Dark chocolate: ଡାର୍କ ଚକୋଲେଟ୍ ବନାମ ମିଲ୍କ ଚକୋଲେଟ୍
Dark chocolate: ଡାର୍କ ଚକୋଲେଟ୍ ବନାମ ମିଲ୍କ ଚକୋଲେଟ୍

ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଚକୋଲେଟ୍ କାହାକୁ ବା ଭଲ ନ ଲାଗେ? ରାଗିଥିବା ପିଲାଙ୍କୁ ମନେଇବା ପାଇଁ ଦରକାର ପଡ଼େ ଚକୋଲେଟ୍ ତ ପ୍ରେମ ନିବେଦନ ହେଉ ବା ଉପହାରରେ, ଚକୋଲେଟ୍ ହେଉଛି ସମସ୍ତଙ୍କ ପ୍ରିୟ। ଚକୋଲେଟ୍ ଯେ କେବଳ ରୢାପର୍ରେ ଗୁଡ଼େଇ ହୋଇ ଆସେ ତାହା ନୁହେଁ, ତାକୁ କେକ୍, ଲସି, ମିଠା ଆଦି ସବୁଥିେର ବ୍ୟବହାର କରାଯାଏ। ଛୋଟ ଛୋଟ କ୍ୟାଣ୍ଡିଠାରୁ ଆରମ୍ଭ କରି ମିଲ୍କ, ଡାର୍କ ଓ ଫ୍ରୁଟ୍ ଚକୋଲେଟ୍ ବଜାରରେ ମିଳୁଛି। କିନ୍ତୁ, ଆପଣ ଜାଣନ୍ତି କି ବିଭିନ୍ନ ପ୍ରକାରର ଚକୋଲେଟ୍ ମଧ୍ୟରୁ କେତେକ ଶରୀରର କ୍ଷତି କରୁଥିବାବେଳେ କେତେକ ସ୍ବାସ୍ଥ୍ୟକର ବି ହୋଇଥାଏ। ଆସନ୍ତୁ ଜାଣିବା, ଡାର୍କ ଚକୋଲେଟ୍ ଓ ମିଲ୍କ ଚକୋଲେଟ୍ ମଧ୍ୟରେ କେଉଁଟା ଅଧିକ ସ୍ବାସ୍ଥ୍ୟକର।
ଡାର୍କ ଚକୋଲେଟ୍ ଓ ମିଲ୍କ ଚକୋଲେଟ୍ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି, ସେଗୁଡ଼ିକର ଉପାଦାନ। ଉଭୟ ଚକୋଲେଟ୍ କୋକୋ ଗଛରୁ ମିଳୁଥିବା ଉପାଦାନରୁ ହିଁ ପ୍ରସ୍ତୁତ ହୋଇଥାଏ। ତେବେ ମିଲ୍କ ତୁଳନାରେ ଡାର୍କ ଚକୋଲେଟ୍ରେ କୋକୋର ପରିମାଣ ଅଧିକ ଥାଏ।
ଡାର୍କ ଚକୋଲେଟ୍ରେ ପ୍ରାୟ ୫୦-୯୦% କୋକୋ ଥିଲାବେଳେ ମିଲ୍କ ଚକୋଲେଟ୍ରେ ମାତ୍ର ୧୦-୫୦% କୋକୋ ଥାଏ। କୋକୋ ପ୍ରତିଶତର ଏହି ପାର୍ଥକ୍ୟ ଯୋଗୁଁ ଉଭୟଙ୍କ ସ୍ୱାଦ ଭିନ୍ନ ହୋଇଥାଏ। ଡାର୍କ ଚକୋଲେଟ୍ ସାଧାରଣତଃ ମିଠା ସ୍ୱାଦଯୁକ୍ତ ମିଲ୍କ ଚକୋଲେଟ୍ ତୁଳନାରେ ଅଧିକ ପିତା ଲାଗିଥାଏ। ଏହି ଚକୋଲେଟ୍ଗୁଡ଼ିକ ମଧ୍ୟରେ ଅନ୍ୟ ଏକ ପାର୍ଥକ୍ୟ ହେଉଛି, କ୍ଷୀରର ପରିମାଣ। ମିଲ୍କ ଚକୋଲେଟ୍ ଭାବେ ନାମିତ ହେବା ପାଇଁ ଏଥିରେ ଅତି କମ୍ରେ ୧୨% କ୍ଷୀରର କଠିନ ଅଂଶ ରହିବା ଆବଶ୍ୟକ। ଅନ୍ୟପଟେ ଡାର୍କ ଚକୋଲେଟ୍ରେ କ୍ଷୀର ନଥାଏ। ଏହା ବଦଳରେ ଚକୋଲେଟ୍କୁ ଚିକ୍କଣ କରିବା ପାଇଁ କୋକୋ ବଟର୍ ବ୍ୟବହାର କରାଯାଏ। ଏହି ବଟର୍ କୋକୋ ବିନ୍ସରୁ ମିଳିଥାଏ। ଉଭୟ ଚକୋଲେଟ୍ରେ ଚିନି ମଧ୍ୟ ଏକ ପ୍ରମୁଖ ଉପାଦାନ। ଓଜନ ହିସାବରେ ମିଲ୍କ ଚକୋଲେଟ୍ରେ ଅଧିକ ଚିନି ଥାଏ। ତେଣୁ ଅଧିକ ମିଠା ସ୍ୱାଦ ଦେଇଥାଏ। କୋକୋରୁ ମିଳୁଥିବା ଗାଢ଼ ଓ ପିତା ସ୍ୱାଦକୁ ବଜାୟ ରଖିବା ପାଇଁ ଡାର୍କ ଚକୋଲେଟ୍ରେ କମ୍ ଚିନି ଥାଏ। ଏହି ଦୁଇ ଚକୋଲଟ୍ ମଧ୍ୟରୁ କୌଣସିଟିକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକର କୁହାଯାଇପାରିବ ନାହିଁ। କିନ୍ତୁ, ମିଲ୍କ ଚକୋଲେଟ୍ ତୁଳନାରେ ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟକର ବିକଳ୍ପ ଅଟେ। ଡାର୍କ ଚକୋଲେଟ୍ରେ ଚିନି କମ୍ ଥାଏ ଏବଂ କ୍ଷୀର ଆଦୌ ନଥାଏ। କୋକୋର ଉଚ୍ଚ ପ୍ରତିଶତ ଯୋଗୁଁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା କିଛି ନିର୍ଦ୍ଦିଷ୍ଟ ଲାଭ ମିଳିଥାଏ।
କୋକୋ ଗଛ ସହ ଅନେକ ଗଛରେ ଫ୍ଲାଭାନୋଲ୍ ମିଳିଥାଏ। ଅଧିକ କୋକୋ ପ୍ରତିଶତ ଥିବାରୁ ଡାର୍କ ଚକୋଲେଟ୍ରେ ଅଧିକ ପରିମାଣର ଫ୍ଲାଭାନୋଲ୍ ଥାଏ। ଏକ ରିପୋର୍ଟ ଅନୁଯାୟୀ, ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନ ସହ ଫ୍ଲାଭାନୋଲ୍ ଜଡ଼ିତ, ଯାହା ରକ୍ତବାହୀ ନଳୀକୁ ଆରାମ ଦେଇ ରକ୍ତ ସଞ୍ଚାଳନକୁ ସୁଧାରିଥାଏ। ରକ୍ତବାହୀ ନଳୀକୁ ଆରାମ ଦେବା ଦ୍ୱାରା ରକ୍ତଚାପ ମଧ୍ୟ କମିଥାଏ। ସାମଗ୍ରିକ ଭାବେ ସୁସ୍ଥ ରହିବା ପାଇଁ ରକ୍ତ ସଞ୍ଚାଳନରେ ସୁଧାର ଆଣିବା ଅତ୍ୟନ୍ତ ଜରୁରି। ଏହା ଆପଣଙ୍କୁ ହୃଦ୍ରୋଗ ଓ ଷ୍ଟ୍ରୋକ୍ରୁ ରକ୍ଷା କରି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବୃଦ୍ଧି କରାଉଥିବାରୁ ଚିନ୍ତାଶକ୍ତିରେ ସୁଧାର ଆଣିଥାଏ।
ଏହାବ୍ୟତୀତ, ଡାର୍କ ଚକୋଲେଟ୍ ଆପଣଙ୍କ ମନୋଭାବକୁ ମଧ୍ୟ ଭଲ କରିପାରେ। ପଲିଫେନୋଲ୍ସ ହେଉଛି ଗଛରେ ମିଳୁଥିବା ଏପରି କିଛି ଯୌଗିକ ପଦାର୍ଥ, ଯେଉଁଥିରେ ଫ୍ଲାଭାନୋଲ୍ ଥାଏ। ରିପୋର୍ଟ ଅନୁଯାୟୀ, ପଲିଫେନୋଲ୍ସ ହେଉଛି ଆଣ୍ଟିଅକ୍ସିଡାଣ୍ଟ୍, ଯାହା କର୍ଟିସୋଲ୍ କମ୍ କରିଥାଏ। ତେଣୁ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ମାନସିକ ଚାପ କମି ସମଗ୍ର ମନୋଭାବକୁ ସୁଧାରିବାରେ ସାହାଯ୍ୟ କରେ। ଡାର୍କ ଚକୋଲେଟ୍ରେ କମ୍ ଚିନି ଓ ଫ୍ୟାଟ୍ ପରିମାଣ ଏବଂ ଅଧିକ ଫ୍ଲାଭାନୋଲ୍ ଯୋଗୁଁ, ମିଲ୍କ ଚକୋଲେଟ୍ ତୁଳନାରେ ଡାର୍କ ଚକୋଲେଟ୍ର ଅନେକ ଲାଭ ରହିଛି। ତେବେ, ଉଭୟକୁ ସୀମିତ ପରିମାଣରେ ଖାଇବା ଉଚିତ। କାରଣ ହୃଦୟ ପାଇଁ ସ୍ବାସ୍ଥ୍ୟକର ଖାଦ୍ୟରେ ଯେତିକି ଚିନି ଓ ଫ୍ୟାଟ୍ ରହିବା କଥା, ଏଗୁଡ଼ିକରେ ତା’ଠାରୁ ଅଧିକ ଥାଏ। ପ୍ରତି ୧୦୦ ଗ୍ରାମ୍ ଡାର୍କ ଚକୋଲେଟ୍ରେ ପ୍ରୋଟିନ୍ର ପରିମାଣ ୭ ଗ୍ରାମ୍ ଥିବାବେଳେ ସୁଗାର୍ ୨୪ ଗ୍ରାମ୍, ଫାଇବର୍ ୧୦.୯ ଗ୍ରାମ୍, ଫ୍ୟାଟ୍ ୪୨.୭ ଗ୍ରାମ୍ ଓ ଆଇରନ୍ ୧୧.୯ ମିଲିଗ୍ରାମ୍ ରହିଥାଏ। ସେହିପରି ମିଲ୍କ ଚକୋଲେଟ୍ରେ ପ୍ରୋଟିନ୍ ୭.୬ ଗ୍ରାମ୍ ଥିବାବେଳେ ସୁଗାର୍ ୫୧.୫ ଗ୍ରାମ୍, ଫାଇବର ୩.୪ ଗ୍ରାମ୍, ଫ୍ୟାଟ୍ ୨୯.୭ ଗ୍ରାମ୍ ଓ ଆଇରନ୍ ୨.୪ ମିଲିଗ୍ରାମ୍ ରହିଥାଏ।ପି
ସୌଜନ୍ୟ ସମ୍ବାଦ




