Child nutrition: ବର୍ଷାଦିନେ ଶିଶୁମାନଙ୍କ ଖାଦ୍ୟପେୟର ଯତ୍ନ
ବର୍ଷାଋତୁ ଗରମରୁ ଆଶ୍ବସ୍ତି ଦେଇଥାଏ। ତେବେ ଏହି ସମୟରେ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେବା ହେତୁ ବ୍ୟାକ୍ଟେରିଆ ଓ ଭାଇରସ୍ ଅଧିକ ସକ୍ରିୟ ହୋଇଥାଆନ୍ତି। ଫଳରେ ଛୋଟ ପିଲାମାନେ ସହଜରେ....

ବର୍ଷାଋତୁ ଗରମରୁ ଆଶ୍ବସ୍ତି ଦେଇଥାଏ। ତେବେ ଏହି ସମୟରେ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେବା ହେତୁ ବ୍ୟାକ୍ଟେରିଆ ଓ ଭାଇରସ୍ ଅଧିକ ସକ୍ରିୟ ହୋଇଥାଆନ୍ତି। ଫଳରେ ଛୋଟ ପିଲାମାନେ ସହଜରେ ସଂକ୍ରମଣରେ ପଡ଼ିବା ଆଶଙ୍କା ଥାଏ। ଏଥିପାଇଁ ପିଲାମାନଙ୍କର ଖାଦ୍ୟପେୟ ଓ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଜରୁରି। ଏହି କ୍ରମରେ ବର୍ଷାଦିନେ ପିଲାମାନଙ୍କୁ କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରଖିବା ଉଚିତ, ଆସନ୍ତୁ ସେ ସମ୍ପର୍କରେ ଜାଣିବା।
ଷ୍ଟ୍ରିଟ୍ ଫୁଡ୍- ବର୍ଷାଦିନେ ରାସ୍ତାକଡ଼ରେ ମିଳୁଥିବା ଚାଟ୍, ଗୁପ୍ଚୁପ୍, ସିଙ୍ଗଡ଼ା, ପକୁଡ଼ି ଆଦି ଦୂଷିତ ପାଣି ଓ ତେଲରେ ପ୍ରସ୍ତୁତ ହୋଇଥାଇପାରେ। ଏହାଦ୍ବାରା ପେଟ ସଂକ୍ରମଣର ଭୟ ଥାଏ। ତେଣୁ ପିଲାଙ୍କୁ କେବଳ ଘରେ ତିଆରି ଖାଦ୍ୟ ଦେବା ଉଚିତ।
କଟା ଫଳ ଓ ବାସି ଖାଦ୍ୟ- ବାହାରେ ଖୋଲା ରଖାଯାଇଥିବା କଟା ଫଳରେ ଧୂଳି, ମଇଳା ଓ ବ୍ୟାକ୍ଟେରିଆ ଶୀଘ୍ର ଜମି ଯାଆନ୍ତି। ସେହିପରି ବାସି ଖାଦ୍ୟରେ ମଧ୍ୟ ଫଙ୍ଗସ୍ ସୃଷ୍ଟି ହୋଇଯାଏ। ତେଣୁ ସବୁବେଳେ ପିଲାଙ୍କୁ ସଜେତ ଫଳ ଓ ଗରମ ଖାଦ୍ୟ ଖାଇବାକୁ ଦେବା ଭଲ।
ଥଣ୍ଡା ପାନୀୟ- ବର୍ଷାଦିନେ ଅଧିକ ଥଣ୍ଡା ପାନୀୟ ପିଇବା ଦ୍ବାରା ଟନ୍ସିଲ୍ ବା ଥ୍ରୋଟ୍ ଇନ୍ଫେକ୍ସନ୍ ହୋଇଥାଏ। ତେଣୁ ଏହି ଦିନରେ ପିଲାଙ୍କୁ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାଣି ଓ ନଡ଼ିଆ ପାଣି ପିଆଇବା ଉଚିତ।
ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ- ଏହି ଋତୁରେ ହଜମ ପ୍ରକ୍ରିୟା ଦୁର୍ବଳ ହୋଇଥାଏ। ତେଣୁ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଗ୍ୟାସ୍ ଓ ବଦହଜମୀ ହୋଇଥାଏ। ତେଣୁ ପିଲାଙ୍କୁ ହାଲୁକା ଖାଦ୍ୟ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।
ଶାଗଜାତୀୟ ପରିବା- ବର୍ଷାଦିନେ ପତ୍ର ସହ ଥିବା ପରିବାରେ ପୋକ ଓ ଜୀବାଣୁ ରହିବା ଅଧିକ ଆଶଙ୍କା ଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ଧୋଇବା ଆବଶ୍ୟକ।
ସୌଜନ୍ୟ ସମ୍ବାଦ




