Murderer: ୩୨ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ

ଯାଜପୁର/ରସୁଲପୁର: ଲୁହାଲଙ୍ଗଳ ପାଇଁ ଦାଦାପୁଅ ଭାଇକୁ ହତ୍ୟା କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡ ପରେ ଦୀର୍ଘ ୩୨ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲା। ବାହାର ରାଜ୍ୟରେ ରାଜମିସ୍ତ୍ରି କାମ କରୁଥିଲା, ଆଉ ନିଜ ଗାଁ‌କୁ ଆସିଲେ ଘରେ ତିଆରି କରିଥିବା ସୁଡ଼ଙ୍ଗରେ ଆତ୍ମଗୋପନ କରୁଥିଲା। ଏଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦାଫାସ କରିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ। ୧୯୯୪ ମସିହାରୁ ଫେରାର ଥିବା ଏହି ହତ୍ୟା ଅଭିଯୁକ୍ତ କଲଣ ପଞ୍ଚାୟତ ନୂଆହାଟ ଗ୍ରାମର ରବୀନ୍ଦ୍ର ମଲ୍ଲିକ(୫୮)କୁ ପୁଲିସ ସୁଡ଼ଙ୍ଗ ଭିତରୁ ଗିରଫ କରିଛି।

ସୂଚନା ଅନୁସାରେ, ଏକ ଲୁହା ଲଙ୍ଗଳକୁ କେନ୍ଦ୍ର କରି ୨୧ ଅକ୍ଟୋବର ୧୯୯୪ ମସିହାରେ ରବୀନ୍ଦ୍ର ନିଜ ଦାଦାପୁଅ ଭାଇ ପରମାନନ୍ଦ ମଲ୍ଲିକଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିଲା। ଏହାପରେ ସେ ଫେରାର ହୋଇଯାଇଥିଲା। ଏ ନେଇ ଅବିଭକ୍ତ ଧର୍ମଶାଳା ଥାନାରେ ୨୦୫/୯୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା ପୁଲିସ। ତାକୁ ଧରିବାକୁ ପୁଲିସ ବାରମ୍ବାର ତା’ ଘର ଓ ଶଶୁର ଘରକୁ ଯାଇ ଖାଲି ହାତରେ ଫେରୁଥିଲା। ଅଦାଲତ ପକ୍ଷରୁ ତାକୁ ହାଜର ହେବା ଲାଗି ବାରମ୍ବାର ନୋଟିସ୍‌ କରାଯାଉଥିଲା। ଶେଷରେ ତାକୁ ପଳାତକ ଭାବେ ଘୋଷଣା କରାଯାଇଥିଲା। ଏହା ଭିତରେ ରବୀନ୍ଦ୍ର ନିଜର ପରିଚୟ ବଦଳାଇ ଦେଇଥିଲା। ଅଲଗା ନାମରେ ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ପ୍ରସ୍ତୁତ କରି ହାଇଦ୍ରାବାଦ, କେରଳ ଓ ଅନ୍ୟ ରାଜ୍ୟରେ ରାଜମିସ୍ତ୍ରି କାମ କରୁଥିଲା। କିନ୍ତୁ ପରିବାର ସହ ଯିବାଆସିବା ଲାଗି ରହିଥିଲା। ରବୀନ୍ଦ୍ରର ପତ୍ନୀ ଆଦମପୁରସ୍ଥିତ  ତାଙ୍କ ବାପଘରକୁ ଚାଲିଯାଇ ସେଠାରେ ନିଜ ଦୁଇପୁଅ ସହ ରହୁଥିଲେ। ଶଶୁର ଘରେ ରବୀନ୍ଦ୍ର ଏକ କୋଠରିରେ ଗୁପ୍ତ ବାଟ ତିଆରି କରିଥିଲା। କାନ୍ଥରେ ଆଲମିରା ରହିଥିଲା ଏବଂ ତା’ ପଛପଟେ ବାହାରକୁ ଯିବାକୁ ରାସ୍ତା ଥିଲା। ବାହାରପଟକୁ କଦଳୀ ଗଛ, ଜଙ୍ଗଲିଆ ଗଛ ଢାଙ୍କିବା ସହିତ ଉଚ୍ଚବାଡ଼ ମଧ୍ୟ ଦିଆଯାଇଥିଲା। ସେହି ବାଟ ଦେଇ ଯିବାଆସିବା କରୁଥିଲା ରବୀନ୍ଦ୍ର। ସେହିଭଳି ନିଜ ନୂଆହାଟ ଘରକୁ ଆସିଲେ ସୁଡ଼ଙ୍ଗରେ ଆତ୍ମଗୋପନ କରି ପୁଲିସକୁ ଚକ୍‌ମା ଦେଉଥିଲା।

ଗତ ସପ୍ତାହରେ ରବୀନ୍ଦ୍ର ଏକ ପାରିବାରିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଘରକୁ ଫେରିଥିବା ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଗତ ଶୁକ୍ରବାର ରାତିରେ କୁଆଖିଆ ଥାନା ପୁଲିସ ସଦଳବଳ ତାଙ୍କ ଘରେ ଚଢ଼ଉ କରିଥିଲା। ଯାଞ୍ଚ କରିବାରୁ ଘର ଚଟାଣ ତଳେ (ଅଣ୍ଡର ଗ୍ରାଉଣ୍ଡ୍‌) କୋଠରି ଭଳି ସୁଡ଼ଙ୍ଗ ଦେଖି କାବା ହୋଇଯାଇଥିଲା ପୁଲିସ। ସେଠାରୁ ରବୀନ୍ଦ୍ରକୁ ଗିରଫ କରାଯାଇଥିଲା। ଏ ସଂପର୍କରେ କୁଆଖିଆ ଥାନାଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି, ଗିରଫଦାରୀରୁ ବଞ୍ଚିବା ପାଇଁ ରବୀନ୍ଦ୍ର ୧୯୯୪ ମସିହାରେ ହିଁ ଏହି ଗୁପ୍ତ କୋଠରି ତିଆରି କରିଥିଲା। ନିଜ ଠିକଣା ଓ ପରିଚୟ ବଦଳାଇ ବାହାର ରାଜ୍ୟରେ କାମ କରୁଥିଲା। ରବୀନ୍ଦ୍ର ନାଁରେ ହତ୍ୟା ମାମଲା ସହିତ ଏକ ଚୋରି ମାମଲା ମଧ୍ୟ ରହିଛି।

 

 

 

ସୌଜନ୍ୟ ସମ୍ବାଦ