Cricket: ଭାରତୀୟ ପ୍ରଶିକ୍ଷକଙ୍କ ସୂଚନା; ଗଲ୍ରେ ୩ ସ୍ପିନରଙ୍କୁ ଖେଳାଇପାରେ ଭାରତ
ଗଲ୍ ଟେଷ୍ଟ୍ରେ ଭାରତ ତିନିଜଣ ବାମହାତୀ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ଏହି ସଙ୍କେତ ଦେଇଛନ୍ତି ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ। ମର୍କେଲଙ୍କ କହିବା ଅନୁସାରେ ଭାରତୀୟ ସ୍ପିନ୍ ଆକ୍ରମଣରେ ରହିଛନ୍ତି କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ମାନବ ସୁତାରଙ୍କ...

ଗଲ୍: ଗଲ୍ ଟେଷ୍ଟ୍ରେ ଭାରତ ତିନିଜଣ ବାମହାତୀ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ଏହି ସଙ୍କେତ ଦେଇଛନ୍ତି ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ। ମର୍କେଲଙ୍କ କହିବା ଅନୁସାରେ ଭାରତୀୟ ସ୍ପିନ୍ ଆକ୍ରମଣରେ ରହିଛନ୍ତି କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ମାନବ ସୁତାରଙ୍କ ଭଳି ବୋଲର। ତିନିଜଣ ଯାକ ବାମହାତୀ ହୋଇଥିଲେ ମଧ୍ୟ ସେମାନଙ୍କ ବୋଲିଂରେ ବିବିଧତା ରହିଛି।
କୁଲଦୀପ ତାଙ୍କ ଆକ୍ରମଣାତ୍ମକ ବାମହାତୀ କଚଟି ସ୍ପିନ୍ରେ ୱିକେଟ୍ ନେବାର ଦକ୍ଷତା ରଖନ୍ତି। ଜାଡେଜାଙ୍କ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ତାଙ୍କର ନିଖୁଣ ଲାଇନ୍ ଓ ଲେନ୍ଥ୍। ଅନ୍ୟପକ୍ଷରେ ସୁତାର ପାରମ୍ପରିକ ଶୈଳୀର ଲୁପିଂ ବାମହାତୀ ସ୍ପିନ୍ ବୋଲିଂ କରନ୍ତି। ଏଣୁ ତିନିଜଣ ବାମହାତୀ ସ୍ପିନରଙ୍କୁ ଏକାଠି ଖେଳାଇବା ନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତିତ ନୁହେଁ। ଭାରତର ସ୍ପିନ୍ ଆକ୍ରମଣ ଦଳକୁ ଏକ ବଡ଼ ଆକ୍ରମଣାତ୍ମକ ବିକଳ୍ପ ଦେଉଛି।
ସେହିଭଳି ଭାରତୀୟ ପେସ୍ ବାହିନୀରେ ମହମ୍ମଦ ସିରାଜଙ୍କ ସ୍ଥାନ ପ୍ରାୟ ନିଶ୍ଚିତ। ତାଙ୍କ ସହ ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ଗୁରନୂର ବ୍ରାରଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସୁଯୋଗ ମିଳିପାରେ। ଉଭୟଙ୍କର ଟେଷ୍ଟ୍ ଅଭିଜ୍ଞତା ସୀମିତ ଥିଲେ ମଧ୍ୟ ମୋର୍କେଲ ସେମାନଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ଗଲ୍ର ଗରମ ଓ ଆର୍ଦ୍ର ପରିବେଶ ପେସରଙ୍କ ପାଇଁ କିନ୍ତୁ ବଡ଼ ଚ୍ୟାଲେଞ୍ଜ ହେବ। କୁକାବୁରା ବଲ୍ ପୁରୁଣା ହେବା ସହ ନରମ ହୋଇଯିବା ପରେ ପେସରମାନଙ୍କୁ ନିଜ ରଣନୀତି ବଦଳାଇବାକୁ ପଡ଼ିବ। କ୍ରିଜ୍ ବ୍ୟବହାର, ସର୍ଟ ବଲ୍ ଏବଂ ଧୈର୍ଯ୍ୟର ସହ ବୋଲିଂ କରିବା ଏଠାରେ ଗୁରୁତ୍ୱପୂର୍ଣ୍ଣ ହେବ। ମର୍କେଲଙ୍କ ମତରେ, ଏଭଳି କଠିନ ପରିସ୍ଥିତିରେ କେବଳ ବୋଲିଂ କୌଶଳ ନୁହେଁ, ବରଂ ବୋଲରଙ୍କ ମାନସିକ ଦୃଢ଼ତା ମଧ୍ୟ ନିର୍ଣ୍ଣାୟକ ହେବ। ଦୀର୍ଘ ସମୟ ଧରି ଚାପ ବଜାୟ ରଖି ୨୦ଟି ୱିକେଟ୍ ନେବା ହିଁ ଭାରତର ମୁଖ୍ୟ ଲକ୍ଷ୍ୟ ରହିବ।
ସୌଜନ୍ୟ ସମ୍ବାଦ




