ମହୋତ୍ସବରେ ମହାପ୍ରଭୁଙ୍କ ଦିବ୍ୟଦର୍ଶନ
ପ୍ରବେଶପଥରେ ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟର ପ୍ରତିଫଳନ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଷ୍ଟଲ୍ ଦର୍ଶକଙ୍କୁ ଭକ୍ତି ଭାବରେ ଉଦ୍ବୁଦ୍ଧ କରିଥିଲା। ଲୋକମାନେ ଷ୍ଟଲ୍ ବାହାରେ ଚପଲ ରଖି ପ୍ରଭୁ ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା, ପ୍ରଭୁ ଶ୍ରୀବଳଭଦ୍ରଙ୍କ ସମେତ ସୁଦର୍ଶନ ଚକ୍ରର ଦିବ୍ୟଦର୍ଶନ କରୁଥିଲେ। ଏଥିସହିତ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର କଳା, ସଂସ୍କୃତି, ଇତିହାସ ସମ୍ୱଳିତ ପୁସ୍ତକ କିଣୁଥିଲେ। ଏଥିସହିତ ଶ୍ରୀମନ୍ଦିର ପତାକା ମଧ୍ୟ ବିକ୍ରି ହେଉଥିଲା।
ଶିଶୁ ସାହିତ୍ୟ ଓ ଗ୍ରାଫିକ୍ ଉପନ୍ୟାସର ଚାହିଦା
ପୁସ୍ତକ ମହୋତ୍ସବରେ ‘ପ୍ରୀତମ୍ ପ୍ରକାଶନ’, ‘ସ୍କୋଲାଷ୍ଟିକ ଇଣ୍ଡିଆ ପ୍ରକାଶନ’, ‘ସାଇମନ’ ଆଦି ପ୍ରକାଶନୀ ପକ୍ଷରୁ ଶିଶୁ ସାହିତ୍ୟ ଓ ଗ୍ରାଫିକ୍ ଉପନ୍ୟାସକୁ ନେଇ ନିର୍ମିତ ଷ୍ଟଲ୍ରେ ଶିଶୁ ପାଠକ ଓ ଯୁବପିଢ଼ିଙ୍କର ବେଶ୍ ଭିଡ଼ ଜମୁଛି। ଜାପାନ ଦେଶର ପ୍ରସିଦ୍ଧ ଲେଖକ ଓସାମା ତେକୁକା, ଜୁନ୍ଜି ଇଟୋ, ମାସାସି କିସିମୋତୋଙ୍କ ଗ୍ରାଫିକ୍ ଉପନ୍ୟାସ ଯୁବପିଢ଼ିଙ୍କୁ ବେଶ୍ ଆକୃଷ୍ଟ କରୁଛି। ସେହିପରି ବିଦେଶୀଲେଖକ ଷ୍ଟିଫେନ୍ କିଙ୍ଗ, କଲିନ୍ ହୁଭର, ଜିଲିଆନ୍ ଫ୍ଲିନ୍, ଲିଆନ ମୋରିଆର୍ଟି, ଜନ ଗ୍ରିସମ୍ ଭିକ୍ଟୋରିଆ ଏବେୟାର୍ଡଙ୍କ ଲିଖିତ ଫାଣ୍ଟାସି, ହରର୍ ଥ୍ରିଲର୍ ପୁସ୍ତକକୁ ଯୁବପିଢ଼ି ବେଶ୍ ପସନ୍ଦ କରୁଛନ୍ତି। କମ୍ ମୂଲ୍ୟରେ ନିଜ ପସନ୍ଦର ପୁସ୍ତକ ପାଇପାରୁଥିବାରୁ ପାଠକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

