Eden: ଇଡେନ୍ ସ୍ମୃତିକୁ ଜୀବନ୍ତ କଲା ଉରୁଗୁଏ: ଭାରତକୁ ‘ଲାଟିନ ଆମେରିକା’ ଦେଉଛି ନୂଆ ଭରସା
ସମୟର କରାଳ ସ୍ରୋତରେ ଅନେକ ସ୍ମୃତି ଧୀରେଧୀରେ ଧୂମିଳ ପଡ଼ିଯାଏ। ହେଲେ ଭାରତୀୟ ଫୁଟ୍ବଲ୍ର ଅନ୍ୟତମ ପେଣ୍ଠସ୍ଥଳୀ କୋଲକାତା ସହରରେ ଅତୀତରେ ଏମିତି କିଛି ଫୁଟବଲ୍ ମ୍ୟାଚ୍ ଖେଳାଯାଇଛି, ଯାହାକୁ ଭାରତୀୟ କ୍ରୀଡ଼ାପ୍ରେମୀ କେବେବି ଭୁଲିପାରିବେନି।

ଭୂବନେଶ୍ବର (ଦେବାଶିଷ ସୁନ୍ଦରାୟ): ସମୟର କରାଳ ସ୍ରୋତରେ ଅନେକ ସ୍ମୃତି ଧୀରେଧୀରେ ଧୂମିଳ ପଡ଼ିଯାଏ। ହେଲେ ଭାରତୀୟ ଫୁଟ୍ବଲ୍ର ଅନ୍ୟତମ ପେଣ୍ଠସ୍ଥଳୀ କୋଲକାତା ସହରରେ ଅତୀତରେ ଏମିତି କିଛି ଫୁଟବଲ୍ ମ୍ୟାଚ୍ ଖେଳାଯାଇଛି, ଯାହାକୁ ଭାରତୀୟ କ୍ରୀଡ଼ାପ୍ରେମୀ କେବେବି ଭୁଲିପାରିବେନି। ସେହି ମ୍ୟାଚ୍ଗୁଡ଼ିକର ପଦଚିହ୍ନ ଆଜି ବି କୋଲକାତା ସହରର କାନ୍ଥ, ପୁରୁଣା ଖବରକାଗଜର ପୃଷ୍ଠା ଏବଂ ପିଢ଼ି ପରେ ପିଢ଼ି ଫୁଟ୍ବଲ୍କୁ ଭଲପାଇ ଆସୁଥିବା ଲୋକଙ୍କ ସ୍ମୃତିରେ ବଞ୍ଚି ରହିଛି। ଆଜିର କ୍ରିକେଟ୍ ଗଡ଼ ଇଡେନ୍ ଗାର୍ଡେନ୍ସରେ ୧୯୮୨ ମସିହାରେ ଖେଳାଯାଇଥିବା ସେହି ମ୍ୟାଚ୍ର ଅଭୁଲା ସ୍ମୃତି କେବଳ କୋଲକାତା ନୁହେଁ, ଏବେବି ଭାରତୀୟ ଫୁଟ୍ବଲ୍ର ଅନ୍ୟତମ ସ୍ମରଣୀୟ ଓ ସ୍ବର୍ଣ୍ଣିମ ସ୍ମୃତି ଭାବେ ଲିପିବଦ୍ଧ ହୋଇ ରହିଛି। ୪୪ ବର୍ଷ ପରେ ସେହିଭଳି ଏକ ଐତିହାସିକ ମୁହୂର୍ତ୍ତର ଦ୍ୱାର ପୁଣି ଖୋଲିବାକୁ ଯାଉଛି। କୋଲକାତାର ସଲ୍ଟଲେକ୍ସ୍ଥିତ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଭାରତ ମଙ୍ଗଳବାର ସାମ୍ନା କରିବାକୁ ଯାଉଛି ଦୁଇଥର ବିଶ୍ୱକପ୍ ବିଜେତା ଉରୁଗୁଏକୁ। ପୂର୍ବରୁ ଏହି ଷ୍ଟାଡିୟମ୍ରେ ଭାରତ ପାଞ୍ଚ ଥର ବିଶ୍ବବିଜେତା