Heartbreaking: ପୁରୀରେ ହୃଦୟ ବିଦାରକ ଘଟଣା: ୨ ଝିଅଙ୍କୁ ବିଷ ଖୁଆଇ ମାରିଲା ମା’, ନିଜେ ବି ଗୁରୁତର
ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଘଟିଛି ହୃଦୟ ବିଦାରକ ଘଟଣା। ନିଜର ଦୁଇ କୁନି ଝିଅଙ୍କୁ ପୋକମରା ବିଷ ଖୁଆଇ ମା’ ନିଜେ ମଧ୍ୟ ଖାଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୁରୀ: ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଘଟିଛି ହୃଦୟ ବିଦାରକ ଘଟଣା। ନିଜର ଦୁଇ କୁନି ଝିଅଙ୍କୁ ପୋକମରା ବିଷ ଖୁଆଇ ମା’ ନିଜେ ମଧ୍ୟ ଖାଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୬ ଓ ଅଢ଼େଇ ବର୍ଷ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ସମଗରା ଅଞ୍ଚଳ ଦୀପୁ ପ୍ରଧାନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା (୨୮) ନିଜର ଦୁଇ ଛୋଟ ଝିଅଙ୍କୁ ଭାତରେ ବିଷ ମିଶାଇ ଖାଇବାକୁ ଦେଇ ନିଜେ ଖାଇ ଦେଇଥିଲେ। କିଛି ସମୟ ପରେ ତିନିଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।
ଗୁରୁତର ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କୁ ପୁରୀ ସଦର ଡାକ୍ତରଖାନାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପ୍ରିୟା କାହିଁକି ଏଭଳି କାଣ୍ଡ କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚିକିତ୍ସାଧୀନ ଥିବାରୁ ପୁଲିସ ତାଙ୍କର ବୟାନ ରେକର୍ଡ କରିପାରି ନାହିଁ। ଖବରପାଇ ମେରାଇନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପଡ଼ୋଶୀ ଓ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଲେ ତାଙ୍କ ବୟାନ ନିଆଯିବ ବୋଲି ପୁଲିସ କହିଛି। ଏହି ଘଟଣା ପରେ ସମଗରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୌଜନ୍ୟ ସମ୍ବାଦ




