ରାଜ୍ୟ

Hirakud Reserve: ହୀରାକୁଦ ଜଳଭଣ୍ଡାର ଘରୋଇକରଣକୁ ମତ୍ସ୍ୟଜୀବୀଙ୍କ ବିରୋଧ: କମ୍ପାନି ଆଖି ପକାଇଲେଣି!

ହୀରାକୁଦ ଜଳଭଣ୍ଡାର ଜମି ପରେ ଏବେ ଜଳଭଣ୍ଡାରର ପାଣି ବି ଘରୋଇ ସଂସ୍ଥା ହାତକୁ ଯିବ। ମତ୍ସ୍ୟ ଉତ୍ପାଦନ ପାଇଁ ଜଳଭଣ୍ଡାରକୁ ନିଲାମ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଯୋଜନା କରିଛନ୍ତି।

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାର ଜମି ପରେ ଏବେ ଜଳଭଣ୍ଡାରର ପାଣି ବି ଘରୋଇ ସଂସ୍ଥା ହାତକୁ ଯିବ। ମତ୍ସ୍ୟ ଉତ୍ପାଦନ ପାଇଁ ଜଳଭଣ୍ଡାରକୁ ନିଲାମ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଫିସ୍‌କୋଫେଡ୍ ସଂସ୍ଥା ନୋଡାଲ୍‌ ଏଜେନ୍ସି ଭାବେ ଏହାର ନିଲାମ କରିବାକୁ ଯାଉଥିବା ବେଳେ ଏଥିପାଇଁ ଜିଲ୍ଲାସ୍ତରରେ ମତ୍ସ୍ୟଜୀବୀଙ୍କ ମତାମତ ଲୋଡ଼ିଛି ମତ୍ସ୍ୟ ବିଭାଗ। ଅନ୍ୟପକ୍ଷରେ ଜଳଭଣ୍ଡାରର ଘରୋଇକରଣକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ବିରୋଧରେ ସୋସାଇଟି ସ୍ତରରେ ବୈଠକ ହେଉଥିବା ଜଣାପଡ଼ିଛି।

ହୀରାକୁଦ ଜଳଭଣ୍ଡାରର ବିଶାଳ ଜଳରାଶି ଉପରେ ଏବେ ବଡ଼ ବଡ଼ କମ୍ପାନିର ନଜର ପଡ଼ିଛି। ହୀରାକୁଦ ସମେତ ରାଜ୍ୟର ୫ଟି ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ଅଧିକାର ଟେଣ୍ଡର ଜରିଆରେ କମ୍ପାନିମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା ହୋଇଛି। ୪ ଦିନ ତଳେ ଝାରସୁଗୁଡ଼ାରେ ମତ୍ସ୍ୟ ଓ ପଶୁପାଳନ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ୭ଟି ମତ୍ସ୍ୟ ସୋସାଇଟିର ମତ୍ସ୍ୟଜୀବୀ ସଦସ୍ୟ ସାମିଲ ହୋଇଥିଲେ। ଏହି ବୈଠକରେ ମତ୍ସ୍ୟଜୀବୀଙ୍କୁ ସରକାରଙ୍କ ଏକ ନୂତନ ଯୋଜନା ବାବଦରେ ଅବଗତ କରାଯାଇଥିଲା। ସମ୍ବଲପୁରସ୍ଥିତ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ଜ୍ଞାନରଞ୍ଜନ ସାମଲ ବୈଠକରେ ଯୋଗଦେଇ ଉକ୍ତ ଯୋଜନା ସଂପର୍କରେ କହିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ଫିର୍ସସ୍ କୋଅପରେଟିଭ୍ ଲିମିଟେଡ୍ (ଫିସ୍‌କୋଫେଡ୍) ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟଜୀବୀ ସୋସାଇଟିକୁ ଦିଆଯାଉଥିବା ଅଞ୍ଚଳକୁ ଲିଜ୍ ସୂତ୍ରରେ ବଡ଼ ବଡ଼ କମ୍ପାନିଙ୍କୁ ହସ୍ତାନ୍ତର କରାଯିବ। ଆଉ ମତ୍ସ୍ୟଜୀବୀମାନେ ଧରୁଥିବା ମାଛକୁ ମନଇଚ୍ଛା ବିକ୍ରି କରିପାରିବେ ନାହିଁ।

