ପାଣାଜୀ: ଗୋଆର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ୧୧ ବର୍ଷର ବାଳକ ନିଜର ଗୋଡ଼ ହରାଇବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଓ ପରାମର୍ଶଦାତାଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହା ସମସ୍ତ ସରକାରୀ ହସ୍ପିଟାଲ ଗସ୍ତ କରି ନୂତନ ପ୍ରୋଟୋକଲ୍ ଧାର୍ଯ୍ୟ କରିବ। ମନ୍ତ୍ରୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ପିଡ଼ିତ ପରିବାରକୁ ନିଜର ବ୍ୟକ୍ତିଗତ ପାଣ୍ଠିରୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସରକାରୀ ଡାକ୍ତର ନିଲମ୍ବିତ, ତଦାରଖ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ତଦନ୍ତ ରିପୋର୍ଟ ଆଧାରରେ ଉତ୍ତର ଗୋଆର ବାଲପୋଇସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଯବନ୍ତୀ ଗାୱାଡେଙ୍କୁ ଅବହେଳା ପାଇଁ ଦାୟୀ କରାଯାଇ ତୁରନ୍ତ ନିଲମ୍ବିତ କରାଯାଇଛି। ଗତ ଏପ୍ରିଲ ୨୭ ତାରିଖରେ ବାଳକଟି ଗୋଡ଼ରେ ଆଘାତ ପାଇ ହସ୍ପିଟାଲକୁ ଆସିଥିଲା, ଯେଉଁଠାରେ ଏକ୍ସ-ରେ”ରୁ ତାହାର ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ମାତ୍ର ପ୍ରାଥମିକ ଚିକିତ୍ସା ସମୟରେ ଜଣେ ମଲ୍ଟି-ଟାସ୍କିଂ କର୍ମଚାରୀଙ୍କ ଦ୍ୱାରା ପ୍ଲାଷ୍ଟର ସ୍ଲାବ୍ ପକାଯାଇଥିଲା। ଏହାର ପରଦିନ ବାଳକଟିକୁ ଜ୍ୱର ଏବଂ ବାନ୍ତି ହେବାରୁ ବାମ୍ବୋଲିମସ୍ଥିତ ଗୋଆ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଗ୍ୟାଙ୍ଗରିନ୍ ଯୋଗୁଁ ବାଳକଟିର ଗୋଡ଼ କାଟିବାକୁ ପଡ଼ିଥିଲା। ସରକାର ଏହି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ବିଶେଷଜ୍ଞ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ

