ଅଧାରୁ ବାତିଲ ହେଲା ପରୀକ୍ଷା: ହଟହଟା କଲା ଅଧା ଦିନ ଛୁଟି

ଭୁବନେଶ୍ବର: କ୍ଲାସରୁମ୍‌ରେ ପିଲାଙ୍କ ପରୀକ୍ଷା ଚାଲିଥିଲା। ୩ ଘଣ୍ଟା ସମୟ ଦିଆଯାଇଥିଲା। ହଠାତ୍‌ ମଧ୍ୟାହ୍ନ ୧୨ଟା ବେଳକୁ ଖବର ଆସିଲା ସ୍କୁଲ ଛୁଟି ହୋଇଗଲା। ଅପରାହ୍ଣ ଗୋଟାଏରେ ପିଲାମାନେ ସ୍କୁଲ ଛାଡ଼ିବେ। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ରହିବା ସହ ନିୟମିତ ଭାବେ କାର୍ଯ୍ୟ କରିବେ। ଏକାଡେମିକ ପ୍ଲାନ୍‌ ପ୍ରସ୍ତୁତ କରିବେ। ଆଜି ଭୁବନେଶ୍ବରର ଅଧିକାଂଶ ବିଦ୍ୟାଳୟରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ବୁଝୁବୁଝୁ ଜଣାପଡ଼ିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଆଯାଇଛି। ତେବେ ବିଭାଗୀୟ ଅଧିକାରୀଙ୍କ ତରବରିଆ ନିଷ୍ପତ୍ତି ଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଛି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କଠାରୁ ଏଭଳି ନିର୍ଦ୍ଦେଶ ପରେ ସ୍କୁଲ କର୍ତ୍ତୃପକ୍ଷ ହଡ଼ବଡ଼େଇ ଗଲେ। କ’ଣ କରିବେ ଜାଣିପାରିଲେ ନାହିଁ। ଯେହେତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ତେଣୁ ସ୍କୁଲ କର୍ତ୍ତୃପକ୍ଷ ଟିକିଏ ବି ବିଳମ୍ବ କଲେ ନାହିଁ। ତତ୍‌କ୍ଷଣାତ ପରୀକ୍ଷାର୍ଥୀଙ୍କ ପରୀକ୍ଷା ବାତିଲ୍‌ କରି ଘରକୁ ପଳାଇବାକୁ କହିଲେ। ଅଭି‌ଭାବକଙ୍କୁ ଫୋନ୍‌ କରି ପିଲାଙ୍କୁ ନେଇଯିବାକୁ ପରାମର୍ଶ ଦେଲେ। ଅଭିଭାବକଙ୍କ ବି ଚକିତ ହୋଇପଡ଼ିଲେ। ପ୍ରତିଦିନ ଅପରାହ୍ଣ ୪ଟାରେ ସ୍କୁଲ ‌ଛୁଟି ହେଉଥିବା ବେଳେ ଆଜି ଅପରାହ୍ଣ ଗୋଟାଏରେ ପିଲାଙ୍କୁ ନେଇଯିବାକୁ ସ୍କୁଲ କର୍ତ୍ତୃପକ୍ଷ କାହିଁକି କହିଲେ ସେନେଇ ଅଭିଭାବକ ଚିନ୍ତାରେ ପଡ଼ିଗଲେ। କିଏ ଚାକିରିକୁ ଯାଇଥାନ୍ତି ତ ଆଉ କିଏ ନିଜ ପେଟପାଟଣା ପାଇଁ ଅନ୍ୟ କାମ କରନ୍ତି। ଖବର ପାଇବା ପରେ ସମସ୍ତେ ଧାଁ ଦୌଡ଼ ହୋଇ ବିଦ୍ୟାଳୟରେ ପହଞ୍ଚିବା ସହ ପିଲାଙ୍କୁ ସାଙ୍ଗରେ ନେଇଗଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅପରାହ୍ଣ ୧ଟାରେ ସ୍କୁଲ ଛୁଟି ରହିବା ଘୋଷଣା ସମ୍ପର୍କରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପତ୍ର