Rapid soil: ଅଣୁଜୀବଙ୍କୁ ବିପଦ ମୃତ୍ତିକାର ଦ୍ରୁତ ଅବକ୍ଷୟ
ବିଶ୍ବ ପରିସଂସ୍ଥାରେ ମୃତ୍ତିକା ସର୍ବବ୍ୟାପ୍ତ ଏବଂ ଏହା ହେଉଛି ସବୁଠୁ ଜଟିଳ ଓ ଗୁରୁତ୍ବପୂର୍ଣ୍ଣ ଉପାଦାନ। ବିଶ୍ବରେ ବାସ କରୁଥିବା ଅର୍ଦ୍ଧାଧିକ ଜୀବ ପ୍ରଜାତିଙ୍କ ବାସସ୍ଥଳୀ ବି ଏହି...

ବିଶ୍ବ ପରିସଂସ୍ଥାରେ ମୃତ୍ତିକା ସର୍ବବ୍ୟାପ୍ତ ଏବଂ ଏହା ହେଉଛି ସବୁଠୁ ଜଟିଳ ଓ ଗୁରୁତ୍ବପୂର୍ଣ୍ଣ ଉପାଦାନ। ବିଶ୍ବରେ ବାସ କରୁଥିବା ଅର୍ଦ୍ଧାଧିକ ଜୀବ ପ୍ରଜାତିଙ୍କ ବାସସ୍ଥଳୀ ବି ଏହି ମୃତ୍ତିକା। ମନୁଷ୍ୟ ମୃତ୍ତିକାର ବାହ୍ୟସ୍ତର ଦେଖିପାରେ, କିନ୍ତୁ ଅସୁମାରି ଗର୍ତ୍ତ ଖନନ କଲେ ବି ମାଟି ଅଭ୍ୟନ୍ତରରେ ଥିବା ଉପାଦାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ହାସଲ କରିପାରେ ନାହିଁ।କୌଣସି ରିମୋଟ୍ ସେନ୍ସିଙ୍ଗ୍ ସାଟେଲାଇଟ୍ ମୃତ୍ତିକାର ଆର୍ଦ୍ରତା, ଅଙ୍ଗାରକ ପରିମାଣ ଅଥବା ଗଚ୍ଛିତ ଥିବା ପୋଷକତତ୍ତ୍ବ ମାପିପାରେ ନାହିଁ। ଅବଶ୍ୟ ଯୁଗ ଯୁଗ ଧରି ପରୀକ୍ଷାମୂଳକ ଭାବେ ଚାଷବାସ କରି କେତେକ କୃଷକ କେଉଁ ଫସଲ ପାଇଁ କେଉଁ ମାଟି ଅନୁକୂଳ ସେ ବିଷୟରେ ସାମାନ୍ୟ ଅଭିଜ୍ଞତା ହାସଲ କରିଥାଆନ୍ତି। କିନ୍ତୁ, ଏହି ମୃତ୍ତିକା ଏବେ ଅବକ୍ଷୟମୁଖୀ। ସମଗ୍ର ବିଶ୍ବର ପ୍ରାୟ ୪୦ ପ୍ରତିଶତ ମୃତ୍ତିକାର ଉର୍ବରତା ହ୍ରାସ ପାଇଛି।ପ୍ରତିବର୍ଷ ବିଶ୍ବବ୍ୟାପୀ ୭୫,୦୦୦ କୋଟି ଟନ୍ ମୃତ୍ତିକା ନଷ୍ଟ େହାଇଯାଉଥିବା କଥା ବୈଜ୍ଞାନିକମାନେ କହୁଛନ୍ତି।
