Human interest story : ସାମ୍ବାଦିକତାର ନିଶାରେ ଅବିବାହିତ ରହିଗଲେ… ବୟସର ଅପରାହ୍ଣରେ ନିଃସଙ୍ଗ ନିହାରଙ୍କୁ ମିଳିଲା ପରିବାର

ଭୁବନେଶ୍ୱର, ୧୦/୧ : କାହା ପାଇଁ ‘ଏଜ୍ ଇଜ୍ ଜଷ୍ଟ୍ ଏ ନମ୍ବର’ ତ କାହା ପାଇଁ ଏହା ଜମ ଯନ୍ତ୍ରଣାଠୁ କମ୍ ନୁହେଁ । ବୟସର ଅପରାହ୍ଣରେ ଆଖିରେ ପରଳ ପଡ଼ିଯାଏ ସତ, କିନ୍ତୁ ସମ୍ପର୍କର ବାସ୍ତବତା ସଫା ସଫା ଦିଶିଯାଏ । ନିହାର ମଉସାଙ୍କ ପାଇଁ ମଧ୍ୟ ଜୀବନଟା ଥିଲା ଯନ୍ତ୍ରଣାର ଅନ୍ୟନାମ । ଶରୀର ଥରହର, ଚମ ଧୁଡ଼ୁଧୁଡ଼ୁ, ଅଣ୍ଟା ନଇଁ ପଡ଼ିଲା ପରେ ଏହି ବୃଦ୍ଧ ମଉସାଙ୍କ ପାଖରେ ଥିଲା କେବଳ ତାଙ୍କ ଛାଈ ।କବିସୂର୍ଯ୍ୟନଗରରେ ଜନ୍ମିତ ନିହାର ରଞ୍ଜନ ପଟ୍ଟନାୟକଙ୍କ ବୟସ ୮୬ । ଏହି ଅବିବାହିତ ବୃଦ୍ଧ ସାମ୍ବାଦିକତାର ନିଶାରେ ସେ ନିଜ ଯୌବନ ବିତାଇ ଦେଲେ । ଯିଏ ଯେତେବେଳେ ଯାହା ସହଯୋଗ ଲୋଡ଼ିଲା ସେ କେବେ ମନା କରି ନାହାନ୍ତି । କିନ୍ତୁ କୁହନ୍ତି ନା, ‘ଜର୍ଣ୍ଣାଲିଜମ୍ ଇଜ୍ ଏ ଥାଙ୍କ୍-ଲେସ୍ ଜବ୍’ ତା’ହା ସତ ପ୍ରମାଣିତ ହେଲା । କେହି ତାଙ୍କୁ ପଚାରିଲେ ନାହିଁ । ବରଂ ତାଙ୍କ ଜିନିଷପତ୍ର ନେଇଗଲେ ଆଉ ବିଶ୍ୱାସଘାତକତା କଲେ । ତଥାପି ହାରିବାକୁ ପ୍ରସ୍ତୁତ ନ ଥିଲେ ।
ଶେଷରେ ସେଇ ଖବରକାଗଜ ହିଁ ତାଙ୍କୁ ‘ରାହା’ ଦେଖାଇଲା.. ଦିନେ ଖବରକାଗଜ ଉଣ୍ଡାଳୁ ଉଣ୍ଡାଳୁ ବୋଉ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ‘ରାହା’ ପ୍ରକଳ୍ପ ବିଷୟରେ ଜାଣିଲେ । ସେମାନଙ୍କ ୨୪ ଘଣ୍ଟିଆ ହେଲ୍ପ୍ଲାଇନ୍ ନମ୍ବର ୦୬୭୪-୨୫୬୧୨୭୦ ରେ ଫୋନ୍ କରି ସେ ନିଜର ଅକୁହା ଯନ୍ତ୍ରଣା କହିବା ସହ ନିଜ ପାଇଁ ‘ଫୁଲ୍ ପ୍ରୋଟେକ୍ସନ୍’ ମାଗିଥିଲେ । ଟିମ୍ ରାହା ଏବଂ ଫାଉଣ୍ଡେସନ ପ୍ରତିଷ୍ଠାତା ଅତିଶ ମହାନ୍ତି ତାଙ୍କ ଠିକଣାରେ ପହଞ୍ଚି ତାଙ୍କୁ ପୌଷ୍ୟ ପିତା ରୂପେ ଗ୍ରହଣ କଲେ । ‘ରାହା’ଠାରୁ ସାହା ପାଇ ଖିଲି ଖିଲି ହସି ଉଠିଥିଲେ ନିହାର । ଏବେ ସେ ରଘୁନାଥପୁର ସ୍ଥିତ ଏକ ଆଶ୍ରମରେ ସୁଖରେ ଦିନ କାଟୁଛନ୍ତି । ନିଃସଙ୍ଗ ନିହାରଙ୍କୁ ଏକ ପରିବାର ମିଳିଯାଇଛି ।
ସୌଜନ୍ୟ ପ୍ରମେୟ




