Construction: ଚଉଦ ନାହାକା ଖମ୍ବି ନିର୍ମାଣ ଶେଷ

ପୁରୀ: ଆଜି ରଥ ନିର୍ମାଣର ଥିଲା ୩୪ ତମ ଦିବସ। ରଥ ନିର୍ମାଣକାରୀ ସେବକମାନେ ରଥ ଖଳାରେ ଉପସ୍ଥିତ ରହି ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ତିନିରଥର ୨୧ ଅଖ ନିର୍ମାଣ ଶେଷ ହୋଇଛି।  ଭଉଁରି ତିଥିରେ ଚକ – ଅଖ ଡେରା ନୀତି ଶେଷ ହୋଇଥିବା ବେଳେ ତିନିରଥର ଗୋଟିଏ ଗୋଟିଏନାହାକା ଅଖକୁ ମିଶାଇ ଅଖ ନିର୍ମାଣ ଶେଷ ହୋଇଛି। ୧୪ଟି ଲେଖାଏଁ  ୨୦ ଫୁଟିଆ ‘ଚଉଦ ନାହାକା’ ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରଥ ଅମିନ ଚଉଦ ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ଭୋଇ ସେବକଙ୍କ ସହାୟତାରେ ଦୁଇଟି ପର୍ଯ୍ୟାୟରେ ୧୧ଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଫାଳି ଯୋଗାଇ ଦେଇଥିଲେ।

ଚଉଦ ନାହାକା ଚଉପଟ ପରେ  ଅଷ୍ଟ କୋଣୀ ଆଂଶ ମରା କାର୍ଯ୍ୟ ଶେଷ ହୋଇଥିବାବଳେ ଆଜି  ନାହାକାଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ହୋଇଛି । ସେପଟେ ଆଜି ଗରଗରା କାର୍ଯ୍ୟ ଶେଷ  ହୋଇଛି। ତିନି ରଥର ୨୦ ଫୁଟିଆ ଗରଗରାରେ ବିନ୍ଧ କାର୍ଯ୍ୟ, ପ୍ରତି ଗରଗରାର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ ଆୟତାକାର ବିନ୍ଧ ତିନିରଥର ମହାରଣା ସେବକମାନେ ଖୋଦେଇ ଶେଷ କରିଛନ୍ତି,ଏହି ଗରଗରା ଆୟତାକାର ବିନ୍ଧରେସଂଯୋଗ ହୋଇ ଉଠିବ ଚାରି ନାହାକା ଅଖ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ସାନ ଉଛୁଳା, ଅଖ ଶେଷ ହୋଇ ନାହାକା ଏବଂ ପଡ଼ି ନାହାକା ଅଖଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲିଠାରୁ ଦଣ୍ତା କାମ ଆରମ୍ଭ ହେବ। ରୂପକାର ସେବକମାନେ ସାଲଗୁଜରେ ରୂପ ଖୋଦେଇ ଶେଷ କରି ତିନି ରଥର ୮ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଅଖ କଣ୍ଟା, ଦଣ୍ଡା କଣ୍ଟା ସହ ବେଦି ସିଂହାସନର ବାହାର ପାର୍ଶ୍ୱ ପରିକ୍ରମା ପ୍ରସ୍ତୁତିରେ ପଟା ବାଡ଼ିଆ ପାଇଁ ତାଗ କଣ୍ଟା ପ୍ରସ୍ତୁତି କରୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