ଭୁବନେଶ୍ୱର: ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଶ୍ରୀଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସୋମନାଥ ଓ ଶ୍ରୀଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଓ ଗଭୀର ସମ୍ପର୍କ ଉପରେ ଆଲୋକପାତ କରି କହିଲେ, ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଶ୍ରୀଲିଙ୍ଗରାଜ ହେଉଛନ୍ତି ପୂର୍ବର ଅବିଚଳିତ ଶକ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁଜରାଟର ପ୍ରଭାସ ପାଟନସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଭବ୍ୟ ସମାରୋହର ସିଧାପ୍ରସାରଣ ଦେଖିଥିଲେ।
ଦେଶର ସାଂସ୍କୃତିକ ରାଜଧାନୀ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ପ୍ରସଙ୍ଗରେ କହିଲେ, ସରକାର ରାଜ୍ୟର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ ୧୦୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ଓଡ଼ିଶାକୁ ଭାରତର ସାଂସ୍କୃତିକ ରାଜଧାନୀ ଭାବେ ପ୍ରତିଷ୍ଠା କରିବ। ଏହାସହ ‘ଅରେଞ୍ଜ ଇକୋନୋମି’ ବା ସଂସ୍କୃତିଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପୁନର୍ଜାଗରଣ ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ଓ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