ବ୍ରାଜିଲକୁ ଶନିବାର ଭେଟି ୦-୪ରେ ପରାଜିତ ହୋଇଛି। ଏହି ମ୍ୟାଚ୍କୁ ଭାରତୀୟ ଦଳ ହାରି ଯାଇଛି ସତ। ହେଲେ ୨୭ ମିନିଟ୍ କାଳ ବ୍ରାଜିଲ ଭଳି ଏକ ଦୁର୍ଦ୍ଧର୍ଷ ଦଳକୁ ଗୋଲ୍ରୁ ଅଟକାଇ ଆଜିର ଭାରତୀୟ ଦଳ ପ୍ରତିଶ୍ରୁତିର ସମ୍ଭାର ଛାଡ଼ିଛି। ସେହିଭଳି ସେପ୍ଟେମ୍ବର ୨୫ରେ ବେଙ୍ଗାଲୁରୁରେ ଖେଳିଥିବା ପାନାମା ବିପକ୍ଷ ଅନ୍ୟତମ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍କୁ ଭାରତ ୧-୧ରେ ଡ୍ର’ ରଖି ଆତ୍ମବିଶ୍ବାସ ବି ପାଇଛି। ଉରୁଗୁଏ ବିପକ୍ଷରେ ମଧ୍ୟ ଭାରତ ଅନ୍ତତଃ ସେହି ସଫଳତା ଦୋହରାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ବ୍ରାଜିଲ ଓ ଉରୁଗୁଏ ଭଳି ଲାଟିନ ଆମେରିକୀୟ ଦଳ ବିପକ୍ଷରେ ଖେଳିବା କିନ୍ତୁ ଭାରତୀୟ ଫୁଟ୍ବଲ୍ ପାଇଁ ନୂଆ ଭରସା ଭାବେ ଉଭା ହୋଇଛି। ଏହି ଅଭିଜ୍ଞତାକୁ ସାଉଣ୍ଟି ଭାରତୀୟ ଦଳ ତା’ର ପୂର୍ବ ଗୌରବକୁ ଫେରାଇ ଆଣିବା ଦିଗରେ ଠୋସ୍ ଓ ବଡ଼ ପାଦ ବଢ଼ାଇବାର ପ୍ରବଳ ଆଶା ବି ସୃଷ୍ଟି ହୋଇଛି। ଉରୁଗୁଏର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଡିଏଗୋ ଫୋର୍ଲାନ୍ ୨୦୧୬ରେ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ମୁମ୍ବାଇ ସିଟି ଏଫ୍ସି ପକ୍ଷରୁ ଖେଳିଥିଲେ। ଏହା ମଧ୍ୟ ଆଉ ଏକ ସଂଯୋଗ ହୋଇଛି। ଅନ୍ତର୍ଜାତୀୟ ଫୁଟ୍ବଲ୍ର ଅନ୍ୟତମ ସଫଳ ଦଳ ଉରୁଗୁଏ ବର୍ତ୍ତମାନ ଫିଫା ବିଶ୍ୱ ମାନ୍ୟତାର ୨୦ତମ ସ୍ଥାନରେ ରହିଛି। ଭାରତ କିନ୍ତୁ ୧୩୮ତମ ସ୍ଥାନରେ ରହିଛି। ଏଣୁ ଏହି ଆକାଶ-ପାତାଳ ମାନ୍ୟତାର ଫରକ କିନ୍ତୁ ମଙ୍ଗଳବାର ପଡ଼ିଆ ଭିତରେ ଦେଖାଯିବାର ସମ୍ଭାବନା ଅଧିକ ରହିଛି।
ସୌଜନ୍ୟ ସମ୍ବାଦ



