ଜାତୀୟ

Diesel: ୪ ବର୍ଷ ପରେ ଡିଜେଲ ଦରବୃଦ୍ଧି ଆଶଙ୍କା:ରାଜ୍ୟ ନିର୍ବାଚନ ପରେ ବଢ଼ିବ!

ନୂଆଦିଲ୍ଲୀ: କେତେକ ରାଜ୍ୟରେ ଚାଲିଥିବା ନିର୍ବାଚନ ଶେଷ ହେବା ପରେ ଡିଜେଲ ଦରରେ ବୃଦ୍ଧି ହେବା ଆଶଙ୍କା କରାଯାଉଛି। ଏହାକୁ ନେଇ ପରିବହନ କ୍ଷେତ୍ରର ଅଂଶୀଦାରମା‌ନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନଙ୍କୁ ମାସିକିଆ ବିଲ୍‌ ଉପରେ ମିଳୁଥିବା ରିହାତି ଓ ଅନ୍ୟାନ୍ୟ ସୁବିଧାସୁଯୋଗଗୁଡ଼ିକ ବନ୍ଦ ହୋଇଗଲାଣି। ତେଣୁ କିଛି ଦିନ ପରେ ଡିଜେଲ ଦର ବଢ଼ିବ ବୋଲି ସେମାନେ ଭାବୁଛନ୍ତି। ଗତ ଚାରି ବର୍ଷ ଧରି ଡିଜେଲ ଦର ସ୍ଥିର ରହିଛି। ପ୍ରଥମ ଥର ପାଇଁ ସେଥିରେ ବୃଦ୍ଧି ଆଶଙ୍କା କରାଯାଉଛି।ମଧ୍ୟପ୍ରାଚ୍ୟ ଯୁଦ୍ଧ ଅଷ୍ଟମ ସପ୍ତାହରେ ପ୍ରବେଶ କରିଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉଚ୍ଚା ରହିଛି। କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ହୋଇନାହିଁ। କମ୍ପାନିଗୁଡ଼ିକର କ୍ଷତିକୁ ମଧ୍ୟ ସରକାର ଭରଣା କରୁଛନ୍ତି। କିନ୍ତୁ ଆସନ୍ତା ସପ୍ତାହରେ ବିଭିନ୍ନ ରାଜ୍ୟର ନିର୍ବାଚନ ଶେଷ ହେବା ପରେ ସରକାରଙ୍କ ଉପରୁ ଚାପ ହଟିିଯିବ। ଏହାପରେ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ତେଲ କମ୍ପାନିଗୁଡ଼ିକ ଦରବୃଦ୍ଧି କରିପାରନ୍ତି।

ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ଶୈଳେନ୍ଦ୍ର ଗୁପ୍ତା କହିଛନ୍ତି ଯେ ନିର୍ବାଚନ ପରେ ଡିଜେଲ ମୂଲ୍ୟ ବଢ଼ିବ ବୋଲି ଆମେ ଭାବୁଛୁ। ବର୍ତ୍ତମାନ ସମୟରେ ଆମର ପାଖାପାଖି ୧୦ ପ୍ରତିଶତ ଗାଡ଼ି ଠିଆ ହୋଇରହିଛି। ଯଦି ତେଲ ଦର ବଢ଼ିବ ତେବେ ୩୦ ପ୍ରତିଶତ ଗାଡ଼ି ଠିଆ ହେବ ବୋଲି ସେ କହିଛନ୍ତି। ତେବେ ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ସଂଘର ସଭାପତି ଅଜୟ ବଂଶଲ କହିଛନ୍ତି ଯେ ସରକାରୀ ତୈଳ କମ୍ପାନି ପେଟ୍ରୋଲ ପମ୍ପଗୁଡ଼ିକରେ କିିଛି ବି ବଦଳିନାହିଁ। ଘରୋଇ କମ୍ପାନିଗୁଡ଼ିକ କେତେକ କଟକଣା ଲଗାଇଥିବାରୁ ସେମାନଙ୍କ ଗ୍ରାହକମାନେ ସରକାରୀ ପେଟ୍ରୋଲ ପମ୍ପ ଆଡ଼କୁ ମୁହାଁଇବାକୁ ବାଧ୍ୟ ‌ହୋଇଛନ୍ତି। ତାହାର ପ୍ରଭାବରେ କେତେକ ପେଟ୍ରୋଲ ପମ୍ପରେ ତେଲ ଶେଷ ହୋଇଯିବା ଭଳି ଘଟଣା ଘଟିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button