ମହାନଗର

Cyclone LandFall Alert: ଆଜି ଓଡ଼ିଶାରେ ଛୁଇଁବ ବାତ୍ୟା ‘ଅକଭାନ୍‌’, ସକାଳୁ ଦେଖାଇଲାଣି ପ୍ରକୋପ, ଗୋପାଳପୁର ପାଖରେ ମାଡ଼ !

ଭୁବନେଶ୍ୱର,୨୦/୧୧: ଶୁକ୍ରବାର ଦିନ ୧୨ଟା ପାଖାପାଖି ଗୋପାଳପୁର ପାଖରେ ମାଡ଼ ହେବ ବାତ୍ୟା । ସେବେ ପବନର ବେଗ ୭୦ରୁ ୮୦ କିମି ଥିବ । ଲ୍ୟାଣ୍ଡଫଲ ପରେ ଶୀଘ୍ର ଦୁର୍ବଳ ହୋଇଯିବ । ପବନର ବେଗ ୫୦ରୁ ୬୦ କିମିକୁ ଖସଯିବ । ପବନ କମ୍ ରହିବ ସତ, କିନ୍ତୁ ପ୍ରବଳ ବର୍ଷିବ । ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡ଼ି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ଲ୍ୟାଣ୍ଡଫଲ ଓ ତୀବ୍ରତାକୁ ନେଇ ଏଭଳି ଆକଳନ ଦେଇଛନ୍ତି ।

ବାତ୍ୟା ପ୍ରଥମେ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଉଛି । ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖପାଟଣା, ପାର୍ବତୀପୁରମ୍ ଓ ବିଜୟନଗରମ୍ ଭଳି ଜିଲ୍ଲାରେ ୯୦ କିମି ପବନ ବହିପାରେ । କିନ୍ତୁ ଓଡ଼ିଶାରେ ପବନ ଅପେକ୍ଷାକୃତ କମ୍ ରହିବ । ଅଧିକ ବର୍ଷା ହେବ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଅଲଗା ପୂର୍ବାନୁମାନ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଗୁରୁବାର ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ଉପକୂଳ ପାଖରେ ଥିଲା ।

ଆଜି ସକାଳୁ ବାତ୍ୟା ଅକଭାନ୍‌ର ଲ୍ୟାଣ୍ଡ୍‌ଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥଳଭାଗ ଛୁଇଁବା ବେଳକୁ ମାତ୍ର ୭୦ରୁ ୮୦ କିମି ବେଗରେ ପବନ ବହିବ । ପବନର ଝଟ୍‌କା ସର୍ବାଧିକ ୯୦ କିମି ଛୁଇଁପାରେ । ଅଧିକ ପବନ ହେବାର ଆଶଙ୍କା ନାହିଁ । କିନ୍ତୁ ଲ୍ୟାଣ୍ଡଫ୍‌ଲ ସମୟରେ ପ୍ରବଳ ବର୍ଷା ହେବ । ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଆମେରିକାର ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର(ଜେଟିଡବ୍ଲୁସି) କହିଛି, ଲ୍ୟାଣ୍ଡ୍‌ଫଲ ବେଳେ ମାତ୍ର ୬୪ରୁ ୭୪ କିମି ବେଗରେ ପବନ ବହିପାରେ । ୨୦ ତାରିଖ ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି ସତର୍କତା ଜାରି କରିଛି ।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଧିକ ବର୍ଷା ଯୋଗୁ ଚାଷ ପ୍ରଭାବିତ ହେବ । ଗଞ୍ଜାମ ଓ ସଂଲଗ୍ନ ଉପକୂଳ ଜିଲ୍ଲାରେ କୃଷି କ୍ଷୟକ୍ଷତି ଅଧିକ ହୋଇପାରେ । ପାଚିଲା ଧାନ ଅଧିକ ନଷ୍ଟ ହେବ । ପୁରୀ, ଖୋର୍ଦ୍ଧା,ଜଗତସିଂହପୁରରେ ବହୁ କ୍ଷତି ହେବ ।

ଗୁରୁବାର ସକାଳୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିଲା । ଶୁକ୍ରବାର ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା  ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ୨୦୦ରୁ ୩୦୦ମିମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା ଅଛି । ଗଜପତିଓ ଗଞ୍ଜାମରେ ଅଧିକ ବର୍ଷା ସହିତ ୭୦ରୁ୮୦ କିମି ବେଗରେ ପବନ ବହିପାରେ । ଆଇଏମ୍‌ଡ଼ି  ଏଭଳି ସତର୍କ କରାଇଛି।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ, ଢେଙ୍କାନାଳ,କେନ୍ଦୁଝର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧାଓ ନୟାଗଡ଼ରେ ଦିନତମାମ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ କୁହାଯାଇଛି । ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା,ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ ଓ ଗଜପତିକୁ ଛାଡ଼ି ଉପକୂଳବର୍ତ୍ତୀ ସବୁ ଜିଲ୍ଲା ସମେତ, ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ଆଇଏମ୍‌ଡି ପୂର୍ବାନୁମାନ ଦେଇଛି ।

ବାତ୍ୟା ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି । ବରିଷ୍ଠ ଆଇଏଏସ ଅଧିକାରୀମାନେ ପାଳି କରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲ ରୁମ୍‌ରୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାକୁ ଯାଇଥିବା ଆଇଏଏସ୍ଅଧିକାରୀମାନେ ବି କ୍ଷେତ୍ରକୁ ଯାଇ ବାତ୍ୟା ପ୍ରସ୍ତୁତିକୁ ତ୍ୱରିତ୍ କରାଇଛନ୍ତି । ବୁଧବାର ୯ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ଗୁରୁବାର ଆଉ ୬ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ଘୋଷଣା କରାଯାଇଛି । ବାତ୍ୟା ସମୟରେ ବି ଯେଭଳିମୋବାଇଲ ନେଟୱର୍କ କାମ କରିବ, ସେଥିପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ଇଣ୍ଟ୍ରାସର୍କଲ ରୋମିଂ ସକ୍ରିୟ ହୋଇଛି । ଗଞ୍ଜାମ,ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରଓ ଖୋର୍ଦ୍ଧା ଜିଲ୍ଲାରେ ଏହି ସେବା ମିଳିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button