ଜାତୀୟ

CEC EC appointment law: ସିଇସି-ଇସି ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟରେ ବିଭାଜିତ ମତ, ବୃହତ୍ତର ବେଞ୍ଚ ନେଇ ଦୁଇ ବିଚାରପତିଙ୍କ ଭିନ୍ନ ରାୟ

ନୂଆଦିଲ୍ଲୀ, ୨୪।୯: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ୨୦୨୩ର ଆଇନ ଉପରେ ସୁପ୍ରିମକୋର୍ଟ ବୁଧବାର ବିଭାଜିତ ମତ ରଖିଛନ୍ତି । ଏହି ମାମଲା ବୃହତ୍ତର ଖଣ୍ଡପୀଠଙ୍କ ନିକଟକୁ ପଠାଯିବ କି ନାହିଁ, ତାହା ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍‌ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ସ୍ଥିର କରିଥାନ୍ତେ । ୫ ଦିନ ପର୍ଯ୍ୟନ୍ତ ମାମଲା ଶୁଣାଣି ପରେ ଜଷ୍ଟିସ୍‌ ଦୀପଙ୍କର ଦତ୍ତ ମାମଲାକୁ ୫ ଜଣିଆ ବୃହତ୍ତର ଖଣ୍ଡପୀଠକୁ ପଠାଇବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା ଯେ ଏହି ଆବେଦନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରଶ୍ନ ଉଠାଉଛି, ତେଣୁ ଏହାକୁ ୫ ଜଣିଆ ସାମ୍ବିଧାନିକ ପୀଠକୁ ପଠାଯିବା ଉଚିତ । କିନ୍ତୁ ଜଷ୍ଟିସ୍‌ ଦତ୍ତ ଏହାକୁ ଗ୍ରହଣ କରି ନ ଥିଲେ । ଅପରପକ୍ଷେ ଜଷ୍ଟିସ୍‌ ଶର୍ମା ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ତେବେ ଉଭୟ ବିଚାରପତି ମାମଲାକୁ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନିକଟକୁ ପଠାଇବା ଲାଗି ସହମତ ହୋଇଛନ୍ତି । ଏବେ ମାମଲା ବୃହତ୍ତର ଖଣ୍ଡପୀଠକୁ ଯିବ କି ନା ତାହା ସିଜେଆଇ ସ୍ଥିର କରିବେ । ୫ ଜଣିଆ ଖଣ୍ଡପୀଠକୁ ମାମଲା ପଠାଇବା ଲାଗି କ’ଣ ସମ୍ଭାବନା ରହିଛି ତାହା ତଲାସିବାକୁ ମଧ୍ୟ ଏହି ଖଣ୍ଡପୀଠ ଅନୁରୋଧ କରିଥିବା ଜଣାଯାଇଛି ।  ମଧ୍ୟପ୍ରଦେଶ ମହିଳା କଂଗ୍ରେସ କମିଟି ମହାସଚିବ ଡ. ଜୟା ଠାକୁର, ଏଡିଆର୍‌ ସମେତ ଅନେକ ପିଟିସନର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ଆକ୍ଟ-୨୦୨୩ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି ।

୨୦୨୩ର ଆଇନରେ ସିଇସି ଏବଂ ଇସିଙ୍କ ନିଯୁକ୍ତି କରିବା ଲାଗି ଚୟନ କମିଟିରେ ସିଜେଆଇଙ୍କୁ ସାମିଲ କରା ନ ଯିବାକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି । ଏହି ଆଇନ ଅନୁସାରେ, କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନାମିତ ଜଣେ କେନ୍ଦ୍ର ମନ୍ତ୍ରୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ସାମିଲ ହେବେ । ଯଦି ବିରୋଧୀ ଦଳ ନେତା ନ ଥିବେ ତେବେ ଲୋକସଭାରେ ସବୁଠୁ ବଡ଼ ବିରୋଧୀ ଦଳର ନେତାଙ୍କୁ ସଦସ୍ୟ ବନାଯିବ । ଏହା ପୂର୍ବରୁ ୨୦୨୩ ମାର୍ଚ୍ଚ ୨ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଥିଲେ ଯେ ସିଇସି ଏବଂ ଇସିଙ୍କ ନିଯୁକ୍ତି ରାଷ୍ଟ୍ରପତି କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ଏବଂ ସିଜେଆଇଙ୍କ କମିଟିର ପରାମର୍ଶ ନିଆଯିବ । କିନ୍ତୁ କେନ୍ଦ୍ର ସରକାର ନୂଆ ଆଇନରେ ସିଜେଆଇଙ୍କ ସ୍ଥାନରେ କମିଟିରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନାମିତ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା । ଏହା ଅଦାଲତ ଅବମାନନା ବୋଲି ଅଭିଯୋଗ ହେବା ସହ ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଜଷ୍ଟିସ୍‌ ଦତ୍ତ କହିଥିଲେ, ୫ ଦିନ ଧରି ଏହି ପିଟିସନ ଉପରେ ଶୁଣାଣି ହୋଇଥିଲା । କିନ୍ତୁ ଦୁଇ ବିଚାରପତି ଏକାଭଳି ରାୟ ଦେବା ଲାଗି ସହମତ ହୋଇପାରି ନାହାନ୍ତି । ଉଭୟଙ୍କ ରାୟରେ ତଫାତ ରହିଛି । ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ ସ୍ୱାଧୀନ ହେବା ଜରୁରି । କେବଳ କମିଶନ ସ୍ୱାଧୀନ ଏବଂ ସ୍ୱଚ୍ଛ ହେବା ଯଥେଷ୍ଟ ନୁହେଁ ବରଂ ଲୋକଙ୍କୁ ସେହି ସ୍ୱାଧୀନତା ଏବଂ ପାରଦର୍ଶିତା ନଜର ଆସିବା ଆବଶ୍ୟକ । ୨୦୨୩ର ଆଇନ ସିଜେଆଇଙ୍କୁ ଚୟନ କମିଟିରୁ ବାହାର ରଖିବାର ସିଧା ଚ୍ୟାଲେଞ୍ଜରୁ ବର୍ତ୍ତିଗଲେ ବି ନିର୍ବାଚନ କମିଶନଙ୍କ ସ୍ୱାଧୀନତାକୁ ନେଇ ଲୋକଙ୍କ ଧାରଣାର ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଏଥିସହ ଜଷ୍ଟିସ୍‌ ଦତ୍ତ କମିଟିରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ନାମିତ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ଯେଉଁ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କମିଟିରେ ସାମିଲ କରିବେ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯିବାର ସମ୍ଭାବନା କ୍ଷୀଣ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button