Debashisa to leave BJD: ବିଜେଡି ଛାଡ଼ିବେ ଦେବାଶିଷ! ପୁଣି ଯିବେ ରାଜ୍ୟସଭା

କଟକ: ବିଜେଡି ରାଜନୀତିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହେବାକୁ ଯାଉଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି। ଶ୍ରୀ ସାମନ୍ତରାୟ ଏବେ ରାଜ୍ୟ ବାହାରେ ରହିଥିବାରୁ ତାଙ୍କର କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ। କିନ୍ତୁ ଖୁବ୍ଶୀଘ୍ର ସେ ଦଳ ଛାଡୁଥିବା ସଂପର୍କରେ ଉପର ମହଲରେ ଆଲୋଚନା ଜୋର୍ ଧରିଛି। ଦେବାଶିଷ ହୁଏତ ଉଭୟ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ଏବଂ ତାଙ୍କୁ ବିଜେପି ପକ୍ଷରୁ ପୁଣି ରାଜ୍ୟସଭାକୁ ମନୋନୀତ କରାଯିବ। ଏହି ପ୍ରକାର ଘଟଣାକ୍ରମ ଯଦି ସତ ହୁଏ, ତା’ହେଲେ କଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।
ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନ ଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି (ବରିଷ୍ଠ ନାଗରିକ) ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟୀକା ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ଦେବାଶିଷ ଯଦି ବିଜେପିରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି।
ସୌଜନ୍ୟ ସମ୍ବାଦ