ତେଣେ, ବିଶେଷଜ୍ଞମାନେ କହୁଛନ୍ତି ଯେ ବୈଶ୍ବିକ ଖାଦ୍ୟସଙ୍କଟ ଘନେଇ ଆସୁଛି। ଆଜିର ଆଧୁନିକ କୃଷି ବ୍ୟବସ୍ଥାରେ ବି ମନୁଷ୍ୟ ନିମନ୍ତେ ଆବଶ୍ୟକ ୯୯ ପ୍ରତିଶତ ଖାଦ୍ୟ ବିଭିନ୍ନ ପ୍ରକାର ମୃତ୍ତିକାରେ ଚାଷ ହେଉଥିବା ଗଛବୃଚ୍ଛରୁ ମିଳୁଛି। ଉନ୍ନତ ମୃତ୍ତିକା ବିନା କ୍ଷେତରେ ଗଛବୃଚ୍ଛ ଉଧାଇବ ନାହିଁ, ତେଣୁ ମନୁଷ୍ୟ ଓ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସଂକଟ ପଡ଼ିବା ସ୍ବାଭାବିକ କଥା।ବ୍ୟାପକ ଚାଷବାସ ଯୋଗୁଁ ମୃତ୍ତିକାରୁ ନାଇଟ୍ରୋଜେନ୍ ଓ ଫସ୍ଫରସ୍ ଭଳି ପୋଷକତତ୍ତ୍ବ ଯାହା ଗଛବୃଚ୍ଛ ବୃଦ୍ଧି ପାଇଁ ଅତ୍ୟାବଶ୍ୟକ, ସେସବୁ ନିଃଶେଷ ହୋଇଯାଉଛି। ପ୍ରାକୃତିକ ଖତସାର ପରିବର୍ତ୍ତେ କୃଷକମାନେ ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ କରି ତାହା ଭରଣା କରୁଛନ୍ତି। ଏଥିଯୋଗୁଁ ମୃତ୍ତିକା ପ୍ରଦୂଷିତ ହେବା ସହିତ ସେଥିରୁ ଅନ୍ୟାନ୍ୟ ବୈଶିଷ୍ଟ୍ୟ ହ୍ରାସ ପାଉଛି।
ଏତଦ୍ଭିନ୍ନ, କେତେକ ପ୍ରାନ୍ତରେ ମୃତ୍ତିକା ଭାରୀ ଧାତୁ ଭଳି ଶିଳ୍ପରୁ ନିଃସୃତ ବିଷାକ୍ତ ପଦାର୍ଥ, ଅମ୍ଳବର୍ଷା, ଜମି ଜଳସେଚନ ନିମନ୍ତେ କ୍ଷେତକୁ ଅଣାଯାଉଥିବା ଜଳରୁ ଲବଣାଂଶ ଜମୁଛି। ମୃତ୍ତିକାରେ ମାଇକ୍ରୋପ୍ଲାଷ୍ଟିକ୍ ପରିମାଣ ବି ବେଶ୍ ବୃଦ୍ଧି ପାଉଛି। ଏସବୁ ମୃତ୍ତିକା ସୁସ୍ଥ ରଖୁଥିବା ଅଣୁଜୀବଙ୍କ ଉପରେ କୁପ୍ରଭାବ ପକାଉଛି। ଏସବୁ ମୃତ୍ତିକା ଉର୍ବରତା ହ୍ରାସ କରାଇବାର ବାହ୍ୟ କାରଣ, କିନ୍ତୁ ମାଟି ଭିତରେ ଆଉ କିଛି ଘଟୁଛି କି? ଯେଉଁଥିପାଇଁ ମୃତ୍ତିକାର ଉର୍ବରତା ହ୍ରାସ ପାଉଛି।
ଏତାଦୃଶ କାରଣ ଅନୁସନ୍ଧାନ ଓ ସମାଧାନ ‘ସେସ୍ମୋଲୋଜି’ ଦ୍ବାରା ହୋଇପାରିବ ବୋଲି ଦଳେ ବ୍ରିଟିସ୍ ଗବେଷକ କହିଛନ୍ତି। ଭୂମିକମ୍ପ ମାପିବା ଓ ଜୀବାଶ୍ମ ତୈଳ ଅନୁସନ୍ଧାନ ନିମନ୍ତେ ପ୍ରଯୁଜ୍ୟ ଏହି ‘ସେସ୍ମୋଲୋଜି’ କୌଶଳ ଦ୍ବାରା ବିଶ୍ବବ୍ୟାପୀ ମୃତ୍ତିକା ଗଠନ ଢାଞ୍ଚା ଅବିଳମ୍ବେ ଓ ଅତି ଶସ୍ତାରେ କରାଯାଇ ପାରିବ। ଏହି ପଦ୍ଧତି ବଳରେ ସେମାନେ ବିଶ୍ବ ମୃତ୍ତିକାର ଥ୍ରି-ଡି ମ୍ୟାପ୍ ପ୍ରସ୍ତୁତ କରିବେ। ଏ ପଦ୍ଧତି ନାଁ ରଖାଯାଇଛି ‘ସଏଲ୍ସ୍ମୋଲୋଜି’। ଏ ପଦ୍ଧତିରେ ମୃତ୍ତିକା ପରୀକ୍ଷା କରାଗଲେ ପରିବେଶ ଉପରେ ବିଶେଷ କୁପ୍ରଭାବ ନ ପକାଇ କୃଷକମାନେ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ। ସରକାର ମଧ୍ୟ ଅନାହାର ଦୂରେଇବାରେ ସମର୍ଥ ହେବେ ବୋଲି ବୈଜ୍ଞାନିକମାନେ କହୁଛନ୍ତି।
ପୁନଶ୍ଚ, ମୃତ୍ତିକା ମୃତ୍ତିକା ମଧ୍ୟରେ ବ୍ୟାପକ ଫରକ ଥାଏ। ୟୁକ୍ରେନ୍ର ପୋଷକତତ୍ତ୍ବ ସମୃଦ୍ଧ କୃଷ୍ଣ ମୃତ୍ତିକାର ଉତ୍ପାଦିକା ଶକ୍ତି ଯାହା ସାହାରା ମରୁଭୂମିରେ ବାଲୁକା ମୃତ୍ତିକାର ତାହା ନୁହେଁ। ସେହିପରି ଆର୍ଟିକ୍ ତୁନ୍ଦ୍ରା ଅଞ୍ଚଳର ଥଣ୍ଡାରେ ଜମାଟ ବାନ୍ଧିଯାଇଥିବା ମୃତ୍ତିକା ଯେପରି, କ୍ରାନ୍ତିବୃତ୍ତ ଅନ୍ତର୍ଗତ ଗ୍ରୀଷ୍ମପ୍ରଧାନ ମଣ୍ଡଳର ଅରଣ୍ୟ ଅବକ୍ଷୟମୁଖୀ ଅଞ୍ଚଳର ମୃତ୍ତିକା ସେଭଳି ନୁହେଁ। ଏସବୁ ଅଞ୍ଚଳର ପ୍ରତି ବର୍ଗକିଲୋମିଟର୍ ମୃତ୍ତିକା ମଧ୍ୟରେ ଥିବା ଉର୍ବରତା ମଧ୍ୟରେ ଆକାଶପାତାଳ ପାର୍ଥକ୍ୟ ରହିଛି। ଏହାର କାରଣ ବୈଜ୍ଞାନିକମାନଙ୍କୁ ବି ଅଜଣା!
ମୃତ୍ତିକା ଏକ ଜଟିଳ ଜୀବନ୍ତ ସତ୍ତା ହୋଇଥିବାରୁ ଏହାକୁ ସାଗର ମଧ୍ୟସ୍ଥ ପ୍ରବାଳ ସହ ତୁଳନା କରାଯାଏ। ୫ ଗ୍ରାମ୍ ସୁସ୍ଥ ମୃତ୍ତିକାରେ ଯେତିକି ଜୀବନ୍ତ ଅଣୁଜୀବ ଥାଆନ୍ତି ତାହା ସମଗ୍ର ବିଶ୍ବରେ ଥିବା ଜନସଂଖ୍ୟା ଠାରୁ ଢେର୍ ଅଧିକ। ସୁଖର କଥା ଯେ ଅଣୁଜୀବ ଥିବାରୁ ମୃତ୍ତିକା ପୁନରାୟ ଠିକ୍ ହୋଇଯିବ। କିନ୍ତୁ, ମାତ୍ର ଏକ ଇଞ୍ଚ୍ ପରିମିତ ଅଞ୍ଚଳର ନୂଆ ମୃତ୍ତିକା ଉତ୍ପାଦକାଳକ୍ରମେନ ପାଇଁ ହଜାର ହଜାର ବର୍ଷ ଲାଗିଯାଇପାରେ।
ସୌଜନ୍ୟ ସମ୍ବାଦ




