Migrant Workers: ଗଞ୍ଜାମରେ ଦାଦନ କଷଣ: ଦିନକରେ ଆନ୍ଧ୍ରରେ ୨ ମୃତ
ଗଞ୍ଜାମ ଜିଲ୍ଲାରେ ସରୁନି ଦାଦନ ଦୁଃଖ। ପେଟପାଟଣା ପାଇଁ ଘରୁ ପାଦ କାଢ଼ି ରାଜ୍ୟ ବାହାରକୁ ଯାଉଥିବା ବେଳେ ସେଠାରେ କିଏ ନିର୍ଯାତିତ ହେଉଛନ୍ତି ତ ଆଉ କାହାର ଅକାଳ ମୃତ୍ୟୁ ଘଟୁଛି।

ପାତ୍ରପୁର/ଚିକିଟି: ଗଞ୍ଜାମ ଜିଲ୍ଲାରେ ସରୁନି ଦାଦନ ଦୁଃଖ। ପେଟପାଟଣା ପାଇଁ ଘରୁ ପାଦ କାଢ଼ି ରାଜ୍ୟ ବାହାରକୁ ଯାଉଥିବା ବେଳେ ସେଠାରେ କିଏ ନିର୍ଯାତିତ ହେଉଛନ୍ତି ତ ଆଉ କାହାର ଅକାଳ ମୃତ୍ୟୁ ଘଟୁଛି। ଏଭଳି ପରିସ୍ଥିତିରେ ଆଜି ଗୋଟିଏ ଦିନରେ ଦୁଇଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ କାମ କରୁଥିବା ପାତ୍ରପୁର ବ୍ଲକର ଜଣେ ଯୁବକଙ୍କ ଦେହରେ ଲୁହାରଡ଼ ପଶିଯିବାରୁ ପ୍ରାଣ ହରାଇଥିବା ବେଳେ ଚିକିଟି ବ୍ଲକର ଜଣେ ଯୁବକ ଲିଫ୍ଟରୁ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି। ପାତ୍ରପୁର ବ୍ଲକ୍ ତମ୍ବାପୁରର ସନ୍ତୋଷ ପ୍ରଧାନ(୨୫) ଗୁଣ୍ଟୁରରେ କାମ କରୁଥିଲେ। ନିର୍ମାଣସ୍ଥଳରେ କ୍ରେନରେ କାମ କରୁଥିବା ବେଳେ ହଠାତ୍ ତଳକୁ ଖସିପଡ଼ିବାରୁ ତଳେ ଥିବା ଲୁହାଛଡ଼ ତାଙ୍କ ଦେହରେ ପଶିଯାଇଥିଲା। ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପହଞ୍ଚିବା ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ସେଠାରେ ବ୍ୟବଚ୍ଛେଦ ପରେ ଶବ ଗ୍ରାମକୁ ଅଣାଯିବ ବୋଲି ସୂଚନା ମିଳିଛି। ସନ୍ତୋଷ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ୨ ବର୍ଷର ସନ୍ତାନ ଓ ପତ୍ନୀ ବେସାହାରା ହୋଇଯାଇଛନ୍ତି। ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
ସେହିପରି ଗୁଣ୍ଟୁରର ଏକ ଘରୋଇ କମ୍ପାନିର ନିର୍ମାଣ ପ୍ରକଳ୍ପରେ ଲିଫଟ୍ରେ ଶ୍ରମିକ ଭାବେ କାମ କରୁଥିବା ଚିକିଟି ବ୍ଲକ୍ କଳବାଡ଼ ପଞ୍ଚାୟତ ଚିଲାଡ଼ି ଗ୍ରାମର କେ.ଶିବ(୨୬) ପ୍ରାଣ ହରାଇଛନ୍ତି। ଗତକାଲି ସେ କୋଠାବାଡ଼ି କାମରେ ନିଯୁକ୍ତ ହୋଇଥିଲେ। ଲିଫ୍ଟ ଅଚଳ ହେବାରୁ ଖସି ଗୁରୁତର ହୋଇଥିଲେ। ତାଙ୍କୁ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଏକ ୬ ମାସର ଶିଶୁକନ୍ୟା ରହିଛି। ସରକାରୀ ସହାୟତା ପାଇଁ ଦାବି ହୋଇଛି।
ସୌଜନ୍ୟ ସମ୍ବାଦ




