DA: କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୩% ବଢ଼ିପାରେ
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୩ ପ୍ରତିଶତ ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଶ୍ରମ ବ୍ୟୁରୋ ପକ୍ଷରୁ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଜୁନ୍ମାସର ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇବା ପରେ...

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୩ ପ୍ରତିଶତ ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଶ୍ରମ ବ୍ୟୁରୋ ପକ୍ଷରୁ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଜୁନ୍ମାସର ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇବା ପରେ ଏହି ଆଶା ଉଜ୍ଜୀବିତ ହୋଇଛି।
ଜୁନ୍ରେ ଶିଳ୍ପ ଶ୍ରମିକମାନଙ୍କ ଖାଉଟି ମୂଲ୍ୟସୂଚୀ ୧୫୧.୯ ରହିଛି ବୋଲି ଏକ୍ସରେ ପୋଷ୍ଟ୍ କରାଯାଇଛି। ଏଥିଯୋଗୁ ଗତ ୧୨ ମାସର ହାରାହାରି ଖାଉଟି ମୂଲ୍ୟସୂଚୀ ୧୪୮.୬୫ରେ ରହିଛି, ଯାହା ଫଳରେ ମହଙ୍ଗାଭତ୍ତା ୬୩.୭୬ ପ୍ରତିଶତ ହେବା ନେଇ ହିସାବ କରାଯାଉଛି। କିନ୍ତୁ ସରକାରୀ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ପ୍ରଦାନ ସମୟରେ ଭଗ୍ନାଂଶ ସଂଖ୍ୟାକୁ ହିସାବକୁ ନିଆଯାଉ ନଥିବାରୁ ସେମାନଙ୍କୁ ୬୩ ପ୍ରତିଶତ ମହଙ୍ଗାଭତ୍ତା ମିଳିବା ସମ୍ଭାବନା ରହିଛି।
ତେବେ ବାସ୍ତବ ମହଙ୍ଗାଭତ୍ତା କେତେ ବଢ଼ିବ ତାହା ସରକାରଙ୍କ ଘୋଷଣା ଉପରେ ନିର୍ଭର କରୁଛି। ୨୦୨୬ ଜାନୁଆରି ପାଇଁ ସରକାର ମହଙ୍ଗାଭତ୍ତା ୨ ପ୍ରତିଶତ ବଢ଼ାଇଥିଲେ। ସେଥିପାଇଁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ୬୦ ପ୍ରତିଶତ ମହଙ୍ଗାଭତ୍ତା ମିଳୁଛି। ଯଦି ଜୁଲାଇ ପାଇଁ ୩ ପ୍ରତିଶତ ମହଙ୍ଗାଭତ୍ତା ବୃଦ୍ଧି ଘୋଷଣା କରାଯାଏ ତାହେଲେ ଏହା ୬୩ ପ୍ରତିଶତରେ ପହଞ୍ଚିବ। ତେଣୁ ଅଷ୍ଟମ ବେତନ କମିସନର ସୁପାରିସ ଆସି କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ୬୩ ପ୍ରତିଶତ ମହଙ୍ଗାଭତ୍ତା ପାଇବେ ବୋଲି ଆଶା କରାଯାଉଛି।
ସୌଜନ୍ୟ ସମ୍ବାଦ




