ରାଜ୍ୟ

Government polytechnic: ସରକାରୀ ପଲିଟେକ୍ନିକ୍‌ରେ ଅଭାବନୀୟ ଘଟଣା: ବରିଷ୍ଠ ଅଧ୍ୟାପକଙ୍କ ଉପରେ ପାଇଖାନା ପାଣି ଢାଳିଲେ ଅଧ୍ୟାପିକା

ଯେଉଁ ଶିକ୍ଷକଙ୍କଠାରୁ ଛାତ୍ରଛାତ୍ରୀ ଶୃଙ୍ଖଳା, ସଂଯମ ଓ ଶିଷ୍ଟାଚାର ଶିଖିବା କଥା, ସେମାନେ ଯଦି ଶିକ୍ଷାନୁଷ୍ଠାନ ପରିସରରେ ମାରପିଟ ଓ ଗାଳିଗୁଲଜରେ ମାତନ୍ତି ତେବେ ଶିକ୍ଷାର ପରିବେଶ କିପରି ରହିବ?

ରଗଡ଼ି: ଯେଉଁ ଶିକ୍ଷକଙ୍କଠାରୁ ଛାତ୍ରଛାତ୍ରୀ ଶୃଙ୍ଖଳା, ସଂଯମ ଓ ଶିଷ୍ଟାଚାର ଶିଖିବା କଥା, ସେମାନେ ଯଦି ଶିକ୍ଷାନୁଷ୍ଠାନ ପରିସରରେ ମାରପିଟ ଓ ଗାଳିଗୁଲଜରେ ମାତନ୍ତି ତେବେ ଶିକ୍ଷାର ପରିବେଶ କିପରି ରହିବ? ଯାଜପୁରଜିଲ୍ଲା ରଗଡ଼ିସ୍ଥିତ ସରକାରୀ ପଲିଟେକ୍ନିକ୍‌ରେ ଘଟିଥିବା ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ ବରିଷ୍ଠ ଅଧ୍ୟାପକଙ୍କ ଉପରକୁ ପାଇଖାନା ପାଣି ଛାଟିଥିଲେ ଅଧ୍ୟାପିକା। ଏହାକୁ ନେଇ କୋରେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଓ ନୈତିକତାକୁ ନେଇ ପ୍ରଶ୍ନ ଉଠିଛି।

ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅଶୋଭନୀୟ ଆଚରଣକୁ ବୁଦ୍ଧିଜୀବୀଙ୍କ ନିନ୍ଦା

ସୂଚନା ଅନୁଯାୟୀ, ରଗଡ଼ି ସରକାରୀ ପଲିଟେକ୍ନିକ୍‌ର ଇଲେକ୍ଟ୍ରିକାଲ୍‌ ବିଭାଗ ମୁଖ୍ୟ ନୃସିଂହ ବେହେରା ଓ ସେହି ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ସମ୍ବିତ ମହାପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଉପୁଜିଥିଲା। ପରବର୍ତ୍ତୀ ସମୟରେ ଏହି ବିବାଦ ମାରପିଟ ଓ ଗାଳିଗୁଲଜ ପର୍ଯ୍ୟନ୍ତ ପହଞ୍ଚିଥିଲା। କଲେଜର ମେଟାଲର୍ଜି ବିଭାଗର ଅଧ୍ୟାପିକା ତଥା ସମ୍ବିତ ମହାପାତ୍ରଙ୍କ ପତ୍ନୀ ପି. ଆରାଧନା କିଛି ଛାତ୍ରଙ୍କୁ ସାଙ୍ଗରେ ନେଇ ଛାତ୍ରାବାସ ପାଇଖାନାରୁ ମଇଳା ପାଣି ଆଣି ଇଲେକ୍ଟ୍ରିକାଲ୍‌ ବିଭାଗ ମୁଖ୍ୟ ନୃସିଂହ ବେହେରାଙ୍କ ଉପରେ ଢାଳିଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ କିଛି ଛାତ୍ରଛାତ୍ରୀ ତାଳି ମାରିବା ସହ କମେଣ୍ଟ କରି ଘଟଣାର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଅଭୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ ଘଟଣାକୁ ନିନ୍ଦା କରିଥିଲେ। ଏହା ସହ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିଥିଲେ। ଅନ୍ୟପଟେ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅଧ୍ୟାପକମାନଙ୍କ ଏଭଳି ଅଶାଳୀନ ଆଚରଣକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏହା କେବଳ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶକୁ ନଷ୍ଟ କରୁନାହିଁ, ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button