ରାଜ୍ୟ

Cyclone: ବାତ୍ୟା ପୂର୍ବରୁ ତତ୍ପର ଗଜପତି ପ୍ରଶାସନ; ଘନ ଘନ ବୈଠକ, ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ତତ୍ପର ହୋଇଉଠିଛି ଗଜପତି ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଘନ ଘନ ବୈଠକ, ପ୍ରସ୍ତୁତିର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ ଜାରି ରହିଛି। ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଜଣେ ଲେଖାଏଁ ଜିଲ୍ଲାସ୍ତରୀୟ...

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ):ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ତତ୍ପର ହୋଇଉଠିଛି ଗଜପତିଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଘନ ଘନ ବୈଠକ, ପ୍ରସ୍ତୁତିର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ ଜାରି ରହିଛି। ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଜଣେ ଲେଖାଏଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଆର୍‌. ଉଦୟଗିରି ବ୍ଲକ୍‌ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୁନିନ୍ଦ୍ର ହନ୍ନାଗା, କାଶୀନଗର ବ୍ଲକ୍‌ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଫାଲ୍‌ଗୁନୀ ମାଝୀ, ମୋହନା ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଏବଂ ଗୋଷାଣୀ ବ୍ଲକ୍‌ ଦାୟିତ୍ୱରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଭଗତ ସାମଲ କଲ୍ୟାଣ ରାଓଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ରାୟଗଡ଼ା ବ୍ଲକ୍‌ ଦାୟିତ୍ୱରେ ପାରଳାଖେମୁଣ୍ଡି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ନୂଆଗଡ଼ ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) ପୃଥ୍ୱୀରାଜ ମଣ୍ଡଳ ଏବଂ ଗୁମ୍ମା ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲୋମନ ରାଇକାଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାରେ ୧୪୪ଟି ସମ୍ଭାବ୍ୟ ଭୂସ୍ଖଳନ ସ୍ଥଳ ଚିହ୍ନଟ ହୋଇଥିବା ବେଳେ ୨୮୧ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଅନ୍ୟପକ୍ଷରେ ୩ଟି ଓଡ୍ରାଫ୍‌ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି।

ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଯନ୍ତ୍ରପାତି, ଉଦ୍ଧାର ସାମଗ୍ରୀ, ଔଷଧ ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଜରୁରୀ ପରିସ୍ଥିତିରେ ଯେପରି ଉଦ୍ଧାର କାର୍ଯ୍ୟ, ରାସ୍ତା ଅବରୋଧ ହଟାଇବା ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ବିଳମ୍ବ ନହୁଏ, ସେଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଉଛି। ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି। ବଂଶଧାରା ନଦୀରେ ସମ୍ଭାବ୍ୟ ଜଳସ୍ତର ବୃଦ୍ଧି ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କାଶୀନଗର ଗସ୍ତ କରି ନଦୀକୂଳିଆ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button