିପିକାଙ୍କ ଅସ୍ତ୍ରୋପଚାର କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button