Farmers: ଚାଷୀଙ୍କ ନିକଟରେ ନାହିଁ ଖଳା, ଜମିରେ ପଡିଛି ଶହ ଶହ କ୍ବିଣ୍ଟାଲ ଧାନ
ନବରଗଂପୁର ଜିଲ୍ଲାରେ ଚାଷୀଙ୍କ ନିକଟରେ ନାହିଁ ଖଳା। ଜିଲ୍ଲାର ଯେଉଁ ଆଡେ ଗଲେ ମଧ୍ୟ ଜମିରେ ପଡିଛି ଶହ ଶହ କ୍ବିଣ୍ଟାଲ। ଧାନ କୁପାରେ ପଲିଥିନ୍ ଜରି ଗୁଡା ଯାଇଛି। ତାହା ବି ପ୍ରବଳ ପବନ ହେଲେ ଉଡାଇ ଦେବ।

ନବରଙ୍ଗପୁର (ସୁରେଶ ନାଇଡୁ): ନବରଗଂପୁର ଜିଲ୍ଲାରେ ଚାଷୀଙ୍କ ନିକଟରେ ନାହିଁ ଖଳା। ଜିଲ୍ଲାର ଯେଉଁ ଆଡେ ଗଲେ ମଧ୍ୟ ଜମିରେ ପଡିଛି ଶହ ଶହ କ୍ବିଣ୍ଟାଲ। ଧାନ କୁପାରେ ପଲିଥିନ୍ ଜରି ଗୁଡା ଯାଇଛି। ତାହା ବି ପ୍ରବଳ ପବନ ହେଲେ ଉଡାଇ ଦେବ। ଦୁଇ ଦୁଇଟି ବାତ୍ୟା, ଲଘୁଚାପ ଓ ମୌସୁମୀ ବର୍ଷା ଚାଷୀଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି। ଗତ ୫ବର୍ଷ ତଳେ ତତ୍କାଳୀନ ସରକାର ପ୍ରତି ପଂଚାୟତରେ ଏହି ଖଳା କରାଯିବର ଯୋଜନା ରହିଥିଲା। ଏହାକୁ ପ୍ରଥମେ କୃଷି, ସମବାୟ, ବନବିଭାଗ ଓ ପରେ ପଂଚାୟତି ରାଜ ବିଭାଗ ପକ୍ଷରୁ କରାଯିବ ବୋଲି କୁହାଯାଇଥିଲା। ସବୁ ବିଭାଗ ପକ୍ଷରୁ କରାଯାଇଥିବା କୁହାଯାଉଥିବା ବେଳେ ଏବେ କେଉଁ ବିଭାଗ ଜିଲ୍ଲାରେ କେତୋଟି ଖଳା କରିଛନ୍ତି କାହା ନିକଟରେ ବି ସ୍ପଷ୍ଟ ଉତ୍ତର ମିଳି ପାରୁନି। ତତ୍କାଳୀନ ଜିଲ୍ଲାପାଳ ତାଲିକା ମାଗି ମାଗି ବଦଳି ହୋଇ ଚାଳିଗଲେ। ତଥାଫି ତାଲିକା ମିଳିଲାନି।
ଅପରପକ୍ଷରେ ଜିଲ୍ଲାର ଚାଷୀ ମାନେ ନିଜ ଉତ୍ପାଧିତ ଧାନ ଓ ମକା ମଂଜି ଆଦିକୁ ପୂର୍ତ୍ତବିଭାଗ, ଏନଏଚ ରାସ୍ତା ସହ ଭାରତମାଳା ରାସ୍ତାରେ ସୁଖାଉଥିବା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ଜିଲ୍ଲାରେ ଖଳା ଯୋଜନା ସଂପୁର୍ଣ୍ଣ ଫେଲ ମାରିଛି। ଲଘୁଚାପ କିମ୍ବା ସାନ ବଡ ବର୍ଷା ଆସିଲେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାପାଳମାନଙ୍କୁ ଚାଷୀଙ୍କ ଧାନ କିଭଳି ସୁରକ୍ଷିତ ରହିବ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି। ବର୍ଷା ଦାଉରୁ ଚାଷୀ ମାନେ ସେମାନଙ୍କର ଧାନ ପସଲ କାଟି ଖଳା