ଲେଖିଥିଲେ। ସରକାରଙ୍କ ନି‌ଷ୍ପତ୍ତିକ୍ରମେ ଭୁବନେଶ୍ବର ମହାନଗର ନିଗମର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଅପରାହ୍ଣ ୧ଟାରୁ ଛୁଟି ଘୋଷଣା କରାଯାଇଛି ବୋଲି ପତ୍ରରେ ଦର୍ଶାଇଥିଲେ। ତେବେ କ’ଣ ପାଇଁ ଛୁଟି ଘୋଷଣା କରାଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିଲେ।ଡିଇଓ ମଧ୍ୟ ଆଜ୍ଞାଧୀନ ଭାବେ ସଙ୍ଗେ ସ‌ଙ୍ଗେ ମାନି ଯାଇଥିଲେ। ନିଷ୍ପତ୍ତିର କୌଣସି ପ୍ରତିବାଦ ନ କରି ତତ୍‌କ୍ଷଣାତ କାର୍ଯ୍ୟକାରୀ କରିଦେଇଥିଲେ। ଏହାଦ୍ବାରା ପିଲା, ଅଭିଭାବକ କିମ୍ବା ବିଦ୍ୟାଳୟର କେଉଁଭଳି କ୍ଷତି ହେବ ସେନେଇ ଟିକିଏ ବି ଚିନ୍ତା ନ କରି ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ପହଞ୍ଚିଲା ବେଳକୁ ମଧ୍ୟାହ୍ନ ୧୨ଟା। ସେତେବେ‌ଳକୁ କେଉଁ ଶିକ୍ଷକ କ୍ଲାସରେ ପଢ଼ାଉଛନ୍ତି ତ ଆଉ କେଉଁଠି ପ୍ରଧାନଶିକ୍ଷକ କାର୍ଯ୍ୟରେ ବ୍ୟସ୍ତ। ସେମାନେ ମୋବାଇଲ୍‌ରୁ ଚିଠି ପାଇ ପିଲାଙ୍କୁ ଜଣାଇଲା ବେଳକୁ ଅପରାହ୍ଣ ଗୋଟାଏ ବାଜି ଯାଇଥିଲା। ଏଭଳି ନିଷ୍ପତ୍ତିକୁ ନେଇ କେତେକ ସ୍କୁଲ କର୍ତ୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ନାଲିଆଖି ଭୟରେ କେହି ମୁହଁ ନ ଖୋଲୁନାହାନ୍ତି। ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ଏବେ ରାଜ୍ୟରେ ଅଦ୍ଭୂତ ଶିକ୍ଷା ବ୍ୟବସ୍ଥା ଚାଲିଛି। ନୂଆ ସରକାର ଶପଥ ଗ୍ରହଣ କରିବା ଦିନ ମଧ୍ୟ ଅଧା ଦିନ ଛୁଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆସିଲେ ଟ୍ରାଫିକ୍‌ ସମସ୍ୟା ହେବ ବୋଲି କ’ଣ ବିଭାଗୀୟ ଅଧିକାରୀ ଆଜି ଜାଣିଲେ? ଏମିତି ମାନେ ନାହିଁ ଯେ ଶିକ୍ଷକମାନେ ମୋବାଇଲ୍‌କୁ ହାତରେ ଧରି ବସିଛନ୍ତି, କହିଲା ମାତ୍ରେ ଛୁଟି କରିଦେବେ। ପିଲାମାନେ କିଭଳି ଘରକୁ ଫେରିବେ ସେବିଷୟରେ ମଧ୍ୟ ବିଚାର କରିବା କଥା। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲରେ ଛାଡ଼ି ବିନା ଚିନ୍ତାରେ ଚାକିରି ଯାଇଥାନ୍ତି। ଏଭଳି ତରବରିଆ ନିଷ୍ପତ୍ତି ଦ୍ବାରା ବହୁ ଅଭିଭାବକଙ୍କୁ ହଟହଟା ହେବାକୁ ପଡ଼ିଛି।
ସୌଜନ୍ୟ – ସମ୍ୱାଦ

Related Articles

Back to top button