ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଯୋଜନାଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି। ବିଶେଷ କରି କଲ୍ୟାଣମୂଳକ ଓ ଭିତ୍ତିଭୂମି ଯୋଜନା ଉପରେ ଯୁଦ୍ଧର ପ୍ରଭାବ କଣ ରହିଛି ତାହା ସରକାର ଜାଣିବାକୁ ଚାହୁଛନ୍ତି। ଗ୍ରାମୀଣ ଜୀବିକ, ଗୃହ ନିର୍ମାଣ, ସଡ଼କ ନିର୍ମାଣ ଓ ଜଳବିଭାଜିକା ପ୍ରକଳ୍ପଗୁଡ଼ିକ ଉପରେ ଯୁଦ୍ଧର ପରୋକ୍ଷ ପ୍ରଭାବକୁ ସରକାର ଆକଳନ କରିବା ଆରମ୍ଭ କରିଛନ୍ତି। ନୂଆ ଯୋଜନା ଭିବି-ଜି ରାମ ଜି ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ପୁରୁଣା ଯୋଜନା ମନରେଗା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ମନରେଗାରେ କୌଣସି ବିଭ୍ରାଟ ହେବ ନାହିଁ। ଚାହିଦା ଆଧାରିତ ନିଯୁକ୍ତି, ଉଚିତ୍ ସମୟରେ ମଜୁରି ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ମନରେଗରେ ମଜୁରି ବାବଦରେ କେନ୍ଦ୍ର ସରକାର ପ୍ରଥମ କିସ୍ତି ବାବଦରେ ୧୭,୭୪୪ କୋଟି ଟଙ୍କା ଜାରି କରିଛନ୍ତି।
ଭିବି ଜି ରାମ ଜି ଯୋଜନା କାର୍ଯ୍ୟକାରୀ ହେବା ପରେ ଗ୍ରାମୀଣ ପରିବାରଗୁଡ଼ିକୁ ବର୍ଷକୁ ୧୨୫ ଦିନର କାମ ମିଳିବ। ତାହାର ସଂଶୋଧିତ ମଜୁରି ହାର ପରବର୍ତ୍ତୀ ସମୟରେ ଜାରି କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ୨୦୨୯ ସୁଦ୍ଧା ସରକାର ୪.୯୫ କୋଟି ଘର ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯୁଦ୍ଧ ପାଇଁ ନିର୍ମାଣ ସାମଗ୍ରୀ ଦରବୃଦ୍ଧି ଓ ଯୋଗାଣ ଶୃଙ୍ଖଳ ସମସ୍ୟା ସମ୍ପର୍କରେ ସରକାର ଆଲୋଚନା କରିଛନ୍ତି। ହିତାଧିକାରୀମାନଙ୍କୁ ଠିକ୍ ସମୟରେ ପାଣ୍ଠି ହସ୍ତାନ୍ତର କରିବାକୁ ପ୍ରାଥମିକତା ଦିଆଯାଉଛି। କାମ ଆରମ୍ଭ ହୋଇଯାଇଥିବା ଘରଗୁଡ଼ିକୁ ଶୀଘ୍ର ନିର୍ମାଣ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି। ଏଥି ସହିତ ପରିବାରଗୁଡ଼ିକ ପାଖରେ ପରିମଳ, ପାନୀୟ ଜଳ, ଏଲ୍ପିଜି ଓ ବିଦ୍ୟୁତ୍ ଭଳି ସୁବିଧାସୁଯୋଗ ପହଞ୍ଚାଇବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି।
ସୌଜନ୍ୟ ସମ୍ବାଦ