ଓମଣ୍ଡିରେ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନଙ୍କୁ ଆବଶ୍ୟକ ସହଯୋଗ କରିବା ସହିତ ଉଚିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ତେବେ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସେଭଳି କିଛି ସହଯୋଗ ମିଳୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ମଣ୍ଡି ଆସନ୍ତାକାଲିଠାରୁ ଆରମ୍ଭ ହେବ।
ତେବେ ୫୯ଟି ମଣ୍ଡିରୁ ୧୩ଟି ମଣ୍ଡିରେ ହିଁ ଆରଏମସିର ସ୍ଥାୟୀ ଭିତ୍ତିଭୂମି ନବରଙ୍ଗପୁର, ସରୁଗୁଡା, କୋଡିଙ୍ଗା, କୋଷାଗୁମୁଡା, ବଡଭରଣ୍ଡି, ଡାବୁଗାଁ, ଉଢ଼ରକୋଟ, ରାଇଘର, ଝରିଗାଁ, ଚିଲ୍ଲିଗୁଡା ଆଦିରେ ଗୋଦାମ ରହିଥିବା ବେଳେ ୪୬ଟିରେ କିଛି ନାହିଁ। ସାମୟିକ ଜମା କରିବା ପାଇଁ ହିଁ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ରାଜସ୍ବ ଗାଁ, ମଣ୍ଡି ହେଉଥିବା ଗାଁ ଗୁଡିକରେ ଖଳା ନିର୍ମାଣ ହେବ। ଖଳାର ଚାରି ପଟେ ଖୋଲାମେଲା ରହିବ ଏବଂ ଉପରେ ଆଜବେଷ୍ଟସ୍ ଛାତ ଉପରେ ରହିବ। ଏହାକୁ ୧୩ଲକ୍ଷ ବ୍ୟୟରେ ନିର୍ମାଣ କରିବା ପାଇଁ ପଂଚାୟତିରାଜ ବିଭାଗ ଅନୁଦାନ ମଂଜୁର ହୋଇଥିଲା।
ସେହିପରି ସମ୍ପୁର୍ଣ୍ଣ ଖୋଲା ରହିବା ସହ ସିମେଣ୍ଟର ପିଣ୍ଡି ରହିବା ଖଳା ୭ଲକ୍ଷରେ ନିର୍ମାଣ ପାଇଁ ଅନୁଦାନ ମିଳିଥିଲା। ଖଳା ନଥିବାରୁ ବହୁ ଚାଷୀ ଏବେ ଧାନ ଉତ୍ପାଦନ କରି ଗାଁ ରାସ୍ତା, ପୁରୁଣା ରାସ୍ତା, ପୂର୍ତ୍ତ ବିଭାଗ ରାସ୍ତା ସହ ଭାରତମାଳା ରାସ୍ତା ଗୁଡିକରେ ସୁଖାଉଛନ୍ତି। ଧାନ, ମକାରେ ଆଦ୍ରାତା ରହିଲେ କଟନିଛଟନି ଭୟ ଅଧିକା ରହୁଛି। ଜିଲ୍ଲାରେ କେତେ ସଂଖ୍ୟକ ଖଳା ରହିଛି ତାହାର ସମ୍ପୁର୍ଣ୍ଣ ତାଲିକା ପ୍ରସ୍ତୁତ କରି ପ୍ରତ୍ୟେକ ଚାଷୀଙ୍କୁ ଅବଗତ କରିବା କଥା ବୋଲି କହିଛନ୍ତି ଛାଷୀ ବାବୁଲି ମିଶ୍ର। ୯୭ଟି ଖୋଲା ପିଣ୍ଡି ରହିଛି, ଚାଷୀ ସଦୁପଯୋଗ କରନ୍ତୁ ବୋଲି କହିଛନ୍ତି ଆରଏମସିର ସମ୍ପାଦକ କପିଳେନ୍ଦ୍ର ସାସମଲ। ଆରଏମସି ପିଣ୍ଡିର ଚାରିପାର୍ଶ୍ବରେ ପାଚେରୀ ସହ ତାଲା ରହୁଛି ବୋଲି କହିଛନ୍ତି ଚାଷୀ ବିକ୍ରମ ଦାଶ।
ସୌଜନ୍ୟ ସମ୍ବାଦ




