Draupadi Murmu: ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗର ‘ଗୁଣ୍ଡା ବିରୋଧୀ’ ବିଲ୍କୁ ଅନୁମୋଦନ ଦେଲେନି, ପୁନର୍ବିଚାର ପାଇଁ ଫେରାଇଦେଲେ
ପଶ୍ଚିମବଙ୍ଗର ‘ଆଣ୍ଟି-ଗୁଣ୍ଡା’ ବିଲ୍କୁ ଅନୁମୋଦନ ଦେଇନାହାନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବିଲ୍ଟିକୁ ପୁନର୍ବିଚାର ପାଇଁ ଫେରାଇ ଦେଇଛନ୍ତି। ବିଲ୍ର କିଛି ବ୍ୟବସ୍ଥା କେନ୍ଦ୍ରୀୟ ଆଇନ ସହ ବିରୋଧ ସୃଷ୍ଟି କରିପାରେ ବୋଲି କେନ୍ଦ୍ର ପକ୍ଷରୁ ଆପତ୍ତି ଉଠାଯାଇଥିଲା।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ‘ଆଣ୍ଟି-ଗୁଣ୍ଡା’ ବିଲ୍କୁ ଅନୁମୋଦନ ଦେଇନାହାନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବିଲ୍ଟିକୁ ପୁନର୍ବିଚାର ପାଇଁ ଫେରାଇ ଦେଇଛନ୍ତି। ବିଲ୍ର କିଛି ବ୍ୟବସ୍ଥା କେନ୍ଦ୍ରୀୟ ଆଇନ ସହ ବିରୋଧ ସୃଷ୍ଟି କରିପାରେ ବୋଲି କେନ୍ଦ୍ର ପକ୍ଷରୁ ଆପତ୍ତି ଉଠାଯାଇଥିଲା। ବିଶେଷକରି ମାଦକଦ୍ରବ୍ୟ ସମ୍ପର୍କିତ ଏନ୍ଡିପିଏସ୍ ଆଇନ, ୧୯୮୫ର କିଛି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା।
କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ଦେଇଥିବା ନୋଟ୍ରେ କହିଥିଲେ ଯେ ବିଲ୍ରେ ‘ଗୁଣ୍ଡା’ର ପରିଭାଷା ମଧ୍ୟରେ ଏନ୍ଡିପିଏସ୍ ଆଇନ ଅଧୀନରେ ଅପରାଧ କରୁଥିବା, ଉଦ୍ୟମ କରୁଥିବା, ସହଯୋଗ କରୁଥିବା, ପ୍ରୋତ୍ସାହନ ଦେଉଥିବା କିମ୍ବା ଅର୍ଥ ଯୋଗାଉଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏହା ୧୯୮୮ର ପିଆଇଟିଏନ୍ଡିପିଏସ୍ ଆଇନରେ ଥିବା ବ୍ୟବସ୍ଥା ସହ ଓଭରଲାପ୍ କରିପାରେ ବୋଲି କେନ୍ଦ୍ର ଆଶଙ୍କା ପ୍ରକାଶ କରିଥିଲା। ଏହାଦ୍ୱାରା ସମାନ ବିଷୟରେ ଦୁଇଟି ଆଇନଗତ ବ୍ୟବସ୍ଥା ସୃଷ୍ଟି ହେବା ସହ ସମ୍ବିଧାନର ଧାରା ୨୫୪ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ ବିରୋଧ ଦେଖା ଦେଇପାରେ। ଏହି କାରଣରୁ ବିଲ୍ର ଧାରା ୨(ଡି)(୩)(ବି)ରୁ ଏନ୍ଡିପିଏସ୍ ଆଇନ ସମ୍ପର୍କିତ ଉଲ୍ଲେଖ ହଟାଇବାକୁ କେନ୍ଦ୍ର ପରାମର୍ଶ ଦେଇଥିଲା। ଆବଶ୍ୟକ ସଂଶୋଧନ ପରେ ବିଲ୍କୁ ପୁଣି ବିଧାନସଭାରେ ଆଗତ କରି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇପାରେ।
ସୌଜନ୍ୟ ସମ୍ବାଦ