ସୋସାଇଟି ପୁନରୁଦ୍ଧାର ପାଇଁ ଯୋଜନା: ଉପନିର୍ଦ୍ଦେଶକ

ଉକ୍ତ କମ୍ପାନି ହିଁ ମତ୍ସ୍ୟଜୀବୀଙ୍କ ସବୁ ମାଛ କିଣିବ। ସେହିପରି ଉକ୍ତ କମ୍ପାନିଗୁଡ଼ିକ ବୈଷୟିକ ତଥା ବୈଜ୍ଞାନିକ ପ୍ରଣାଳୀରେ ଜଳଭଣ୍ଡାରରେ ମାଛ ଜାଆଁଳ ଛାଡ଼ିବା ସହିତ ଉତ୍ପାଦନ କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ କେବଳ ସୋସାଇଟିରେ ସଭ୍ୟ ଥିବା ମତ୍ସ୍ୟଜୀବୀ ହିଁ ଜଳଭଣ୍ଡାରରେ ମାଛ ଧରିପାରିବେ। ‘ଢୁଲୁଙ୍ଗି’ ଜାଲ ସଂପୂର୍ଣ୍ଣ ବନ୍ଦ ହେବ। ଖାଲି ସେତିକି ନୁହେଁ, ବଡ଼ ପ୍ରଜାତି ଯଥା ରୋହି, ଭାକୁର, ମିରକାଳି ପରି ମାଛ ଦେଢ଼ କିଲୋରୁ କମ୍‌ ଓଜନର ଧରିବା ସଂପୂର୍ଣ୍ଣ ମନା। ଶ୍ରୀ ସାମଲ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସରକାର ରାଜ୍ୟର ୫ଟି ଜଳଭଣ୍ଡାରକୁ ପ୍ରଥମ ପର୍ଯ୍ୟାୟରେ ଲିଜ୍‌ ଦେବାକୁ ଯୋଜନା କରିଛନ୍ତି। ରାଜ୍ୟର ସମସ୍ତ ମତ୍ସ୍ୟଜୀବୀ ସୋସାଇଟିଗୁଡ଼ିକ ରୁଗ୍‌ଣ ଅବସ୍ଥାକୁ ଆସିସାରିଛି। ମତ୍ସ୍ୟଜୀବୀ ଟଙ୍କାଟିଏ ରୟାଲଟି ଦେଉନାହାନ୍ତି କି ସୋସାଇଟିଗୁଡ଼ିକ ମଧ୍ୟ ଲିଜ୍ ଏରିଆ ବାବଦକୁ ରୟାଲଟି ଦେଉନାହାନ୍ତି। ଯାହାଫଳରେ ସରକାର ବିପୁଳ ରାଜସ୍ବ ହରାଇବା ସହିତ ମତ୍ସ୍ୟଜୀବୀମାନେ ବିଶେଷ ଲାଭାନ୍ବିତ ହୋଇ ପାରୁନାହାନ୍ତି। ଏହି ନୂତନ ବ୍ୟବସ୍ଥା ଦ୍ବାରା ସୋସାଇଟିଗୁଡ଼ିକର ପୁନରୁଦ୍ଧାର ସାଙ୍ଗକୁ ମତ୍ସ୍ୟଜୀବୀମାନେ ମଧ୍ୟ ଲାଭାନ୍ବିତ ହେବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ମାର୍ଗଦର୍ଶିକା ଆସିନଥିବା ବେଳେ ସରକାରଙ୍କ ନିର୍ଦ୍ଦେଶରେ ବର୍ତ୍ତମାନଠାରୁ ମତ୍ସ୍ୟଜୀବୀଙ୍କ ମତାମତ ନିଆଯାଉଛି ବୋଲି ସେ କହିଛନ୍ତି।
ତେବେ ଏହି ବ୍ୟବସ୍ଥାକୁ ମତ୍ସ୍ୟଜୀବୀ ସୋସାଇଟିଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି।

ଏ ସଂପର୍କରେ ଲଖନପୁର ବ୍ଲକ୍‌ ଲଛିପାଲି ସୋସାଇଟିର ସଭାପତି ନରେନ୍ଦ୍ର ତିହିରିଆ କହିଛନ୍ତି, ମତ୍ସ୍ୟଜୀବୀଙ୍କୁ କମ୍ପାନି ହାତରେ ଟେକି ଦେବାର ଚକ୍ରାନ୍ତ ଚାଲିଛି। ମାଛଧରାଳିଙ୍କ ପେଟପାଟଣା ଉପରେ ଏହା ଶକ୍ତ ପ୍ରହାର। ହୀରାକୁଦ ବନ୍ଧ ନିର୍ମାଣ ଦ୍ବାରା ଭିଟାମାଟି ହରାଇଥିବା ବିସ୍ଥାପିତ ମତ୍ସ୍ୟଜୀବୀ ପରିବାରର ଭବିଷ୍ୟତ ଉଜୁଡ଼ିଯିବ। କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଆମେ ସୋସାଇଟି ସ୍ତରରେ ବୈଠକ କରି ଆଗକୁ ଜୋରଦାର ବିରୋଧ କରିବୁ। ଠେବରା ସମେତ ଜିଲ୍ଲାର ସବୁ ପ୍ରାନ୍ତର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏହାକୁ ନେଇ ବିରୋଧର ସ୍ବର ତେଜିବାରେ ଲାଗିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button